ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପଣସପୁଟ, ଧୂଳିପୁଟ ଓ ଯନ୍ତ୍ରୀ ପଞ୍ଚାୟତ ସୀମାକୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଲାଗିଛି। ସୀମାନ୍ତରେ ଅବସ୍ଥିତ ଓଡ଼ିଶାର ଗାଁକୁ ନିଜ ଅକ୍ତିଆରକୁ ନେଇ କ୍ଷେତ୍ର ବିସ୍ତାର କରିବାକୁ ଆନ୍ଧ୍ର ପ୍ରୟାସ ଜାରି ରଖିଛି। ଅନ୍ୟପଟେ ଓଡ଼ିଶାର ସୀମାନ୍ତ ଗାଁଗୁଡ଼ିକରେ ଆଜି ମଧ୍ୟ ବିକାଶ ଅପହଞ୍ଚ। ତେଣୁ ଜୀବନ ସହ ଜୀବିକା ପାଇଁ ଆନ୍ଧ୍ର ଉପରେ ବର୍ଷ ତମାମ ସୀମାନ୍ତ ଗ୍ରାମବାସୀ ନିର୍ଭର କରୁଛନ୍ତି। ଯାହାର ଗୋଟିଏ ନମୁନା ହେଲା ପଣସପୁଟ ପଞ୍ଚାୟତର ତବଲାଗୁଡ଼ା ଗାଁ।
ଉପରୋକ୍ତ ଗାଁରେ ପରଜା ସଂପ୍ରଦାୟର ପ୍ରାୟ ୩୦ ପରିବାର ବସବାସ କରୁଛନ୍ତି। ପଡ଼ୋଶୀ ରାଜ୍ୟ ସୀମାକୁ ଲାଗି ଗାଁ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଲୋକେ ଆନ୍ଧ୍ର ଉପରେ ନିର୍ଭରଶୀଳ। ଏପରିକି ଦିଆସିଲି ଖଣ୍ଡିଏ ପାଇଁ ଆନ୍ଧ୍ରକୁ ଯାଉଛନ୍ତି। ଆନ୍ଧ୍ର ସରକାର ବହୁବର୍ଷ ହେଲା ଏହି ଗାଁ ଉପରେ ନଜର ରଖିଛନ୍ତି। ପୂର୍ବରୁ ମାଗଣାରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ଅନ୍ୟ ସେବା ଯୋଗାଇବାକୁ ମଧ୍ୟ ପ୍ରୟାସ କରିଥିଲେ। ଯାହା ସମ୍ଭବ ହୋଇନଥିଲା। ପଣସପୁଟ ପଞ୍ଚାୟତ ସଦରଠାରୁ ଗାଁର ଅବସ୍ଥିତି ୭କିମି ହୋଇଥିଲା ବେଳେ ଆନ୍ଧ୍ରର ଏଏସ୍ଆର୍ ଜିଲ୍ଲାର ଗଙ୍ଗାପୁଟ ପଞ୍ଚାୟତ ଠାରୁ ମାତ୍ର ୫୦୦ମିଟର ଦୂରରେ ରହିଛି। ତେଣୁ କାମ ଥିଲେ ପଣସପୁଟ ଯାଉଛନ୍ତି, ନଚେତ ଗଙ୍ଗାପୁଟ ପଞ୍ଚାୟତକୁ ଅଧିକାଂଶ ସମୟରେ ଯାଉଛନ୍ତି।
ଗାଁରେ ବିଦ୍ୟାଳୟ କିମ୍ବା ଅଙ୍ଗନବାଡି କେନ୍ଦ୍ର ନାହିଁ। ଏଥିପାଇଁ ୪କିମି ଦୂର କୁସୁମପୁଟ ବିଦ୍ୟାଳୟରେ ପିଲା ନାମ ଲେଖାଇଛନ୍ତି। ତେବେ ଦୂରତା ଯୋଗୁ ନିୟମିତ ସ୍କୁଲ ଯାଉନଥିବା ଜଣାପଡ଼ିଛି। ଅଧିକାଂଶ ଲୋକ ଓଡ଼ିଆ ଏବଂ ଆଦିବାସୀ ଭାଷା ଜାଣିଥିଲେ ସୁଦ୍ଧା ତେଲୁଗୁ କହିବାକୁ ପସନ୍ଦ କରୁଛନ୍ତି। ଏପରିକି ପିଲାଙ୍କୁ ଓଡ଼ିଆରେ ପ୍ରଶ୍ନ କଲେ ତେଲୁଗୁରେ ଉତ୍ତର ମିଳୁଛି। ସେହିପରି ଗ୍ରାମବାସୀଙ୍କୁ ଆନ୍ଧ୍ରରେ ମୂଲ ଲଗାବାକୁ କାମ ମିଳୁଥିବା କହିଛନ୍ତି। ସରକାର ଗାଁ ନିକଟରେ ରହିଥିବା ନଦୀରେ ପୋଲ ନିର୍ମାଣ କରିଛନ୍ତି। ଯାହା ଆନ୍ଧ୍ର ଏବଂ ଓଡ଼ିଶାକୁ ଦୁଇଭାଗ କରିଛି। ପୋଲ ଅତିକ୍ରମ କଲେ ଆନ୍ଧ୍ର ସୀମା ଆରମ୍ଭ ହେଉଥିବାରୁ ଓଡ଼ିଶା ବଦଳରେ ଆନ୍ଧ୍ର ଉପରେ ନିର୍ଭରଶୀଳତା ଲୋକଙ୍କର ବଢ଼ିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ଓଡ଼ିଶା ପକ୍ଷରୁ ଯୋଗାଇ ଦିଆଯାଇନି। ବହୁ ଲୋକ ଆବାସ ଯୋଜନା ଏବଂ ଭତ୍ତାରୁ ବଞ୍ଚିତ ରହିଛନ୍ତି। ଯଦି ପ୍ରଶାସନ ଏଥିପ୍ରତି ନଜର ନଦିଏ ଲୋକେ ଆନ୍ଧ୍ର ଆଡ଼କୁ ଢଳିବା ନିଶ୍ଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/21/sfhsfhhsf-2025-07-21-01-53-53.jpg)