ରାଉରକେଲା/ନୂଆଗାଁ: ସ୍ବାଧୀନତାର ୭୭ ବର୍ଷ ପରେ ବି ଅପହଞ୍ଚ ମୌଳିକ ସୁବିଧା। ଯେଉଁଠି ଶୋଷ ମେଣ୍ଟାଇବା ପାଇଁ ପାଣି ଟୋପାଏ ଆଣିବାକୁ ନିଜ ରାଜ୍ୟ ଛାଡ଼ି ଯିବାକୁ ପଡ଼ୁଛି ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟକୁ। ଦିନରେ ପାଣି ନେବାକୁ ଗଲେ ସେଠାକାର ଯୁବକମାନେ ମାଡ଼ ମାରି ତଡ଼ି ଦେଉଥିବାରୁ ଭୋର୍‌ ୪ଟାରୁ ପାଣି ଚୋରି କରି ଆଣିବାକୁ ବାଧ୍ୟ ହୋଇଥାନ୍ତି ଓଡ଼ିଶାର ଏହି ସୀମାନ୍ତବର୍ତ୍ତୀ ଗାଁ ଲୋକେ। ହେଲେ ଏହି ପାଣି ଆଣିବା କାମ ବି ଏତେ ସହଜ ନଥାଏ। ସିନ୍ଦୂରା ଫାଟିବା ପୂର୍ବରୁ ନିଛାଟିଆ ଅନ୍ଧାର ରାତିରେ ହାତରେ ଗରା, ବାଲ୍‌ତି ଓ ଡେକ୍‌ଚି ଧରି ଝାଡ଼ଖଣ୍ଡ ସୀମା‌‌ଡ଼େଗା ଜିଲ୍ଲା ହୃଦା ଗାଁରେ ଥିବା ନଳକୂପରେ ପହଞ୍ଚନ୍ତି। ଝାଡ଼ଖଣ୍ଡ ଲୋକ ବିଛଣାରୁ ଉଠିବା ପୂର୍ବରୁ ଚୁପ୍‌ଚାପ୍‌ ନଳକୂପରୂ ପାଣି ଭରି ପୁଣି ନିଜ ବସ୍ତିକୁ ଫେରି ଆସନ୍ତି। ବର୍ଷବର୍ଷ ଧରି ଏଭଳି ଦୟନୀୟ ଜୀବନ ଅତିବାହିତ କରୁଥିବା ବସ୍ତିବାସିନ୍ଦାଙ୍କ ଦୁଃଖ କିନ୍ତୁ କେବେ ସ୍ଥାନୀୟ ପ୍ରଶାସନ ଆଖିରେ ପଡ଼ି ନାହିଁ। ଏମିତି ଅଭିଶପ୍ତ ବସ୍ତି ରହିଛି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଚିତାପେଡ଼ି ପଞ୍ଚାୟତର ପାନିଆସାଲ୍‌ ଗାଁରେ।

Advertisment

ଗାଁର ଓରାମ ବସ୍ତିରେ ୧୫୦ରୁ ଅଧିକ ଲୋକ ବାସ କରନ୍ତି। ବସ୍ତିବାସିନ୍ଦାଙ୍କ ପ୍ରମୁଖ ସମସ୍ୟା ହେଲା ପାନୀୟ ଜଳ। ବହୁ ଦିନର ଦାବି ପରେ ପଞ୍ଚାୟତ ପକ୍ଷରୁ ଏକ ନଳକୂପ ବସିଥିଲା। ତାହା ଏବେ ଅଚଳ ହୋଇପଡ଼ିଛି। କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ କିଛି ପରିବାର ବସ୍ତି ନିକଟ ପାହାଡ଼ ପାଦଦେଶ ଜଙ୍ଗଲୀ ନାଳରେ ଚୁଆ (ବାଲି କୂପ) ଖୋଳି ସେଥିରୁ ପାଣି ସଂଗ୍ରହ କରୁଛନ୍ତି। ଚୁଆରେ ପାଣି ସରିଗଲେ ମାଡ଼ ଭୟରେ ପ‌ଡ଼ୋଶୀ ଝାଡ଼ଖଣ୍ଡର ଗ୍ରାମକୁ ନଯାଇ କିଛି ପରିବାର ପାହାଡ଼ ଚଢ଼ି ଅନ୍ୟ ଗ୍ରାମକୁ ପାଣି ଆଣିବାକୁ ଯାଉଛନ୍ତି। ବିକଳ୍ପ ବ୍ୟବସ୍ଥା ନଥିବାରୁ କିନ୍ତୁ ଅଧିକାଂଶ ପରିବାର ସୀମା ଆରପଟେ ଥିବା ଝାଡ଼ଖଣ୍ଡର ଗାଁକୁ ଯିବାକୁ ବାଧ୍ୟ ହେଉଛନ୍ତି। ଖରାଦିନେ ଏହି ବସ୍ତିରେ ଜଳ ସଙ୍କଟ ଯୋଗୁଁ ଜୀବନଧାରଣ ସଙ୍ଗିନ ହୋଇପଡ଼େ। ବସ୍ତିରେ କେବଳ ପାନୀୟ ଜଳ ସମସ୍ୟା ନୁହେଁ, ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନାହିଁ। ଥରେ ବଜୁଳି କଟିଗଲେ, ୩/୪ ମାସ ପରେ ଆସେ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତର ଏସବୁ ବସ୍ତିର ସମସ୍ୟା ସମ୍ପର୍କରେ ନୂଆଗାଁ ଏବିଡିଓ ସମରେନ୍ଦ୍ର ସରଙ୍କୁ ପଚାରିବାରୁ ସେ କହିଛନ୍ତି ଏମିତି ସମସ୍ୟା ଆମ ନଜରରେ ରହିଛି। ଖୁବ୍‌ଶୀଘ୍ର ସମାଧାନ କରିବାକୁ ପ୍ରୟାସ କରୁଛୁ।