ରାଜ୍ୟରେ କେମିତି ଚାଲିଛି ହୋମ୍‌ କ୍ବାରାଣ୍ଟିନ୍‌? ନିଜର ଅନୁଭୂତି ବାଣ୍ଟିଲେ ଆଇନ ବିଶ୍ବବିଦ୍ୟାଳୟ ଅଧ୍ୟାପକ

କଟକ : କ୍ବାରାଣ୍ଟିନ୍‌ କେନ୍ଦ୍ରରେ ପ୍ରବାସୀମାନଙ୍କ ପାଇଁ କିଭଳି ବ୍ୟବସ୍ଥା କରାଯାଇଛି, ସେ ସମ୍ପର୍କରେ ନିୟମିତ ଭାବେ ଖବର ପ୍ରକାଶ ପାଉଛି। ହାତଗଣତି କିଛି ଖରାପ ଘଟଣା ସତ୍ତ୍ବେ ରାଜ୍ୟ ସରକାରଙ୍କ କୋଭିଡ-୧୯କୁ ମୁକାବିଲା କରିବା ପାଇଁ କରିଥିବା ଏହି ବ୍ୟବସ୍ଥାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ତେବେ, ଯେଉଁମାନେ ହୋମ୍‌ କ୍ବାରାଣ୍ଟିନ୍‌ରେ ରହୁଛନ୍ତି ପ୍ରକୃତରେ ସେମାନଙ୍କୁ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ସଠିକ୍‌ ଭାବେ ତଦାରଖ କରୁଛନ୍ତି କି ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ରହିଛି। ତେବେ, ଏ ସମ୍ପର୍କରେ ଥିବା ଅନୁଭୂତି ବାଣ୍ଟି ହୋମ୍ କ୍ବାରାଣ୍ଟିନ୍‌ର ଏକ ଚିତ୍ର ଦେଇଛନ୍ତି କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ (ଏନ୍‌ଏଲ୍‌ୟୁ) ଅଧ୍ୟାପକ ଡକ୍ଟର ରଂଗିନ ପଲ୍ଲଭ ତ୍ରିପାଠୀ। ବିଶେଷକରି, ଡିଜିଟାଲ ଡାଟାବେସ୍‌ ବିଦେଶ ଫେରନ୍ତା ପ୍ରବାସୀଙ୍କ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ତ୍ରିପାଠୀ ଯୁକ୍ତରାଷ୍ଟ୍ର ଆମେରିକାର ହାଭାର୍ଡ ଲ’ କଲେଜର ରିସର୍ଚ୍ଚ କାମ ସାରି ମାର୍ଚ୍ଚ ୧୭ରେ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ। ଏପ୍ରିଲ୍‌ ୧ ତାରିଖ ଯାଏ ସେ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିଥିଲେ। ଶ୍ରୀ ତ୍ରିପାଠୀ କୁହନ୍ତି ଯେ, ‘ ଯୁକ୍ତରାଷ୍ଟ୍ର ଓ ଭାରତରେ ସେତେବେଳେ କରୋନାର ପ୍ରଭାବ ଅଧିକ ନଥିବାରୁ ବିଦେଶ ଫେରନ୍ତାଙ୍କୁ ନେଇ ‌ବିଶେଷ ଗୁରୁତ୍ବ ଦିଆଯାଉନଥିଲା କି ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ନଥିଲା। ମାତ୍ର ଯାତ୍ରା ଆରମ୍ଭ କରିବା ଠାରୁ ଘରେ ପହଞ୍ଚିବା ପର୍ଯ୍ୟନ୍ତ ମୁଁ ମାସ୍କର ବ୍ୟବହାର କରିଥିଲି। ସେହି ସମୟରେ କେବଳ ଚୀନ୍‌, ଇଟାଲି, ଦକ୍ଷିଣ କୋରିଆ ଓ ୟୁରୋପ ଦେଶରୁ ଆସୁଥିବା ଭାରତୀୟଙ୍କ କରୋନା ପରୀକ୍ଷା କରାଯାଉଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ସେଠାରେ ମୋ ଶରୀରର ତାପମାତ୍ରାକୁ ପରୀକ୍ଷା କରିବା ସହିତ ଥଣ୍ଡା ଓ ଜ୍ବରର ଲକ୍ଷଣକୁ ପରୀକ୍ଷା କରି ଭୁବନେଶ୍ବରକୁ ଛଡ଼ା ଯାଇଥିଲା।’

କଟକରେ ୧୭ ତାରିଖ ରାତିରେ ପହଞ୍ଚି ଶ୍ରୀ ତ୍ରିପାଠୀ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ୧୦୪ ନମ୍ବରକୁ ଡାଏଲ୍‌ କରି ‌ନାମ ପଞ୍ଜୀକରଣ କରିଥିଲେ। କିନ୍ତୁ, ପଞ୍ଜୀକରଣ କରିବାର ୧୭ ଘଣ୍ଟାପରେ ଯାଇ ତାଙ୍କ ମୋବାଇଲକୁ ନାମ ପଞ୍ଜୀକରଣ କରାଯାଇ ଥିବାର ମେସେଜ୍‌ ଆସିଥିଲା। କେବଳ ସେତିକ ନୁହେଁ, ସେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟମରେ ତାଙ୍କ ସହିତ କୌଣସି ସ୍ଥାନୀୟ ପ୍ରଶାସନ ଯୋଗାଯୋଗ କରିନଥିଲେ। ତେବେ, ଏହା ପରଠାରୁ ପ୍ରତିଦିନ ଦିନକୁ ୨ରୁ ୩ଥର ଫୋନ୍‌ କଲ୍‌ ଆସୁଥିଲା। ପ୍ରତିଥର ଫୋନ୍‌ରେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚରାଯିବା ସହିତ ଘରେ ସଂଗରୋଧରେ ରହିବାକୁ ଉତ୍ସାହିତ କରାଯାଉଥିଲା। ହୋମ୍‌ କ୍ବା‌ରାଣ୍ଟିନ୍‌ ସମୟ ଏପ୍ରିଲ ୧ ତାରିଖରେ ଶେଷ ହୋଇଥିଲେ ବି ଏପ୍ରିଲ ୧୪ ପର୍ଯ୍ୟନ୍ତ ଅର୍ଥାତ ୨୮ ଦିନ ଧରି ତାଙ୍କ ନିକଟକୁ ଫୋନ୍‌ କଲ୍ ଆସୁଥିଲା ବୋଲି କୁହନ୍ତି ଶ୍ରୀ ତ୍ରିପାଠୀ। ଶ୍ରୀ ତ୍ରିପାଠୀଙ୍କ ମତରେ, ‘ ରାଜ୍ୟ ସରକାରଙ୍କର ଏହି ପ୍ରୟାସ ପ୍ରାୟତଃ ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳିନଥିଲା। ଅନ୍ୟ ରାଜ୍ୟରେ ମୋର କିଛି ସାଙ୍ଗ ହୋମ୍ କ୍ବାରାଣ୍ଟିନ୍‌ରେ ରହୁଥିବାବେଳେ ସେମାନଙ୍କ ନିକଟକୁ ୪ ଦିନରେ ଥରେ ଫୋନ୍‌ କଲ୍‌ ଆସୁଥିଲା। ଏମିତିବି ଦିଲ୍ଲୀଠାରେ ହୋମ୍‌ କ୍ବାରାଣ୍ଟିନ୍‌ରେ ରହୁଥିବା ମୋର ଜଣେ ସାଙ୍ଗ ତାଙ୍କ ସହିତ କେବେ ଯୋଗାଯୋଗ ହୋଇନଥିବ‌ା ବି କହିଥିଲେ। ’

‌େତବେ, ଏଥିରେ ଡିଜିଟାଲ ପ୍ଲାଟ୍‌ଫର୍ମ ଓ ଅନ୍‌ଲାଇନ୍‌ ପଞ୍ଜୀକରଣର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କୁହନ୍ତି ଶ୍ରୀ ତ୍ରପାଠୀ । ତାଙ୍କ ମତରେ , ‘ ଜଣେ ବିଦେଶୀ ଫେରନ୍ତାଙ୍କ ଅନ୍‌ଲାଇନ୍‌ ତଥ୍ୟ ନିହାତି ଜରୁରି। ଯାହାକୁ ଭିତ୍ତିକରି ଓଡ଼ିଶା ସରକାର ମାର୍ଚ୍ଚ ୨୨ ତାରିଖରେ ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ମାତ୍ର, କେନ୍ଦ୍ର ସରକାର ଏ ସମ୍ପର୍କରେ ଚିନ୍ତା ନକରି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଦେଲେ।’

ହୋମ୍‌ କ୍ବାରାଣ୍ଟିନ୍‌ରେ ଥିଲାବେଳେ ପରିସ୍ଥିତିକୁ ସେ କିଭଳି ସାମ୍‌ନା କରିଥିଲେ ସେ ସମ୍ପର୍କରେ ନିଜର ମତ ରଖିଛନ୍ତି ଶ୍ରୀ ତ୍ରିପାଠୀ। ସେ କହିଛନ୍ତି ଯେ, ‘ ଘରେ ଏକୁଟିଆ ରହୁଥିବା ବେଳେ ନିଜେ ରୋଷେଇ କରି ଖାଉଥିଲି। ଘରୁ ବାହାରି ପାରୁ ନଥିବାରୁ ପ‌େଡ଼ାଶୀ ଓ ସାଙ୍ଗମାନେ ମୋର ସମସ୍ତ ଆବଶ୍ୟକତାକୁ ପୂରଣ କରୁଥିଲେ। ମୋର ଯାହା କିଛି ବି ଦରକାର ପଡୁଥିଲା। ଘର ଗେଟ୍‌ରେ ଏକ ବ୍ୟାଗରେ ଚିଠା ଓ ଟଙ୍କା ଦେଇ ଟଙ୍ଗାଇ ଦେଉଥିଲି। ଜିନିଷ କିଣି ସେହି ସ୍ଥାନରେ ରଖି ଦେଉଥିଲେ ମୋର ସାଙ୍ଗ ଓ ପଡ଼ୋଶୀ।’

‘ସଂଗରୋଧରେ ରହିବାର ଅର୍ଥ ନିଜ ଧୈର୍ଯ୍ୟର ପରୀକ୍ଷା କରିବା। ଯେତେବେଳେ ମୁଁ ହୋମ୍‌ କ୍ବାରାଣ୍ଟିନ୍‌ରେ ଥିଲି, ସେତେବେଳେ ନର ହତ୍ୟାର ଦୋଷ ମୋ ଉପରେ ଯେପରି ନଲାଗୁ ଏହାକୁ ଭାବି ଘର ଭିତରେ ରହୁଥିଲି। ସେତେବେଳ ଓଡ଼ିଶାରେ ବହୁତ କମ୍‌ ସଂଖ୍ୟରେ କରୋନା ରୋଗୀଥିଲେ। ଏବେ ସଂଖ୍ୟା ୧୭ଶହରୁ ଅଧିକ ହେଲାଣି। ଆମ ପ୍ରତ୍ୟେକଙ୍କ ପାଇଁ ଏ‌େବ ଦାୟିତ୍ବ ବଢିଯାଇଛି,’ ବୋଲି କହିଛନ୍ତି ଶ୍ରୀ ତ୍ରପାଠୀ। ତେବେ, ତାଙ୍କ ସହିତ ଯୋଗାଯୋଗ କରୁଥିବା ସରକାରୀ କର୍ମଚାରୀମାନେ ସବୁଦିନ ନାମ, ବାପାଙ୍କ ନାମ, ଠିକଣା ଭଳି ସମାନ କଥା ପଚାରି ଅଯଥା ସମୟ ଅପଚୟ କରୁଥିଲେ ବୋଲି କୁହନ୍ତି ଶ୍ରୀ ତ୍ରିପାଠୀ।

ସମ୍ବନ୍ଧିତ ଖବର