ଆନ୍ଧ୍ର ନଜରରେ ରାୟଗଡ଼ା: ବାସ ଓଡ଼ିଶାରେ, ଜୀବିକା ପଡ଼ିଶାରେ

ରାୟଗଡ଼ା: ପାଞ୍ଚ କି ଦଶ ନୁହେଁ, ଆନ୍ଧ୍ର ସୀମାକୁ ଲାଗିଛି ରାୟଗଡ଼ା ଜିଲ୍ଲାର ୬୧ଟି ଗାଁ। ସୀମାନ୍ତରେ ଥିବା ଅଧିକାଂଶ ଗ୍ରାମ ମୌଳିକ ସୁବିଧା ସୁଯୋଗ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ। ମୋବାଇଲ୍ ଟାୱାରଠୁ ଆରମ୍ଭ କରି ଦୈନନ୍ଦିନ ହାଟ ସଉଦା, ଗମନାଗମନ, ମେଡ଼ିକାଲ୍ ସବୁ କିଛି ଆବଶ୍ୟକତା ଆନ୍ଧ୍ର ହିଁ ମେଣ୍ଟାଉଛି। ଫଳରେ ଏହି ସବୁ ଗାଁ ଗୁଡ଼ିକ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ରାଜସ୍ବ ବିଭାଗ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛି।

ଜଗନ୍ନାଥପୁର, ଗୋଠଳପଦର ସର୍କଲର ଅଧିକାଂଶ ଗ୍ରାମରେ ଓଡ଼ିଶାରେ ମୋବାଇଲ୍ ଟାୱାର୍ ନାହିଁ। ପ୍ରାୟ ଗ୍ରାମରେ ଆନ୍ଧ୍ର ନେଟୱର୍କ କାମ କରୁଛି। ଏ ସଂପର୍କରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରୁ ଓଡ଼ିଶାର କୌଣସି ଗାଁରେ ଆନ୍ଧ୍ରର ହସ୍ତକ୍ଷେପ ନଥିବା କହିଛନ୍ତି। ସୀମାନ୍ତ ଗାଁ ଉପରେ ନଜର ରଖିବାକୁ ଜିଲ୍ଲା, ପଞ୍ଚାୟତସ୍ତରୀୟ ଅଧିକାରୀଙ୍କ ସମେତ ଆଶା, ଅଙ୍ଗନବାଡ଼ି, ପିଇଓ, ଆରଆଇଙ୍କୁ ନିର୍ଦେଶ ହୋଇଛି। ପ୍ରତି ସପ୍ତାହରେ ଏହି ଗାଁ ଗୁଡ଼ିକୁ ଜିଲ୍ଲାସ୍ତରୀୟ ଅଧିକାରୀ ପରିଭ୍ରମଣରେ ଯାଉଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି।

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପରେ ଆନ୍ଧ୍ର ସୀମାନ୍ତରେ ଥିବା ଅନ୍ୟ ଜିଲ୍ଲାର ସମସ୍ତ ଗ୍ରାମ ଗୁଡ଼ିକ ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିବା ସହ ସୀମାନ୍ତ ଗାଁ ଗୁଡ଼ିକ ଉପରେ କଡା ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି। ରାମନାଗୁଡ଼ା ତହସିଲର ଲାଉଗୁଡ଼ା ଗ୍ରାମରେ ଆନ୍ଧ୍ରର ଦବଦବା ଥିବା ନଜରକୁ ଆସିବା ପରେ ଗୁଣପୁର ଉପଜିଲ୍ଲାପାଳ ସୋନାଲ୍ ଜେନା ରାମନାଗୁଡ଼ା ତହସିଲଦାର ଜୟଶ୍ରୀ ମଲ୍ଳିକଙ୍କୁ ରିପୋର୍ଟ ତଲବ କରିଛନ୍ତି। ୩ ଦିନ ଭିତରେ ସ୍ଥିତି ଅନୁଧ୍ୟାନ କରି ତହସିଲଦାର ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଲାଉଗୁଡ଼ା ଗ୍ରାମରୁ ୨୫ ମିଟର ଦୂରରେ ଆନ୍ଧ୍ରର କେଦାରପୁର ପଞ୍ଚାୟତ ରହିଛି।

ଆସନ୍ତା ୧୬ ତାରିଖରେ କେଦାରପୁରରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆନ୍ଧ୍ରର ଗୁମ୍ମାଲକ୍ଷ୍ମୀପୁରମ୍ ମଣ୍ଡଳ ଅଧୀନରେ ଥିବା କେଦାରପୁରର ୯୦ ପ୍ରତିଶତ ଲୋକ ଓଡ଼ିଆ। ସେହିପରି ରାମନାଗୁଡ଼ା ତହସିଲର ସୁଲୁକି, ସୁଲୁଡ଼ି, କାଟିକି ପ୍ରଭୃତି ଗ୍ରାମ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି। ଯାହାର ଦୂରତା ଉଭୟ ରାଜ୍ୟର ସୀମା ମଧ୍ୟରେ ୫ରୁ ୧୦ ମିଟର। ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଚାଲିଥିବାରୁ ସୀମାନ୍ତ ଗାଁ ଗୁଡ଼ିକ ଉପରେ ଆନ୍ଧ୍ର ନଜର ପକାଇବା ସହ ସରକାରୀ ଯୋଜନାର ପ୍ରଲୋଭନ ଦେଖାଇ ଭୋଟ ହାତେଇପାରେ। ସରକାରୀ ଭାବେ ଏହି ଗାଁ ଗୁଡ଼ିକ ସୀମା ବିବାଦୀୟ ହୋଇନଥିଲେ ମଧ୍ୟ ଉଭୟ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ପାଇବାକୁ ଭୋଟର ଭିତିରିଆ ଭାବେ କିଛି ବି କରିପାରନ୍ତି।

ରାଜସ୍ବ ବିଭାଗ ସର୍ଭେ ଅନୁଯାୟୀ, ରାୟଗଡ଼ା ଜିଲ୍ଲାର ୪ ତହସିଲ ରାୟଗଡ଼ା, ଗୁଣପୁର, ରାମନାଗୁଡ଼ା, କୋଲନରା ଅଧୀନରେ ୬୧ଟି ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି। ରାୟଗଡ଼ା ତହସିଲ ଅଧୀନରେ ସର୍ବାଧିକ ୩୬ ଗାଁ ଆନ୍ଧ୍ର ସୀମାନ୍ତରେ ରହିଛି। ଗାଜିଗାଁ ସର୍କଲର ୫ଟି, ଜେମାଦେଇପେଣ୍ଠ ରାଜସ୍ବ ସର୍କଲର ୮ଟି ଏବଂ କାରୁବାଇ ରାଜସ୍ବ ସର୍କଲର ୨୩ଟି ଗାଁ ଆନ୍ଧ୍ରକୁ ଲାଗିଛି। ଏହି ୩ ପଞ୍ଚାୟତର ଅଧିକାଂଶ ଗ୍ରାମ ଦୁର୍ଗମ ଅଞ୍ଚଳରେ ରହିଛି। କିଛି ଗାଁ ପାଇଁ ନାଗାବଳୀ ନଦୀ ଦୁଃଖ ପାଲଟିଥିବା ବେଳେ କିଛି ଗାଁରେ ବିଜୁଳି ଆଲୁଅ ସାତ ସପନ ପାଲଟିଛି। ବିଶେଷ କରି ମୋବାଇଲ୍ ଟାୱାର୍, ପକ୍କା ସଡ଼କ ନଥିବାରୁ ପାହାଡ଼ିଆ ରାସ୍ତା ଦେଇ ଆନ୍ଧ୍ରର ବିଭିନ୍ନ ଗାଁକୁ ଯାଇ ଲୋକମାନେ ହାଟ ସଉଦା କରୁଛନ୍ତି। ସେହିପରି କୋଲନରା ତହସିଲ ରେଖାପଦର ରାଜସ୍ବ ସର୍କଲର ୨ଟି, ରାମନାଗୁଡ଼ା ତହସିଲ ଗୋଗୁପାଡ଼ୁ ରାଜସ୍ବ ସର୍କଲର ୫ଟି, ଗାରଣ୍ଡା ରାଜସ୍ବ ସର୍କଲର ୩ଟି, ଗୁଣପୁର ତହସିଲ ଜଗନ୍ନାଥପୁର ରାଜସ୍ବ ସର୍କଲର ୪ଟି, ଗୋଠଳପଦର ରାଜସ୍ବ ସର୍କଲର ୧୧ଟି ଗ୍ରାମ ଆନ୍ଧ୍ରକୁ ଲାଗିଛି।

ସମ୍ବନ୍ଧିତ ଖବର