ଗୃହ କମିଟି ବୈଠକରେ ନିଷ୍ପତ୍ତି : କୋଟିଆରେ ହେବ ପୁଲିସ ଥାନା

ସୀମାନ୍ତ ଥାନାଗୁଡ଼ିକୁ ଆହୁରି କ୍ଷମତା ସମ୍ପନ୍ନ କରାଯିବ, ସୀମାର ୫ କିମି ପରିଧିରେ ଥିବା ସ୍କୁଲ ଓ କଲେଜ ବନ୍ଦ ହେବନି

ଭୁବନେଶ୍ବର : ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହ ସୀମା ବିବାଦ ଲାଗି ରହିଛି। ଏସବୁ ରାଜ୍ୟକୁ ଲାଗି ରହିଥିବା ଓଡ଼ିଶାର ପ୍ରାୟ ୧୦୦ଟି ଗାଁରେ ଥିବା ଲୋକଙ୍କ ବିଭିନ୍ନ ସମସ୍ୟା ଦୂର କରିବାକୁ ଏଣକି ସରକାରୀ ଅଧିକାରୀ ନିୟମିତ ସେସବୁ ଅଞ୍ଚଳ ଗସ୍ତ କରିବେ। ଆଜି ସୀମା ବିବାଦ ସମ୍ପର୍କିତ ବିଧାନସଭା ଗୃହ କମିଟି ବୈଠକରେ ଅଧ୍ୟକ୍ଷତା କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋଟିଆ ଗ୍ରାମପୁଞ୍ଜରେ ପୁଲିସ ଥାନା ପ୍ରତିଷ୍ଠା କରିବାକୁ କମିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି। ଓଡ଼ିଶା ସୀମାର ୫ କିଲୋମିଟର ପରିଧିରେ ଥିବା ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ ହେବନି ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଗୁରୁବାର ବିଧାନସଭା ସୌଧର ୫୪ ନମ୍ବର ପ୍ରକୋଷ୍ଠରେ ସୀମା ବିବାଦ ସମ୍ପର୍କିତ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶା ସହିତ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ଭବିଷ୍ୟତ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ଓ ବରମୁଠା, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର କିଛି ଗ୍ରାମ, ବାଲେଶ୍ବର ଜିଲ୍ଲାର ୮ଟି ଗ୍ରାମ, ମୟୂରଭଞ୍ଜ ଜିଲ୍ଲାର ୧୦ଟି ଗ୍ରାମ, କେନ୍ଦୁଝର ଜିଲ୍ଲାର ୫ଟି ଗ୍ରାମ ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ତର୍ଜମା କରାଯାଇଥିଲା। ବୈଠକ ସମ୍ପର୍କରେ ସୂଚନା ଦେଇ କମିଟି ସଦସ୍ୟ ଅନନ୍ତ ଦାସ କହିଥିଲେ, ଗଜପତିର ୧୬ଟି ଓ ଗଞ୍ଜାମର ୧୩ଟି ସୀମାନ୍ତ ଗ୍ରାମର ଲୋକେ ଆନ୍ଧ୍ରପ୍ରଦେଶ ସୀମା ଦେଇ ଓଡ଼ିଶାକୁ ଯାତାୟତ କରୁଛନ୍ତି। ଏ ନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରାଯାଇ ସ୍ଥାନୀୟ କ୍ଷେତ୍ରରେ ସମାଧାନ କରିବାକୁ ନିଷ୍ପତ୍ତି ହୋଇଛି। ସୀମାନ୍ତ ଗ୍ରାମଗୁଡ଼ିକରେ ଥିବା ପୁଲିସ ଥାନାଗୁଡ଼ିକୁ ଆହୁରି କ୍ଷମତା ସମ୍ପନ୍ନ କରାଯିବ। ଏସବୁ ଅଞ୍ଚଳରେ ଥିବା ସ୍କୁଲ ଓ କଲେଜରେ ଅଳ୍ପ ଛାତ୍ରଛାତ୍ରୀ ପଢ଼ୁଥିଲେ ବି ସେସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରାଯିବନି। ଏପରିକି ଅଫିସ ଦୂର ହେଲେ ବି ବନ୍ଦ ହେବନି ବୋଲି କମିଟି ବୈଠକରେ ନିଷ୍ପତ୍ତି ହୋଇଛି। କୋଟିଆରେ ପୁଲିସ ଥାନା ପ୍ରତିଷ୍ଠା କରାଯିବା ସହ ସେଠାରେ ସ୍କୁଲ ଓ କଲେଜ ପ୍ରତିଷ୍ଠା କରିବାକୁ ମଧ୍ୟ ବାଚସ୍ପତି ତଥା କମିଟି ଅଧ୍ୟକ୍ଷ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିବା ଶ୍ରୀ ଦାସ କହିଥିଲେ।

ସୀମାନ୍ତ ଗ୍ରାମ ଅଞ୍ଚଳରୁ ପଡ଼ୋଶୀ ରାଜ୍ୟମାନଙ୍କୁ ବାଲି, ଗୋଡ଼ି ଓ ମୋରମ୍ ଚୋରାଚାଲାଣ ହେଉଥିବା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏ ନେଇ ଆସନ୍ତାକାଲି ରାଜସ୍ବ ବିଭାଗ ବୈଠକ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି। ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଧାୟକ କିଶୋର କୁମାର ମହାନ୍ତି, ଅମର ପ୍ରସାଦ ଶତପଥୀ, ଅନନ୍ତ ଦାସ, ନିତ୍ୟାନନ୍ଦ ସାହୁ, ଆଦିତ୍ୟ ମାଢ଼ୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ରାଜସ୍ବ ବିଭାଗ ଆୟୁକ୍ତ ଟି. ଅପଙ୍ଗ ଆଓ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲ, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ସମ୍ପର୍କିତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର