ଗୃହବିଭାଗର ଶ୍ବେତପତ୍ର: ହତ୍ୟା, ଦୁଷ୍କର୍ମ କମିଛି; ଡକାୟତି ବଢ଼ିଛି

ବର୍ଷକରେ ଲକ୍ଷେ ୭୮ ହଜାର ଅପରାଧିକ ମାମଲା

ଭୁବନେଶ୍ବର : ୨୦୨୧ ତୁଳନାରେ ୨୦୨୨ରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି। ୨୦୨୧ରେ ରାଜ୍ୟରେ ୧ଲକ୍ଷ ୫୫ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା। ୨୦୨୨ ମସିହାରେ ୨୨,୭୭୦ଟି ମାମଲା ବୃଦ୍ଧି ପାଇ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ୧୯୦‌ରେ ପହଞ୍ଚିଛି। ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୨ ମସିହାର ଶ୍ବେତପତ୍ରରେ ଏହି ତଥ୍ୟ ଦିଆଯାଇଛି। ୨୦୨୧ ତୁଳନାରେ ହତ୍ୟା, ଦୁଷ୍କର୍ମ ମାମଲା କମିଥିଲା ବେଳେ ଚୋରି, ଡକାୟତି, ସିନ୍ଧିଚୋରି ମାମଲା ବୃଦ୍ଧି ପାଇଛି।

ଶ୍ବେତପତ୍ରରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧.୭୮ ଲକ୍ଷ ଧର୍ତ୍ତବ୍ୟ ଅପରାଧିକ ମାମଲା ମଧ୍ୟରେ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪,୮୯୩ଟି ଚୋରି, ୫୩୫୨ଟି ପ୍ରତାରଣା, ୨୨୪୮ଟି ଦଙ୍ଗା , ୩୧୮୪ଟି ଦୁଷ୍କର୍ମ, ୧୧,୬୬୩ଟି ମୋଟରଯାନ ଦୁର୍ଘଟଣା ଓ ୧,୩୦,୩୮୦ଟି ବିବିଧ ମାମଲା ରହିଛି। ତେବେ ରୁଜୁ ହୋଇଥିବା ଧର୍ତ୍ତବ୍ୟ ଅପରାଧ ମାମଲା ମଧ୍ୟରୁ ୧,୬୯,୭୩୫ଟି ମାମଲା ସତ ହୋଇଥିଲା ବେଳେ ତାହା ମଧ୍ୟରୁ ବର୍ଷ ଶେଷସୁଦ୍ଧା ମୋଟ ୧,୧୮,୫୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି।

ଧର୍ତ୍ତବ୍ୟ ଅପରାଧ ବଢ଼ିଛି ୧୫%
ନିୟନ୍ତ୍ରଣରେ ମାଓବାଦୀ କାର୍ଯ୍ୟ

୧୩୭୯ଟି ହତ୍ୟା ଘଟଣାରୁ ୧୩୦୧ଟି ସତ ଓ ସେଥିରୁ ୬୪୦ଟି ମାଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧,୩୫ଟି ସତ୍ୟ ଓ ସେଥିରୁ ୨୨୩୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୦୨୧ରେ ହତ୍ୟା ଓ ଦୁଷ୍କର୍ମ ମାମଲା ସଂଖ୍ୟା ଯଥାକ୍ରମେ ୧୩୯୪ ଓ ୩୩୩୭ ଥିଲା।

୨୦୨୧ ତୁଳନାରେ ରାଜ୍ୟରେ ଚୋରି, ଡକାୟତି ବଢ଼ିଛି। ୨୦୨୧ରେ ୧୩,୦୨୪ ଚୋରି ମାମଲା ହୋଇଥିଲା ବେଳେ ୨୦୨୨ରେ ଏହି ସଂଖ୍ୟା ୧୪,୮୯୩ ହୋଇଛି। ଚୋରି ହୋଇଥିବା ୧୭୭ କୋଟି ୩୦ ହଜାର ୭୦୨ ଟଙ୍କାର ମୂଲ୍ୟର ସମ୍ପତ୍ତି ମଧ୍ୟରୁ ମାତ୍ର ୩୨ ‌କୋଟି ୫୩ ଲକ୍ଷ ୨ ହଜାର ୪୦୧ ଟଙ୍କାର ସମ୍ପତ୍ତି ଉଦ୍ଧାର କରାଯାଇପାରିଛି। ସେହିପରି ୨୦୨୧ରେ ୫୫୨ଟି ଡାକୟତି ମାମଲା ହୋଇଥିଲା ୨୦୨୨ରେ ଏହି ସଂଖ୍ୟା ୬୨୬ରେ ପହଞ୍ଚିଛି। ବିଭିନ୍ନ ଡକାୟତି ମାମଲାରେ ୧୩ କୋଟି ୨୯ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ ସମ୍ପତ୍ତି ଲୁଟ୍‌ ହୋଇଥିଲା ବେଳେ ଉଦ୍ଧାର ହୋଇଛି ୭ କୋଟି ୩୭ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି। ୨୦୨୧ରେ ୫୧୩୩ ସିନ୍ଧିଚୋରି ମାମଲା ହୋଇଥିଲା ବେଳେ ୨୦୨୨ରେ ଏହି ସଂଖ୍ୟା ୫,୪୬୭ ହୋଇଛି।

NPG.News

୨୦୨୨ ମସିହାରେ ୨୬୩ଟି ଯୌତୁକଜନିତ ହତ୍ୟା, ୧୦୬ଟି ଯୌତୁକଜନିତ ଆତ୍ମହତ୍ୟା, ୪୮୫୯ଟି ଯୌତୁକ ନିର୍ଯାତନା, ୭୦ଟି ମାନବ ଚୋରାଚାଲାଣ, ୧୯୮୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା।

Outlook India

ମାଓବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଶ୍ବେତପତ୍ରରେ କୁହାଯାଇଛି ଯେ ୨୦୨୨ରେ ରାଜ୍ୟରେ ସାମଗ୍ରିକ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ଜନିତ ସ୍ଥିତି ନିୟନ୍ତ୍ରଣାଧୀନ ଥିଲା। ମାଓବାଦୀଙ୍କ ସହ ସଂଗଠିତ ୧୨ଟି ଗୁଳି ବିନିମୟ ଘଟଣା ସମେତ ମୋଟ୍‌ ୨୭ଟି ମାଓବାଦୀ ହିଂସା ଘଟିଥିଲା। ପୁଲିସର କାର୍ଯ୍ୟାନୁଷ୍ଠାନରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୨ ଜଣ ଗିରଫ ହୋଇଥିଲେ ଓ ୩ ଜଣ ଆତ୍ମସମର୍ପଣ କରିଥିଲେ। ଗୁଳି ବିନିମୟ ଯୋଗୁ ୮ ଜଣ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଥିଲା ଓ ୩ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ‘ଅପରେସନ୍ ଘର ୱାପସି’ ଅଭିଯାନରେ ୩ ହଜାରରୁ ଅଧିକ ସକ୍ରିୟ ମାଓବାଦୀ ଓ ସମର୍ଥକ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର