୨୦୨୨ ସୁଦ୍ଧା ସବୁ ଗରିବ ପରିବାରକୁ ଘର, ମୋଦୀଙ୍କ ଯୋଜନା ନେଇ ଧର୍ମେନ୍ଦ୍ରଙ୍କ ଟ୍ବିଟ୍‌

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ ‘ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ। ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି । ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ ଉନ୍ମାଦନା ମିଳେ।’ ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିକୁ ମାଗଦର୍ଶକ ଭାବେ ଗ୍ରହଣ କରି ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ୨୬ ଲକ୍ଷରୁ ଅଧିକ ଘର ନିର୍ମାଣ ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ସେମାନଙ୍କୁ ଖୁସି ଦେଇଛି । ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି ଓ ଆଜି ଗରିବ ଲୋକମାନେ ପକ୍କା ଘରର କଳ୍ପନା କରିପାରୁଛନ୍ତି। ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କେହି ବାସହୀନ ହୋଇ ନ ରୁହନ୍ତୁ, ସେଥି ପାଇଁ ଭାରତ ସରକାର ଦ୍ରୁତ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପକ୍କା ଘର କେବଳ ଲୋକଙ୍କ ସ୍ୱପ୍ନକୁ ପୂରଣ କରିନାହିଁ ବରଂ ଏହା ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧୀନରେ ଗ୍ୟାସ ସିଲିଣ୍ଡର, ଘରକୁ ବିଜୁଳି, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଭଳି ଅନେକ ଜନକଲ୍ୟାଣ ପଦକ୍ଷେପକୁ ସୁନିଶ୍ଚିତ କରୁଛି। ସ୍ୱଚ୍ଛ ଭାରତ ଅଧୀନରେ ଓଡ଼ିଶାରେ ୭୭.୧୪ ଲକ୍ଷ ଘର ପାଇଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ସ୍ୱଚ୍ଛ ଭାରତ ମିସନ୍‌ରେ ଓଡ଼ିଶାର ସମସ୍ତ ୧୧୪ ପୌର ସଂସ୍ଥାକୁ ଖୋଲା ମଳତ୍ୟାଗ ମୁକ୍ତ ସହର (ଓଡ଼ିଏଫ) ରୂପେ ଘୋଷଣା କରାଯିବା ଆନନ୍ଦର ବିଷୟ। ସେହିପରି ୨୦୧୭ ପର ଠାରୁ ରାଜ୍ୟରେ ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରକୁ ବିଜୁଳି ସଂଯୋଗ କରାଯିବା ଦ୍ୱାରା ରାଜ୍ୟରେ ଶତପ୍ରତିଶତ ବିଜୁଳି ସଂଯୋଗ ହୋଇପାରିଛି । ପ୍ରଧାନମନ୍ତ୍ରୀ ଉଜାଲା ଯୋଜନା ଅଧୀନରେ ଇଇଏସ୍‌ଏଲ୍ ଇଣ୍ଡିଆ ଦ୍ୱାରା ଓଡ଼ିଶାରେ ୧.୭୦ ଲକ୍ଷ ଏଇଡି ଟ୍ୟୁବ ଲାଇଟ୍ ଓ ୩୭,୭୭୦ ପଙ୍ଖା ବଣ୍ଟନ ରାଜ୍ୟର ଲକ୍ଷାଧିକ ଜୀବନକୁ ଆଲୋକିତ କରିଛି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଗରିବ ଓ ଅସହାୟ ବ୍ୟକ୍ତିଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ମୋଦୀ ସରକାରଙ୍କ ପ୍ରାଥମିକତାରେ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ୩୪୨.୮୨ କୋଟିର କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯାଇ ନାଗରିକଙ୍କ ସୁବିଧାକୁ ସୁଦୃଢ଼ କରାଯିବା ସହ ଅମୃତ ଯୋଜନା ଅଧୀନରେ ସହରାଞ୍ଚଳର ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୧ ଲକ୍ଷରୁ କମ୍ ‌େଲାକ ବାସ କରୁଥିବା ସହର ପାଇଁ ଅଗ୍ରୀମ ଆକାରରେ ପ୍ରଥମ କିସ୍ତି ସ୍ୱରୂପ ୨୭୧.୭୫ କୋଟିର ଲାଭ ଓଡ଼ିଶା ପାଇଛି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସ୍ମାର୍ଟ ସିଟି ମିସନ୍ ଅଧୀନରେ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶା ପାଇଁ ୨୦୩.୯୩ କୋଟି ମଞ୍ଜୁର କରିଛି। ଭୁବନେଶ୍ୱର ଏବଂ ରାଉରକେଲାକୁ ସ୍ମାର୍ଟ ସହର ଭାବେ ବିକଶିତ କରାଯାଉଛି। ପାରାଦୀପକୁ ସ୍ମାର୍ଟ ବନ୍ଦର ସହର ଭାବରେ ବିକଶିତ କରାଯିବା ମୋଦୀ ସରକାରଙ୍କ ଓଡ଼ିଶାକୁ ଭବିଷ୍ୟତ ପାଇଁ ଉପଯୁକ୍ତ ଏବଂ ବିକଶିତ ରାଜ୍ୟ ଭାବେ ଗଢ଼ିବାର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।

ସମ୍ବନ୍ଧିତ ଖବର