ବ୍ୟସ୍ତ ରହୁଛି ଗୃହ ବିଭାଗ କଣ୍ଟ୍ରୋଲ ରୁମ୍ : ଲ୍ୟାଣ୍ଡ ଫୋନ୍‌, ମୋବାଇଲ୍ ନମ୍ବର ସୁଇଚ୍ ଅଫ୍‌

ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ଖୋଲିଥିଲା
ଲକ୍‌ଡାଉନ୍ ପ୍ରସଙ୍ଗ ପାଇଁ ଥିଲା ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍

ଭୁବନେଶ୍ବର : ଲକ୍‌ଡାଉନ୍ ପାଇଁ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଥିବା ବେଳେ ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ଗୃହ ବିଭାଗରେ ଖୋଲାଯାଇଛି ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍। କଣ୍ଟ୍ରୋଲ ରୁମରେ ଥିବା ଲ୍ୟାଣ୍ଡ ଲାଇନ୍ ଫୋନ୍(୦୬୭୪-୨୩୯୨୧୧୫) ଅନେକ ସମୟରେ ବ୍ୟସ୍ତ ରହୁଛି। କେତେକ ସମୟରେ କାର୍ଯ୍ୟ କରୁ ନ ଥିବା ଉତ୍ତର ମିଳୁଛି। ଯାହାକୁ ନେଇ ଫୋନ୍ କରୁଥିବା ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ ଏହାର ଦାୟିତ୍ବ ଦିଆଯାଇଛି। ଗୃହ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ବିଜ୍ଞପ୍ତିରେ ଅମିତାଭ ଠାକୁରଙ୍କ ସିୟୁଜି ନମ୍ବର(୯୪୩୮୯୧୫୯୮୬) ମଧ୍ୟ ଦିଆଯାଇଛି। କିନ୍ତୁ ଏହି ନମ୍ବର ସୁଇଚ୍ ଅଫ୍ ରହୁଛି। ଅଧିକାଂଶ ସମୟ ଲ୍ୟାଣ୍ଡ ଫୋନ୍ ବ୍ୟସ୍ତ ରହୁଥିବାରୁ ଏହାର କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଉ ନାହିଁ। ଯଦି ଲ୍ୟାଣ୍ଡ ଫୋନ୍ ବ୍ୟସ୍ତ ରହୁଛି ତାହାଲେ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି। ଏ ନେଇ ଆମେ ଅମିତାଭ ଠାକୁରଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇ ଥିଲେ ବି କୌଣସି ଉତ୍ତର ମିଳିପାରି ନାହିଁ। ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାରଙ୍କର ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆ ଯାଇଥିଲା। ଲକ୍‌ଡାଉନ୍ ସଂକ୍ରାନ୍ତ ଅଭିଯୋଗ ଓ ତାର ସମାଧାନ ପାଇଁ ମଧ୍ୟ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଥିଲା। ଏ ନେଇ ଗୃହ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ସବୁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମୁଖ୍ୟ ସଚିବଙ୍କ ଓଏସଡି, ସମସ୍ତ ଅତିରିକ୍ତ ସଚିବ, ସବୁ ବିଭାଗ, ପୁଲିସ ଡିଜି, ପୁଲିସ କମିସନର, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ବିଜ୍ଞପ୍ତିର ନକଲ ମଧ୍ୟ ଦିଆ ଯାଇଥିଲା।

ସମ୍ବନ୍ଧିତ ଖବର