ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅମିତ ଶାହ; କରିବେ ରୁଦ୍ଧ ଦ୍ୱାର ବୈଠକ, ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବର: କଟକରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସିଧାସଳଖ ଭୁବନେଶ୍ୱର ଫେରି ଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏଠାରେ ମଧ୍ୟାହ୍ନ ଭୋଜନ କରିବା ସହିତ ରାଜ୍ୟ ବିଜେପିର ତୁଙ୍ଗ ନେତୃତ୍ୱଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବା କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ସେ ରାଜ୍ୟ ବିଜେପିର ପଦାଧିକାରୀ ଏବଂ କୋର କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିବେ। ଏଥି ସହିତ ସଂଗଠନକୁ ମଜବୁତ କରିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ବିଜେପି କାର୍ଯ୍ୟାଳୟରେ ‌ଦଳୀୟ ବୈଠକ ଶେଷ ହେବା ପରେ ଅମିତ ଶାହ ହୋଟେଲ ମେ ଫେୟାରକୁ ଯିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଆଜି ଅମିତ ଶାହ କଟକର ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଖବରକାଗଜ ‘ପ୍ରଜାତନ୍ତ୍ର’ର କାର୍ଯ୍ୟକ୍ରମରେ କହିଥିଲେ ଯେ, ଆଗାମୀ ଦିନରେ ଓଡ଼ିଶାର ଉଜ୍ଜ୍ବଳ ଭବିଷ୍ୟତ ମୁଁ ଦେଖୁଛି। ଏବେ ଓଡ଼ିଶାରେ ଅଚ୍ଛେ ଦିନ୍ ଆସିଛି। ଦୈନିକ ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ଉଦଘାଟକ ଭାବେ ଯୋଗ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଅଚ୍ଛେ ଦିନ୍ ଆସିଛି ବୋଲି କହିବାର କାରଣ ହେଲା ସାଧାରଣ ଗରିବ ଆଦିବାସୀ ପରିବାରର ମହିଳା ଦ୍ରୌପଦୀ ମୁର୍ମୁ ଆଜି ଭାରତର ରାଷ୍ଟ୍ରପତି ହୋଇଛନ୍ତି। ଏହା ସାରା ଦେଶର ଆଦିବାସୀମାନଙ୍କ ଲାଗି ଗର୍ବ ଓ ଗୌରବର ବିଷୟ। ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ବର ଟୁଡୁ କେନ୍ଦ୍ରମନ୍ତ୍ରୀ ବନିଛନ୍ତି। ଓଡ଼ିଶାର ବିଶ୍ବଭୂଷଣ ହରିଚନ୍ଦନ ରାଜ୍ୟପାଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନକାଳରେ ଓଡ଼ିଶାକୁ ଯେଉଁଭଳି ପ୍ରତିନିଧିତ୍ବ ମିଳିଛି, ତାହା ଆଗରୁ କେବେ ମିଳି ନାହିଁ। ଓଡ଼ିଶାରେ ବିକାଶର ଅପାର ସମ୍ଭାବନା ରହିଛି। ପୂରା ଓଡ଼ିଶା ଖଣିଜ ସଂପଦରେ ଭରପୂର ରହିଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ବିକାଶ କାମକୁ ଆଗେଇ ନେଉଛନ୍ତି। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ଅମିତ ଶାହ କହିଛନ୍ତି ଯେବେ ବି ମୁଁ ଓଡ଼ିଶା ଆସେ, ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଏ।

 

ସମ୍ବନ୍ଧିତ ଖବର