ବେତନଟୀ ସଦର: ମଙ୍ଗଳବାର ରାତି ସାରା ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ଗଡଦେଉଳିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୋଠ ଛଡା ଦନ୍ତାର ଉତ୍ପାତ କରିଛି। କୋଉଠି ଘର ଭାଙ୍ଗିଲା ତ କୋଉଠି ଗ୍ରାମବାସୀଙ୍କୁ ଆକ୍ରମଣ କଲା ଓ ଖାଇଗଲା ଗରିବର ବର୍ଷକର ସଞ୍ଚିତ ଧାନଚାଉଳ। ସେହିପରି ହାତୀ ଆକ୍ରମଣରେ ଜୈନିକା ମହିଳାଙ୍କ ଭାଙ୍ଗିଗଲା ଗୋଡ଼।
ପ୍ରାପ୍ତ ସୂଚନା ଅନୁଯାୟୀ ଗୋଠଛଡ଼ା ଦନ୍ତା ମଙ୍ଗଳବାର ରାତି ସାରା ଶ୍ରୀବତ୍ସପୁର, ମହୁଲିଆ ପ୍ରଭୁତି ଗ୍ରାମରେ ତାଣ୍ଡବ ରଚିଥିଲା। ଲଗାଣ ବର୍ଷା ପାଇଁ ହାତୀ ଆସିବାର ଟେର ପାଇନଥିଲେ ଗ୍ରାମବସୀ। ତେବେ ଭୋର ୩ଟା ପାଖାପାଖି ସମୟରେ ହାତୀଟି ଗ୍ରାମର ସଲମା ହେମ୍ବ୍ରମଙ୍କ ଘରକୁ ପ୍ରବେଶ କରି କାନ୍ଥ ଭାଙ୍ଗିଥିଲା। କାନ୍ଥ ଭାଙ୍ଗିଲା ବେଳେ କାନ୍ଥଟି ଭିତର ପଟେ ଶୋଇଥିବା ସଲମାଙ୍କ ପୁଅ ଜଳେନ୍ଦ୍ର ଓ ବହୁ ଜବାଙ୍କ ଉପରେ ପଡିଥିଲା।
ତେବେ ପୁଅ ଜଳେନ୍ଦ୍ରଙ୍କ କିଛି ହେଇନଥିବା ବେଳେ ବହୁ ଜବାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି। ହାତୀଟି ଘରେ ଗଛିତ ଧାନଚାଉଳ ବସ୍ତାକୁ ଟେକି ନେଇ ବାହାରେ ଖାଉଥିବା ବେଳେ ହାତୀର ଗତିବିଧିକୁ ଲକ୍ଷକରୁଥିବା ବନବିଭାଗର ଏକ ଟିମ ହାତୀକୁ ଘଉଡ଼ାଇବା ସହିତ ଗୁରୁତର ମହିଳାଙ୍କୁ ନିଜ ଗାଡିରେ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ବୈଶିଙ୍ଗା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ବର ଜିଲ୍ଲା ମୂଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ପରେ ହାତୀଟି ନିକଟସ୍ଥ କ୍ଷୀରପଦା ଓ ବଡାମ ଜଙ୍ଗଲକୁ ଚାଲିଥିବା ଯୋଗୁଁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଲୋକେ ଏବେବି ଭୟଭୀତ ଅବସ୍ଥାରେ ରହିଛନ୍ତି। ସନ୍ଧ୍ୟା ପରେ ପୁଣି ଜଙ୍ଗଲରୁ ବାହାରି ଗାଆଁରେ ପଶିବା ଆଶଙ୍କା ଥିବାରୁ ହାତୀଟିକୁ ଘଉଡ଼ାଇବା ସହିତ ଗୁରୁତର ଗରିବ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ସବୁ ବନବିଭାଗ ବହନ କରିବା ପାଇଁ ଗ୍ରାମବସୀ ମାନେ ଦାବି କରିଛନ୍ତି।