ଭୁବନେଶ୍ବର : ଗୋଟିଏ ଥାନାରେ କୌଣସି ପୁଲିସ କର୍ମଚାରୀ ୩ ବର୍ଷରୁ ଅଧିକ ସମୟ ରହି ପାରିବେ ନାହିଁ। କେବଳ ସେତିକି ନୁହେଁ ଗୋଟିଏ ପୁଲିସ ଜିଲ୍ଲାରେ ମଧ୍ୟ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ଉପରେ ବାରଣ ରହିଛି। କିନ୍ତୁ କମିସନରେଟ ପୁଲିସରେ ଏମିତି କିଛି ଅଫିସର ଅଛନ୍ତି ଯେଉଁମାନେ ଏଇଠି ଏସଆଇରୁ ପଦୋନ୍ନତି ପାଇ ଇନ୍ସପେକ୍ଟର ହେଲେଣି। ଆଉ କିଛି ଇନ୍ସପେକ୍ଟରୁ ଏସିପି। ୬ ବର୍ଷ କ’ଣ ୮ରୁ ୧୦ ବର୍ଷ ଧରି କମିସନରେଟ ପୁଲିସରେ କାର୍ଯ୍ୟ କରି ଆସୁଛନ୍ତି। ଏ ଥାନାରୁ ସେ ଥାନା ବଦଳି ହେଉଛି। ଅତି ବେଶୀ ହେଲେ ଭୁବନେଶ୍ବରରୁ କଟକ, ନଚେତ କଟକରୁ ଭୁବନେଶ୍ବର ଏପଟ ସେପଟ ହେଉଛନ୍ତି। ଏକଥା ଆମେ କହୁନାହୁଁ। ଖୋଦ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆଜି ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି।

Advertisment

ବିଧାୟକ ସୁରେଶ କୁମାର ରାଉତରାୟ ଏ ସମ୍ପର୍କରେ ଲିଖିତ ପ୍ରଶ୍ନ କରିଥିଲେ। ତାଙ୍କ ପ୍ରଶ୍ନ ଥିଲା, କମିସନେରଟ ପୁଲିସ ଅଧୀନରେ କେଉଁ କେଉଁ ଅଧିକାରୀମାନେ ତିନି ବର୍ଷରୁ ଅଧିକ ସମୟ ଧରି ଏଠାରେ କାର୍ଯ୍ୟରତ? ସେମାନେ ସମସ୍ତେ ଏବେ କେଉଁ ପଦ ପଦବିରେ ଅଛନ୍ତି? ତିନି ବର୍ଷରୁ ଅଧିକ ସମୟ ରଖିବାରେ ସରକାରଙ୍କ ଉଦ୍ଦେଶ୍ୟ କ’ଣ?

ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ବିଧାୟକ ଶ୍ରୀ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହକୁ ଜଣାଇଥି‌ଲେ କି, କମିସନରେଟ ପୁଲିସ ଅଧୀନରେ ବର୍ତମାନ ୧୩୫ ଜଣ ଅଫିସର ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ। ସେମାନଙ୍କ ମଧ୍ୟରେ ଆଡିସନାଲ ଡିସିପି, ଏସିପି, ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ପ୍ରମୁଖ ଅଛନ୍ତି। ଆଡିସନାଲ ଡିସିପି ରୢାଙ୍କର ଦୁଇ ଜଣ ଅଧିକାରୀ, ୫ ଜଣ ଏସିପି, ୨୧ ଜଣ ଇନ୍ସପେକ୍ଟର, ୨୫ ଜଣ ଏସଆଇ ଓ ୮୧ ଜଣ ଏଏସଆଇ ଅଛନ୍ତି। ପ୍ରଶାସନିକ ଆବଶ୍ୟକତା ତଥା ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସରେ ଏହି ପୁଲିସ ଅଧିକାରୀମାନଙ୍କୁ ୩ ବର୍ଷରୁ ଅଧିକ ସମୟ ଧରି ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ଅବଗତ କରାଇଥିଲେ।

ପ୍ରକାଶଥାଉକି, ଗୋଟିଏ ଜାଗାରେ ପୁଲିସ ଅଧିକାରୀ ଦୀର୍ଘ ସମୟ ଧରି ରହିଲେ ସେମାନଙ୍କ ନାଁରେ ବିଭିନ୍ନ ଅଭିଯୋଗମାନ ଆସିଥାଏ। ସେମାନଙ୍କ କାର୍ଯ୍ୟ କରିବାର ସ୍ବଚ୍ଛତାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଥାଏ।