ଡକାୟତ ଗ୍ୟାଙ୍ଗରେ ଗୃହରକ୍ଷୀ, ଗ୍ରାମରକ୍ଷୀ

ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ପୂର୍ବତନ ସମିତି ସଭ୍ୟ

ନନ୍ଦପୁର/ଲମତାପୁଟ : ଆନ୍ଧ୍ରର ଦୁଇ ଜଣ ବ୍ୟକ୍ତିଙ୍କଠାରୁ ଡକାୟତି ଘଟଣାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ପୁଲିସକୁ ସଫଳତା ମିଳିଛି। କିଛିଘଣ୍ଟା ମଧ୍ୟରେ ପୂରା ଗ୍ୟାଙ୍ଗ୍‌କୁ କାବୁ କରିବାରେ ପୁଲିସ ସକ୍ଷମ ହୋଇଛି। ବଡ଼କଥା ହେଲା ପାଡୁଆ ଥାନାରେ ହିଁ କାର୍ଯ୍ୟରତ ଦୁଇଜଣ ଗୃହରକ୍ଷୀ ଏବଂ ଜଣେ ଗ୍ରାମରକ୍ଷୀ ଏହି ଡକାୟତି ଗ୍ୟାଙ୍ଗର ସକ୍ରିୟ ସଦସ୍ୟ। ଗ୍ୟାଙ୍ଗର ମାଷ୍ଟର୍‌ମାଇଣ୍ଡ୍‌ ଜଣେ ପୂର୍ବତନ ସମିତିସଭ୍ୟ ବୋଲି ସୂଚନା ମିଳିଛି।

ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ସୂଚନା ଅନୁସାରେ, ଗତକାଲି ଆନ୍ଧ୍ରପ୍ରଦେଶର ଆଣ୍ଟିପାଖ ଗାଁର କାମେଡ଼ି ଚିଟିବାବୁ ଏବଂ ବିଶୋଇ ଭୀମଧର ପାୱାର ଟିଲର କିଣିବାକୁ ଜୟପୁର ଆସୁଥିଲେ। ପ୍ରବଳ ଖରା‌ ଯୋଗୁ ଚାଟୁଆ-କଣ୍ଡାପାଲି ରାସ୍ତାରେ ଗୋଟିଏ ବିଶ୍ରାମାଗାରରେ ଅଟକିଥିଲେ। ଏହିସମୟରେ ଚେଭ୍ରଲେଟ୍‌ କାର୍‌ (ଓଡି ୧୮ଏ ୭୬୯୯)ରେ ୫ଜଣ ଦୁର୍ବୃତ୍ତ ପହଞ୍ଚିଥିଲେ। ଠେଲାପେଲା କରି ସେମାନଙ୍କ ନିକଟରୁ ୧ଲକ୍ଷ ୧୫ହଜାର ଟଙ୍କା ଝାମ୍ପି ନେଇଥିଲେ। ଏପରିକି ଗାଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ କାର୍‌ ମଡ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହାପରେ ପୁଲିସ୍‌ର ଏକ ଟିମ୍‌ ଚଢ଼ାଉ ୬ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସେମାନଙ୍କ ମଧ୍ୟରେ ପାଡୁଆ ଥାନାରେ କାର୍ଯ୍ୟରତ ଦୁଇ ଗୃହରକ୍ଷୀ ଡମ୍ବରୁଧର ମାଝି, ଅର୍ଜୁନ ପାଙ୍ଗି ଏବଂ ଗ୍ରାମରକ୍ଷୀ ନୀଳକଣ୍ଠ ପାଙ୍ଗି ଥିବା ଜଣାପଡ଼ିଛି। ସେହିପରି, ଗ୍ୟାଙ୍ଗର କିଙ୍ଗପିନ୍‌ ଅନ୍ତର୍ଯ୍ୟାମୀ ଗୁଣ୍ଠା କୁଲାରସିଂ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ।
କେଶ୍‌ ନମ୍ବର ୭୮/୨୦୨୩ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର