ରାଉରକେଲା: ବାସନ୍ତୀକଲୋନିରେ ଜଣେ ଗୃହରକ୍ଷୀ ଆତ୍ମହତ୍ୟା କରିଛନ୍ତି। ମୃତ ଗୃହରକ୍ଷୀ ଜଣକ ହେଲେ ସଞ୍ଜିବ କୁମାର ପଣ୍ଡା (୩୩)। ଉଦିତନଗର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଅପମୃ୍ତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବାସନ୍ତୀ କଲୋନି ଏଫ୍ଇ -୧୩୧ରେ ସଞ୍ଜିବ ଓ ତାଙ୍କ ପରିବାର ରହନ୍ତି। ସେ ଗୃହରକ୍ଷୀରେ କାର୍ଯ୍ୟ କରନ୍ତି। ତାଙ୍କୁ ଜେଲ ସମ୍ମୁଖରେ ଡ୍ୟୁଟି ଦିଆଯାଇଥିଲା। ପତ୍ନୀ ରୂପାଲିଙ୍କ କହିବାନୁଯାୟୀ ତାଙ୍କ ସ୍ବାମୀ ଗତ ୪ ଦିନ ଧରି ଡ୍ୟୁଟି ଯାଉନଥିଲେ।
ଶୁକ୍ରବାର ଗୃହରକ୍ଷୀ ଅଫିସ୍କୁ ତାଙ୍କର ଡ୍ୟୁଟି ସଂକ୍ରାନ୍ତରେ ବୁଝିବାକୁ ଯାଇଥିଲେ। ତାଙ୍କୁ କୌଣସି ଡ୍ୟୁଟି ଦିଆ ନଯିବାରୁ ସେ ଭାଙ୍ଗି ପଡିଥିଲେ। କାହାକୁ କିଛି ନ କହି ଘରକୁ ଫେରି ଆସିଥିଲେ। ଖାଇପିଇ ଭତିରପଟୁ କବାଟ ଦେଇ ଶୋଇଯାଇଥିଲେ। ଯେତେ ଡାକିଥିଲେ ମଧ୍ୟ ଶୁଣି ନଥିଲେ। କବାଟ ବଡାଇଥିଲେ । ମାତ୍ର ତାଙ୍କ ସ୍ବାମୀ କୌଣସି ଉତ୍ତର ଦେଇ ନଥିଲେ। ସନ୍ଦେହ ହେବାରୁ ଅନ୍ୟ ଗୃହରକ୍ଷୀଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ। ଗୃହରକ୍ଷୀମାନେ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ତାଙ୍କ ସ୍ବାମୀ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ରୂପାଲି ତାଙ୍କ ଲିଖିତ ଅଭିଯୋଗରେ ନିବଦେନ କରିଛନ୍ତି। ପୁଲିସ ତାଙ୍କ ଲିଖିତ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)