କର୍ତ୍ତବ୍ୟରତ ହୋମଗାର୍ଡଙ୍କୁ ଓଏପିଏଫ୍‌ଙ୍କ ମାଡ଼ ଅଭିଯୋଗ, ଥାନାରେ ଏତଲା 

ବୈପାରିଗୁଡା: ଥାନାରେ ଡ୍ୟୁଟିରେ ରହିଥିବା ଜଣେ ହୋମଗାର୍ଡଙ୍କୁ ଓଏପିଏଫ୍ (ଓଡ଼ିଶା ଆର୍ମ ପୁଲିସ ଫୋର୍ସ) ଯବାନ ମାଡ଼ ମାରିଥିବା ଭଳି ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ହୋମଗାର୍ଡ। ଅଭିଯୋଗ ଅନୁଯାୟୀ, ଗତକାଲି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାରେ ଅପରାହ୍ନ ପ୍ରାୟ ୧ଟାରେ ଡ୍ୟୁଟି କରୁଥିବା ହୋମଗାର୍ଡ ଶ୍ୟାମ ମାଝୀଙ୍କୁ ଜନୈକ ଆଇଆଇସି ଓଏପିଏଫ୍ ଯବାନ ଗଙ୍ଗାଙ୍କୁ ଡ଼ାକି ଆଣିବା ପାଇଁ ପଠେଇ ଥିଲେ।

ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ହୋମ୍‌ଗାର୍ଡ ଶ୍ୟାମ ମାଝୀ ବ୍ୟାରେକରେ ପହଞ୍ଚି ଗଙ୍ଗାଙ୍କୁ ଡାକିଥିଲେ। ତେବେ ବ୍ୟାରେକରେ ରହିଥିବା ଓଏପିଏଫ୍ ୧୭୬ ନମ୍ବର ଧାରୀ ଏସ୍ ମାଝୀ ନାମକ ଅନ୍ୟ ଜଣେ ଯବାନ ହଠାତ୍ ଶ୍ୟାମକୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଥାନା ହାବିଲଦାର ଘଟଣାସ୍ଥଳରେ ପହଂଚି ହୋମଗାର୍ଡଙ୍କୁ ଉଦ୍ଧାର କରିଥିଲେ। ତେବେ ଯବାନ ଜଣକ ସମସ୍ତଙ୍କ ସମ୍ମୁଖରେ ପୁଣି ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇ ଏତଲା ଦିଆଯାଇଛି। ତେବେ କେଉଁ କାରଣକୁ କେନ୍ଦ୍ର କରି ଥାନା ପରିସରରେ ଏଭଳି ଘଟଣା ଘଟିଛି, ତଦନ୍ତ ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର