ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର : ଦିନକୁ ୮ ଦୁଷ୍କର୍ମ, ୪ ହତ୍ୟା

ବର୍ଷକରେ ୧ ଲକ୍ଷ ୩୪ ହଜାର ଅପରାଧ ମାମଲା

ଭୁବନେଶ୍ବର : ରାଜ୍ୟରେ ଦିନକୁ ୮ଟି ଦୁଷ୍କର୍ମ ‌ହେଉଛି। ୪ଟି ହତ୍ୟା ବି ହେଉଛି। ଦଙ୍ଗା, ଲୁଣ୍ଠନ, ଯୌତୁକ ଜନିତ ମାମଲା ବି କିଛି କମ୍ ନୁହେଁ। ନିଜେ ରାଜ୍ୟ ସରକାର ଏହି ତଥ୍ୟ ଦେଇଛନ୍ତି। ଆଜି ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଶ୍ବେତପତ୍ରରେ ଏହି ତଥ୍ୟ ଦିଆଯାଇଛି। ୨୦୨୦ ମସିହାରେ ମୋଟ୍‌ ୧,୩୪,୨୩୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି। ତାହା ମଧ୍ୟରୁ ସତ ମାମଲା ସଂଖ୍ୟା ହେଲା ୧,୨୯,୩୦୫। ୧୪୭୦ଟି ହତ୍ୟା, ୫୧୪ଟି ଡକାୟତି, ୨୧୬୬ଟି ଲୁଣ୍ଠନ, ୪୫୦୦ଟି ସିନ୍ଧିଚୋରି, ୧୦୪୧୨ଟି ଚୋରି, ୩୫୨୪ଟି ପ୍ରତାରଣା, ୨୦୫୯ଟି ଦଙ୍ଗା, ୨୯୮୪ଟି ଦୁଷ୍କର୍ମ, ୯୮୧୭ଟି ମୋଟରଯାନ ଦୁର୍ଘଟଣା ଓ ୯୬୭୮୪ଟି ବିବିଧ ମାମଲା ‌ରହିଛି ବୋଲି ଶ୍ବେତପତ୍ରରେ ଦର୍ଶାଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ ୨୦୨୦ରେ ୨୯୮୪ଟି ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଥିଲା। ତାହାମଧ୍ୟରୁ ୨୯୦୭ ମାମଲା ସତ୍ୟ ଅଟେ। ସେଥି ମଧ୍ୟରୁ ୨୦୫୪ଟି ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ସେହିପରି ପଞ୍ଜୀକୃତ ହୋଇଥିବା ୧୪୭୦ଟି ହତ୍ୟା ମାମଲା ମଧ୍ୟରୁ ୧୩୯୨ଟି ସତ୍ୟ ଅଟେ। ତାହା ମଧ୍ୟରୁ ୬୯୪ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଗତ ବର୍ଷ ୨୧୬୬ଟି ଲୁଣ୍ଠନ ମାମଲା ରୁଜୁ ହୋଇଥିଲା। ଏହି ମାମଲାଗୁଡ଼ିକରେ ୧୮୧୬ ଅପରାଧୀଙ୍କୁ ଗିରଫ କରାଯାଇଛି। ‌େ‌ଚାରି ହୋଇଥିବା ସମ୍ପତ୍ତି ମଧ୍ୟରୁ ୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇଛି। ୮୮୨ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି।

ରାଜ୍ୟରେ ଯୌତୁକ ଜନିତ ମାମଲା ଏବେ ଚିନ୍ତାର ବିଷୟ ପାଲଟିଛି। ୨୦୨୦ରେ ୪୦୮୮ଟି ଯୌତୁକ ଜନିତ ମାମଲା ରୁଜୁ ହୋଇଛି। ତାହା ମଧ୍ୟରୁ ୨୭୪୮ଟିରେ ଚାର୍ଜସିଟ୍‌ ଦାଖଲ ହୋଇଛି। ୩୨୦ଟି ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇଥିଲା ବେଳେ ସେଥିରୁ ୧୪୧ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ୨୨ଟି ମାମଲା ବିଭିନ୍ନ କାରଣରୁ ବନ୍ଦ କରିଦିଆଯାଇଥିଲା ବେଳେ ୧୫୭ଟି ମାମଲାର ତଦନ୍ତ ଚାଲୁ ରହିଛି। ୮୭ଟି ଯୌତୁକ ଜନିତ ଆତ୍ମହତ୍ୟା ମାମଲା ବି ରୁଜୁ ହୋଇଛି।

ମାଓବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଶ୍ବେତପତ୍ରରେ କୁହାଯାଇଛି ଯେ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ପରିସ୍ଥିତିରେ ଉନ୍ନତି ସାଧିତ ହୋଇଛି। ୨୦୨୦ରେ ମାଓବାଦୀ ପ୍ରଭାବିତ ଜିଲ୍ଲା ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଓ ସମ୍ବଲପୁରକୁ ମାଓବାଦୀ କାର୍ଯ୍ୟକଳାପ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଏହି ବର୍ଷ ମାଓବାଦୀଙ୍କ ସହିତ ସଂଘଟିତ ୨୭ଟି ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ ୪୧ଟି ସିପିଅାଇ(ମାଓବାଦୀ) ଜନିତ ଘଟଣା ଘଟିଥିଲା, ଯେଉଁଥିରେ ୭ ଜଣ ସାଧାରଣ ବ୍ୟକ୍ତିଙ୍କ ପ୍ରାଣହାନୀ ହୋଇଥିଲା ଓ ଦୁଇ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ପୁଲିସ ସହ ପୃଥକ ଗୁଳି ବିନିମୟ ଘଟଣାରେ ୧୬ ଜଣ ସିପିଆଇ(ମାଓବାଦୀ) କ୍ୟାଡର୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ଗ୍ରାମବାସୀଙ୍କ ସହ ସଂଘର୍ଷରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିଲେ। ଏହା ବାଦ୍ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ୩୪ ଜଣଙ୍କୁ ଗିରଫ କରାଯାଇଥିଲା।

ତେବେ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି ଯେ ଗତ ବର୍ଷ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିଲା। ଯେଉଁଠାରେ ବି ଅଶାନ୍ତି, ବିଦ୍ରୋହ, ଅସନ୍ତୋଷ ଦେଖାଦେଇଥିଲା, ସେଠାରେ ପୁଲିସ୍‌ ଓ ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆସିଥିଲା। କୋଭିଡ୍‌ ମୁକାବିଲାରେ ପୁଲିସ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଏହି କଷ୍ଟ ସମୟରେ ସେମାନେ ଦୃଢ଼ତାର ସହ କର୍ତ୍ତବ୍ୟ ସମ୍ପାଦନ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଥିଲେ।

ସମ୍ବନ୍ଧିତ ଖବର