ରାଉରକେଲା: ସହରକୁ ସବୁଜସୁନ୍ଦର ସହର କରିବାକୁ ପ୍ରୟାସ ଜାରି ରହିଛି। କିନ୍ତୁ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ମାଡ଼ି ବସୁଛନ୍ତି ଜବରଦଖଲକାରୀ। ରାତାରାତି ଗଛକାଟି ଛିଡା କରି ଦେଉଛନ୍ତି ଗୋଟିଏ ପରେ ଗୋଟିଏ ଘର। ବର୍ଷ ବର୍ଷ ଧରି ଚାଲିଛି ଏଭଳି ବେଆଇନ କାମ। ଛେଣ୍ଡ ହନୁମାନ ମନ୍ଦିର ପାହାଡ଼ ଆରମ୍ଭରୁ ସେକ୍ଟର-୨୧ ନୟାବଜାର ପର୍ଯ୍ୟନ୍ତ ପାହାଡର ଉଭୟ ପାର୍ଶ୍ବରେ ଗତ ୩/୪ ବର୍ଷ ତଳେ ଯେତିକି ଘର ନିର୍ମାଣ ହୋଇଥିଲା। ଏବେ ତା’ର ୫ ଗୁଣ ଘର ନିର୍ମାଣ ହୋଇସାରିଲାଣି। ଛେଣ୍ଡ ହନୁମାନ ମନ୍ଦିର ନିକଟ ପାହାଡ ପାର୍ଶ୍ବରେ ଉଭୟ ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ଦାଗିଦ୍‌କୁ ବେଖାତିର କିଛି ଘର ନିର୍ମାଣ ହୋଇ ସାରିଛି।

Advertisment

ରାଉରକେଲା ଜିଲ୍ଳା ଓ ବନ ବିଭାଗ ଏମାନଙ୍କ ବିରୋଧରେ କୌଣସି ଦୃ୍ଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ସେମାନେ ଏହାର ଭରଫୁର ଫାଇଦା ଉଠାଉଛି। ଫଳରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଚାରାରୋପଣ କରି ସବୁଜିମା ସୃଷ୍ଟି କରାଯାଉଛି। ଅଧ ରାତିରେ ବଡ ବଡ ମୂଲ୍ୟବାନ ଗଛଗୁଡ଼ିକୁ ପାହାଡ଼କୁ ଲଣ୍ଡା କରି ଦିଆଯାଉଛି। ବନବିଭାଗ ପକ୍ଷରୁ ଗଠିତ ଏନ୍‌ଫୋର୍ସମେଣ୍ଟ ଟିମ୍ ଏଥିପ୍ରତି ଯେତିକି ଧ୍ୟାନ ଦେବା କଥା, ତା’ ହେଉନାହିଁ। ବାସନ୍ତୀକଲୋନି, ଲେବରଟେନାମେଣ୍ଟ, ନୟାବଜାର, ସେକ୍ଟର-୬ ନିକଟ ବସ୍ତି ସମେତ ଉଭୟ ପାର୍ଶ୍ବରେ ଶହ ଶହ ବସ୍ତି ଗଢ଼ି ଉଠିଛି। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ, ଏଥି‌ରେ ଦ୍ବିମତ ନାହିଁ। ସ୍ମାର୍ଟସିଟିର ପରିବେଶକୁ ରକ୍ଷା କରିବାକୁ ହେଲେ ଦୁର୍ଗାପୁର ପାହାଡକୁ ସବୁଜିମା କରିବାର ଆବଶ୍ୟକତା ରହିଛି। କିଛି ଜବରଦଖଲକାରୀ ଓ ଦଲାଲ ଯୋଗୁଁ ସବୁଜିମା ଦୁର୍ଗାପୁର ପାହାଡ ଦିନକୁ ଦିନ ଲଣ୍ଡା ହେବାକୁ ବସୁଛି। ତୁରନ୍ତ ବେଆଇନ ଘର ନିର୍ମାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହରବାସୀଙ୍କ ପକ୍ଷରୁ ଦାବି‌ ହେଉଛି।