ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କ ଚିଠି : ମହିଳାଙ୍କ ନିରାପତ୍ତ‌ାକୁ ପ୍ରାଥମିକତା ଦିଅ

ଭୁବନେଶ୍ବର : ସାରା ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉଦ୍‌ବେଗ ପ୍ରକାଶ କରିଛି। ସ୍ବରାଷ୍ଟ୍ର ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଦୁଷ୍କର୍ମ ମାମଲାର ତୁରନ୍ତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ମହିଳାଙ୍କ ନିରାପତ୍ତାକୁ ସବୁ ରାଜ୍ୟ ପ୍ରାଥମିକତା ଦେବାକୁ କହିଛନ୍ତି।

ସ୍ବରାଷ୍ଟ୍ର ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଘଟଣା ନଜରକୁ ଆସୁଛି। ଏପରି ସାଂଘାତିକ ଅପରାଧ ସହ ସଂପୃକ୍ତ ଅପରାଧୀଙ୍କୁ କଠୋର ଦଣ୍ଡବିଧାନ କରିବା ପାଇଁ ସରକାର ଆଇନ୍‌ର ବ୍ୟବସ୍ଥାକୁ ଦୃଢ଼ କରିଛନ୍ତି। ମହିଳା ବିରୋଧୀ ହିଂସା କ୍ଷେତ୍ରରେ ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚିବା ସହ ଅଧିକ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି। ପୂର୍ବରୁ ମଧ୍ୟ ଗୃହ ମନ୍ତ୍ରଣାଳୟ ଦୁଷ୍କର୍ମ ପରି ଅପରାଧ ପାଇଁ ‘ଜିରୋ’ ଏଫ୍‌ଆଇଆର୍‌ ନୀତି ଗ୍ରହଣ କରିବାକୁ ସବୁ ରାଜ୍ୟକୁ ଜଣାଇଥିଲା। ଯଦି କୌଣସି ପୁଲିସ୍‌ ଅଧିକାରୀ ଏହା କରୁ ନ ଥିବେ, ତେବେ ତାହା ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ। ଚିଠି‌ରେ ଆହୁରି ଉଲ୍ଲେଖ କରାଯାଇଛି, ଇନ୍‌ଭେଷ୍ଟିଗେସନ୍ ଟ୍ରାକିଂ ସିଷ୍ଟମ୍‌ ଫର୍‌ ସେକ୍ସୁ୍ଆଲ୍‌ ଅଫେନ୍ସ(ଆଇଟିଏସ୍‌ଏସ୍‌ଓ) ପୋର୍ଟାଲ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଉପଲବ୍ଧ ଅଛି। ଦୁଇ ମାସ ସମୟସୀମା ମଧ୍ୟରେ ସ୍ପର୍ଶକାତର ଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତ ସାରିବା ନିମନ୍ତେ ଏହି ପୋର୍ଟାଲ ମାଧ୍ୟମରେ ତଦାରଖ କରି ହେବ। କ୍ରାଇମ୍ ଆଣ୍ଡ୍‌ କ୍ରିମିନାଲ୍‌ ଟ୍ରାକିଂ ଆଣ୍ଡ୍‌ ନେଟ୍‌ୱର୍କ ସିଷ୍ଟମ୍‌(ସିସିଟିଏନ୍‌ଏସ୍‌) ଭିତ୍ତିରେ ଏହି ପୋର୍ଟାଲ୍‌ ପ୍ରସ୍ତୁତ କରାଯାଇଛି। ଏହାର ଉପଯୋଗ କରିବା ପାଇଁ ସ୍ବରାଷ୍ଟ୍ର ସଚିବ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର