ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜେଲରେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ନୂଆ ଏସ୍ଓପି ଜାରି କରିଛି ଗୃହ ବିଭାଗ। ପୁଲିସ, ଭିଜିଲାନ୍ସ, ଅବକାରୀ ଓ ଜଙ୍ଗଲ ବିଭାଗ ଦ୍ବାରା ଗିରଫ ଅଭିଯୁକ୍ତଙ୍କ ପାଇଁ ନୂଆ ଏସ୍ଓପି କରାଯାଇଛି। ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ପୂର୍ବରୁ ଅଭିଯୁକ୍ତଙ୍କର କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଜେଲକୁ ପଠାଯିବା ପୂର୍ବରୁ ଲକ୍ଷଣ ରହିଛି କି ନାହିଁ ତାହା ମଧ୍ୟ ଉଲ୍ଲେଖ କରାଯିବ। ଯଦି ଅଭିଯୁକ୍ତ ପଜିଟିଭ୍ ବାହାରିଲେ ତା’ହେଲେ କୋର୍ଟଙ୍କୁ ଅନୁମତି କ୍ରମେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ସୁସ୍ଥ ହେଲା ପରେ ପୁଣି ଜେଲ୍ ପଠାଯିବ। ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ଜେଲ୍ ପଠାଯିବ ବୋଲି ଏସଓପିରେ ଉଲ୍ଲେଖ ରହିଛି। ଜେଲ୍ ଯିବା ପରେ ସେମାନଙ୍କୁ ସ୍ବତନ୍ତ୍ର ଆଇସୋଲେସନ୍ ଓ କ୍ବାରାଣ୍ଟିନରେ ରଖାଯିବା ବାଧ୍ୟତାମୂଳକ। ସେହିପରି କଏଦୀଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବା ଲାଗି ସିଡିଏମଓ ବ୍ୟବସ୍ଥା କରିବେ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ସ୍ଥାନରେ କୋଭିଡ୍ ପରୀକ୍ଷା କରାଯିବ ଓ ଜିଲ୍ଲା ପୁଲିସ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରିବେ। ଯଥାସମ୍ଭବ କଏଦୀଙ୍କୁ ଭିଡିଓ କନଫରେନ୍ସିଂ କିମ୍ବା ଭର୍ଚୁଆଲ୍ ମାଧ୍ୟମରେ ହାଜର କରାଯିବ। ହସ୍ପିଟାଲ ସ୍ଥାନାନ୍ତର ହେଉ କିମ୍ବା ଜେଲ୍ ଯିବା ସମୟରେ ନିଯୁକ୍ତ ଏସକର୍ଟ ପିପିଇ କିଟ୍ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏସକର୍ଟ ଶେଷ ପରେ ସେମାନେ ୧୪ ଦିନ ପାଇଁ କ୍ବାରାଣ୍ଟିନରେ ରହିବେ ବୋଲି ଏସଓପିରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ, ପୁଲିସ ଡିଜି ଓ ଜେଲ୍ ଡିଜିଙ୍କୁ ଚିଠି ଲେଖାଯାଇଛି। ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଜେଲରୁ ଏବେ ସୁଦ୍ଧା ୫ ଶହରୁ ଅଧିକ କଏଦୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫୦ରୁ ଅଧିକ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ବାହାରିଛନ୍ତି।
ଜେଲ୍ ସଂକ୍ରମଣ ରୋକିବାକୁ ଗୃହ ବିଭାଗର ନୂଆ ଏସ୍ଓପି, ପିପିଇ କିଟ୍ ପିନ୍ଧିବାକୁ ଏସକର୍ଟଙ୍କୁ ପରାମର୍ଶ
/sambad/media/post_attachments/wp-content/uploads/2019/11/jail-wader.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)