ଗୃହରକ୍ଷୀମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଡିଜିଙ୍କ ଅନୁମୋଦନକୁ ସରକାର ଚାପି ରଖିଛନ୍ତି

ରାଜ୍ୟ ଗୃହରକ୍ଷୀ ମହାସଂଘର ଅଭିଯୋଗ

ଭୁବନେଶ୍ୱର : ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କର ମହଙ୍ଗାଭତ୍ତା ବୃଦ୍ଧିପାଇଁ ନଷ୍ପତ୍ତି ନେଇ ରାଜକୋଷରୁ ୨୪୦କୋଟି ଟଙ୍କାର ଭରଣା କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିଠାରୁ ଆରମ୍ଭ କରି ନକ୍ସଲ ଦମନ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଗୃହରକ୍ଷୀଙ୍କୁ ଏ କ୍ଷେତ୍ରରେ ଅଣଦେଖା କରି ଚାଲିଛନ୍ତି।

ଗୃହରକ୍ଷୀମାନଙ୍କର ମହଙ୍ଗା ଭତ୍ତାକୁ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିଜି(ଗୃହରକ୍ଷୀ)ଙ୍କର ଅନୁମୋଦନ ରାଜ୍ୟ ସରକାରଙ୍କ ପାଖରେ ପଡ଼ି ରହିଥିଲେ ମଧ୍ୟ କେଉଁ କାରଣରୁ ରାଜ୍ୟ ସରକାର ଏହା ବୃଦ୍ଧି କରୁନାହାନ୍ତି ବୋଲିି ପ୍ରଶ୍ନ ଉଠାଇଛି ରାଜ୍ୟ ଗୃହରକ୍ଷୀ ମହାସଂଘ ।

ସଂଘ ପକ୍ଷରୁ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ମାନ୍ୟବର ସୁପ୍ରିମ୍‌କୋର୍ଟ ଗୃହରକ୍ଷୀମାନଙ୍କୁ ସମକାର୍ଯ୍ୟରତ ନିୟମିତ କର୍ମଚାରୀର ସର୍ବନିମ୍ନ ବେତନ ହାର ସହିତ ମହଙ୍ଗା ଭତ୍ତା ଦେବା ନିମନ୍ତେ ସଷ୍ଟ ନିର୍ଦେଶ ଦେଇଥିଲେ। ଏ ନେଇ ତତ୍‌କାଳୀନ ଡି଼ଜି(ଗୃହରକ୍ଷୀ) ବିନୟ ବେହେରା ଗତବର୍ଷ ନଭେମ୍ବର ୧୦ ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ୧୨୫% ମହଙ୍ଗାଭତ୍ତା ହିସାବରେ ଦୈନିକ ପାରିଶ୍ରମିକ ୨୪୦ଟଙ୍କା ବଦଳରେ ୫୩୩ଟଙ୍କା ହାରରେ ଦେବା ନିମନ୍ତେ ଅନୁମୋଦନ କରିଥିଲେ। ତାଙ୍କ ଏହି ଅନୁମୋଦନପତ୍ରରେ ବିଭିନ୍ନ ରାଜ୍ୟ ସରକାରମାନେ ଗୃହରକ୍ଷୀମାନଙ୍କୁ ମହଙ୍ଗାଭତ୍ତା ଦେଉଥିବାର ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କର ଅନୁମୋଦନପତ୍ରକୁ ଚାପିରଖି ରାଜ୍ୟ ଗୃହରକ୍ଷୀମାନଙ୍କ ପ୍ରତି ଅନ୍ୟାୟ ଓ ଅବିଚାର କରୁଛନ୍ତି ବୋଲି ମହାସଂଘ ଆଇନ ପରାମର୍ଶଦତା ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ କହିଛନ୍ତି ।

ସମ୍ବନ୍ଧିତ ଖବର