ରାଉରକେଲା: ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ୬୧ତମ ପ୍ରତିଷ୍ଠା ଦିବସ ରିଜର୍ଭ ପୁଲିସ ପଡ଼ିଆରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆରକ୍ଷୀ ଉପନିରୀକ୍ଷକ (ଡିଆଇଜି) ପଶ୍ଚିମାଞ୍ଚଳ ନିତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅବସରରେ ଅନୁଷ୍ଠିତ ପରେଡ‌ରେ ଅଭିବାଦନ ଗ୍ରହଣ କରିଥିଲେ। ସେ କହିଥିଲେ ଯେ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ସଦସ୍ୟମାନେ ଆଭ୍ୟନ୍ତରୀଣ ନିରାପତ୍ତା ଓ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦାନ କରି ଆସୁଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି, ଭିଡ ନିୟନ୍ତ୍ରଣ, ଅନ୍ୟାନ୍ୟ କାର୍ଯ୍ୟ ରେ ଗୃହରକ୍ଷୀ ବାହିନୀ ପ୍ରଦାନ କରୁଥିବା ସେବା ଅତ୍ୟନ୍ତ ପ୍ରଶଂସନୀୟ। ଶ୍ରୀ ଶେଖର ଆଇନ ଶୃଙ୍ଖଳା ବଜାୟ ରଖିବାରେ ତଥା ପ୍ରାକୃତିକ ଦୁବିର୍ପାକ ସମୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ଭୂମିକା ଅତ୍ଯନ୍ତ ମହତ୍ବପୂର୍ଣ୍ଣ ବୋଲି କହିଥିଲେ।

Advertisment

publive-image

ଏହା ସହିତ ଡିଆଇଜି ଶ୍ରୀ ଶେଖର ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦ୍ବାରା ପ୍ରେରିତ ବାର୍ତ୍ତା ମଧ୍ୟ ପାଠ କରିଥିଲେ। ଚଳିତ ବର୍ଷ ଜିଲ୍ଲାରେ ଅତି ଉତ୍କର୍ଷ ଓ ଉତ୍ତମ ସେବା ପୁରସ୍କାର ପାଇଁ ଶ୍ରେଷ୍ଠ ବିବେଚିତ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ସଦସ୍ୟଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ବେସାମରିକ ବାହିନୀ ଦ୍ବାରା ଆୟୋଜିତ ଓଡ଼ିଆ ଓ ଇଂରାଜୀ ରଚନା ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ଆରକ୍ଷୀ ଉପ ନିରୀକ୍ଷକ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ଆକସ୍ମିକ ବିସ୍ଫୋରଣ ହେଲେ କିପରି ଉଦ୍ଧାର କାର୍ଯ୍ୟ କରାଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନ ରେ ପହଞ୍ଚାଇବା ଏବଂ ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟର ଅଗ୍ନିଶମ ବାହିନୀ ଘର ପୋଡ଼ି, ତରଳ ଇନ୍ଧନ ଓ ଗ୍ୟାସ୍‌ ଜନିତ ଅଗ୍ନିକାଣ୍ଡର ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ କିଭଳି ମୁକାବିଲା କରାଯାଏ ତାହାର ଡେମୋ ପ୍ରଦର୍ଶନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିୟନ୍ତ୍ରକ ବେସାମରିକ ବାହିନୀ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଏସ୍‌ପି ତଥା ଗୃହରକ୍ଷୀ କମାଣ୍ଡାଣ୍ଟ ମିତ୍ରଭାନୁ ମହାପାତ୍ର ସମେତ ସମସ୍ତ ଥାନା ଅଧିକାରୀ, ଗୃହରକ୍ଷୀ ବାହିନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।