ସୋମବାର ଓଡ଼ିଶା ବନ୍ଦ ପାଇଁ ଗୃହ ବିଭାଗ ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ବର : ଆସନ୍ତା ୧୫ ତାରିଖ ସୋମବାର ଦିନ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏ ନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ଏ ନେଇ ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସ୍ବତନ୍ତ୍ର ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ ରହିଛି, ୧୫ ତାରିଖ ବନ୍ଦ ବେଳେ ସମ୍ଭାବ୍ୟ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନର ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସେହିଦିନ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବେ। ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ଲୋକସେବା ଭବନର ମୁଖ୍ୟ ଫାଟକକୁ ବନ୍ଦ କରିଦିଆଯିବ। ଏହାସହିତ ମୁଖ୍ୟ ଫାଟକରେ ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ପରିଚୟ ପତ୍ର ଯାଞ୍ଚ କରାଯିବ। କାର୍‌ ପାସ ନଥିଲେ କୌଣସି ଗାଡ଼ିକୁ ଏସବୁ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଦିଆଯିବନାହିଁ। କୌଣସି ଅଘଟଣ ଘଟିଲେ, ସଚିବାଳୟ ସୁରକ୍ଷା ଦାୟିତ୍ବରେ ଥିବା ଏସିପିଙ୍କୁ ୦୬୭୪-୨୩୨୨୫୨୨ ଓ ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବଙ୍କ ଟେଲିଫୋନ ନମ୍ବର ୦୬୭୪-୨୩୯୩୮୪୯ରେ ଯୋଗାଯୋଗ କରିହେବ। ସେଦିନ କୌଣସି ବାହାର ବ୍ୟକ୍ତିଙ୍କୁ ସଚିବାଳୟ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। କେବଳ ଅତି ଆବଶ୍ୟକ ସ୍ଥଳେ ଆଗରୁ ଅନୁମତି ପାଇଥିବା ବ୍ୟକ୍ତିଙ୍କୁ ସମ୍ପୃକ୍ତ ବିଭାଗର ସୁପାରିସକ୍ରମେ ସଚିବାଳୟକୁ ଆସିବାକୁ ଦିଆଯିବ ବୋଲି ଶ୍ରୀମତୀ ବାଲା ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର