ଭୁବନେଶ୍ବର: ଆଇପିଏସ୍‌ ଅଧିକାରୀ ଆଶିଷ ସିଂହଙ୍କ ପତ୍ତା ପାଉନି ଗୃହ ବିଭାଗ। ସେ ମାସିକିଆ ଛୁଟିରୁ ଫେରିଲା ପରେ କେଉଁଠି ଅଛନ୍ତି, ତାହାର ଖବର ଗୃହ ବିଭାଗ ପାଖରେ ନାହିଁ। ଏଥି ପାଇଁ ବିଭାଗ ପକ୍ଷରୁ ଆଜି ପୁଲିସ ଡିଜିଙ୍କୁ ଚିଠି କରାଯାଇ ତାଙ୍କ ସମ୍ପର୍କରେ ଜଣାଇବାକୁ କୁହାଯାଇଛି। ଗତକାଲି କଟକର ପୁଲିସ ମୁଖ୍ୟାଳୟରେ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ରଥଯାତ୍ରା ସୁରକ୍ଷା ବୈଠକରେ ଆଶିଷ ସିଂହ ଉପସ୍ଥିତ ଥିଲେ। ଏହି ଖବର ଓ ଫଟୋ ଆଜି ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ ତାହା ସତ୍ତ୍ବେ ଗୃହ ବିଭାଗ ତାଙ୍କ ସମ୍ପର୍କରେ ଟେର୍‌ ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଭାଗ ଓ ପୁଲିସ୍‌ ମୁଖ୍ୟାଳୟ ମଧ୍ୟରେ ଏକ ବଡ଼ ଧରଣର ବ୍ୟବଧାନ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି।

Advertisment

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ଆଶିଷ ସିଂହ ବିବାଦରେ ରହିଆସିଛନ୍ତି। ସେ ସିଧାସଳଖ ଶାସକ ଦଳ ପାଇଁ କାମ କରୁଥିବାର ଅଭିଯୋଗ ନିର୍ବାଚନ କମିସନଙ୍କ ନିକଟରେ ପହଞ୍ଚିଥିଲା। ଫଳରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ପଦରୁ ହଟାଯାଇଥିଲା। ତାଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ କୌଣସି ଦାୟିତ୍ବ ନଦେବା ପାଇଁ କମିସନ କହିଥିଲେ। ଏହା ପରେ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିଥିଲେ। ତେବେ ମେ’ ୪ ତାରିଖରୁ ସ୍ବାସ୍ଥ୍ୟଗତ କାରଣରୁ ସେ ଏକ ମାସ ଛୁଟିରେ ଯାଇଥିଲେ। ତାହା ପରେ ବି ବିବାଦ ତାଙ୍କ ପିଛା ଛାଡ଼ି ନଥିଲା। ଛୁଟିରେ ରହି ସେ ବିଜେଡି ପାଇଁ କାମ କରୁଥିବାର ଅଭିଯୋଗ ପୁଣି କମିସନଙ୍କ ନିକଟରେ ପହଞ୍ଚିଥିଲା। ଏହା ପରେ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ବର ଏମ୍‌ସ୍‌ରେ ଏକ ୬ ଜଣିଆ ଡାକ୍ତରୀ ଦଳ ତା‌ଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ଏହି ଟିମ୍ ରିପୋର୍ଟ ଦେଇଥିଲେ। କମିସନ ଏହି ରିପୋର୍ଟକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇବା ସହ ଶ୍ରୀ ସିଂହଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରିଥିଲେ। କିନ୍ତୁ ତାହା ପରେ ଶ୍ରୀ ସିଂହଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଛୁଟିରୁ ଫେରିଲା ପରେ ସେ କାର୍ଯ୍ୟରେ ଯୋଗ ଦେଇ ସାରିଛନ୍ତି। ତାଙ୍କୁ ଏବେ ଗୁଇନ୍ଦା ଆଇଜି ଭାବେ ଦାୟିତ୍ବ ଦିଆଯାଇଛି। ଗୃହ ବିଭାଗରେ କିପରି ଜଣେ ବିବାଦୀୟ ଆଇପିଏସ୍‌ ଅଧିକାରୀଙ୍କ ବିଷୟରେ କିଛି ସୂଚନା ନାହିଁ, ତାହା ପ୍ରଶାସନିକ ମହଲକୁ ଚକିତ କରିଛି।