ଭୁବନେଶ୍ୱର: ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି | ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି | ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଏହାର ମୁକାବିଲା ପାଇଁ ଏବେ ଓଡ଼ିଶା ସରକାର ଏକ ନୂଆ କୋଭିଡ ପରିଚାଳନା ରଣନୀତି ଆରମ୍ଭ କରିବାକୁ ଯାଉଛନ୍ତି | ଯେଉଁ କରୋନା ଆକ୍ରନ୍ତଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଥିବ ଅଥବା ଲକ୍ଷଣ ପ୍ରକ‌ାଶ ପାଉ ନଥିବ ସେମାନେ ଏବେ ନିଜ ଘରେ ସମସ୍ତ ନିୟମ ମାନି ଆଇସୋଲେସନରେ ରହି ପାରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ | ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକ‌ାଶ କରିଛନ୍ତି ମୁଖ୍ୟ ଶାସନ ସଚିବ।

Advertisment

publive-image

ତାଙ୍କ କହିବା ମୁତାବକ, ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଗୁରୁତର ଯତ୍ନ ସୁବିଧା ଦେବାର ଆବଶ୍ୟକତା ନାହିଁ ବୋଲି ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିସାରିଛି | ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ଆଇସୋଲେସନରେ ରହି ଏବଂ ନିଜର ସଠିକ ଯତ୍ନ ନେଇ କରୋନାରୁ ମୁକ୍ତ ହୋଇପାରିବେ | ଯଦି ଏମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ, ତେବେ ଦରକାର ଥିବା କରୋନା ରୋଗୀଙ୍କୁ ସଠିକ ଚିକିତ୍ସା ଯୋଗାଇ ଦେବାରୋ ସମସ୍ୟା ଉପୁଜିବ | ଆମ ପାଖରେ ଥିବା ସମ୍ବଳର ସଠିକ ବିନିଯୋଗ କରିବାକୁ ଯାଇ ଏବେ ଆମେ ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ହୋମ୍ ଆଇସୋଲେସନ ପାଇଁ ଅନୁମତି ଦେବୁ | ଏହି ସୁବିଧା ପ୍ରଥମେ ସହରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟ / ବ୍ଲକ ମୁଖ୍ୟାଳୟରେ ଦିଆଯିବା | ଏ ନେଇ ରାଜ୍ୟ ସରକାରଙ୍କ ନିକଟକୁ ବହୁ ଅନୁ‌ରୋଧ ଆସିଥିଲା ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ।

କିଛି ଲୋକ ଘରଠାରୁ ଦୂରରେ ରହିବା ଭୟରେ କରୋନା ଲକ୍ଷଣକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଘଟଣା ସରକାରଙ୍କ ନଜରକୁ ଆସିଛି | ହୋମ ଆଇସୋଲେସନର ସୁବିଧା ମିଳିବା ଦ୍ୱାରା ଲୋକେ ନିଜ ପରିବାର ଲୋକଙ୍କ ପାଖରେ ରହି ଖୁବ ଶୀଘ୍ର ସୁସ୍ଥ ହୋଇପାରିବେ | କେବଳ ୧୧୪ଟି ସହରାଞ୍ଚଳର ସ୍ଥାନୀୟ ସଂସ୍ଥା, ଜିଲ୍ଲା ମୁଖ୍ୟାଳୟ, ଉପ-ବିଭାଗୀୟ ସହର ଏବଂ ବ୍ଲକ୍ ମୁଖ୍ୟାଳୟ ସମେତ ପ୍ରଥମ ପର୍ଯ୍ୟାୟରେ ହୋମ ଆଇସୋଲେସନ ପ୍ରଯୁଜ୍ୟ ହେବ ବୋଲି ସେ କହିଛନ୍ତି।