ଗୃହରକ୍ଷୀଙ୍କ ଦୈନିକ ଭତ୍ତା ଏଣିକି ୫୩୩ ଟଙ୍କା, ୨୦୨୦ ଜାନୁଆରିରୁ ପିଛିଲା ଭାବେ ଲାଗୁ ହେବ

କଟକ : ଗୃହରକ୍ଷୀମାନଙ୍କୁ ଦୈନିକ ୫୩୩ ଟଙ୍କା ଭତ୍ତା ପ୍ରଦାନ କରିବା ଲାଗି ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ୨୦୨୦ ଜାନୁଆରିରୁ ପିଛିଲା ଭାବେ ଏହାକୁ ଲାଗୁ କରିବା ଲାଗି କୁହାଯାଇଛି। ଏ ବାବଦ ବକେୟା ଅର୍ଥ ଗୃହରକ୍ଷୀଙ୍କୁ ତିନି ମାସ ମଧ୍ୟରେ ପ୍ରଦାନ କରାଯିବ। ଆଜି ଗୃହରକ୍ଷୀଙ୍କ ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ହାଇକୋର୍ଟ ଏପରି ରାୟ ଦେଇଛନ୍ତି। ଏହି ରାୟ ଯୋଗୁଁ ରାଜ୍ୟର ପ୍ରାୟ ୧୭ ହଜାର ୬୭୫ ଗୃହରକ୍ଷୀ ଉପକୃତ ହେବେ।

ଉଲ୍ଲେଖଯୋଗ୍ୟ ଯେ ୨୦୨୦ ଫେବ୍ରୁଆରି ୨୮ରେ ହାଇକୋର୍ଟ ଜଣିକିଆ ଖଣ୍ଡପୀଠ ଗୃହରକ୍ଷୀଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ସପକ୍ଷରେ ରାୟ ଦେଇଥିଲେ। ସପ୍ତମ ବେତନ କମିସନଙ୍କ ସୁପାରିସ ଓ ଅଗ୍ନିଶମ ଓ ଗୃହରକ୍ଷୀ ମହାନିର୍ଦ୍ଦେଶକଙ୍କ ସୁପାରିସ ତଥା ସୁପ୍ରିମ‌େକାର୍ଟଙ୍କ ୨୦୧୫ର ନିର୍ଦ୍ଦେଶ ଅନୁଯାୟୀ ଗୃହରକ୍ଷୀଙ୍କୁ ଭତ୍ତା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ବିଭାଗର ସବୁଠାରୁ ତଳ ପାହ୍ୟାରେ ଥିବା କନଷ୍ଟେବଳଙ୍କୁ

ପ୍ରଦାନ କରାଯାଉଥିବା ପ୍ରାପ୍ୟକୁ ଆଧାର କରି ଦୈନିକ ଗୃହରକ୍ଷୀଙ୍କୁ ୫୩୩ ଟଙ୍କା ପ୍ରଦାନ ପାଇଁ ଗୃହରକ୍ଷୀ ମହାନିର୍ଦ୍ଦେଶକ ସୁପାରିସ କରିଥିଲେ। ଏହି ସୁପାରିସ ଏକ ମାସ ଭିତରେ କାର୍ଯ୍ୟକାରୀ କରି ୨୦୧୬ ନଭେମ୍ବର ୧୦ରୁ ଗୃହରକ୍ଷୀଙ୍କୁ ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଗୃହରକ୍ଷୀଙ୍କ ସଂଶୋଧିତ ପ୍ରାପ୍ୟ ନିର୍ଦ୍ଧାରଣ ପର୍ଯ୍ୟନ୍ତ ସେମାନଙ୍କୁ ଦୈନିକ ପାଞ୍ଚ ଶହ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଏବଂ ଏହାର ଭବିଷ୍ୟତ ଗୃହରକ୍ଷୀ ମହାନିର୍ଦ୍ଦେଶକଙ୍କ ସୁପାରିସ୍ ଆଧାରରେ ସରକାର ବର୍ଦ୍ଧିତ ପ୍ରାପ୍ୟ ପ୍ରସଂଗରେ ଗ୍ରହଣ କରିବାକୁ ଥିବା ଚୂଡାନ୍ତ ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ କହିଥିଲେ। ସରକାରଙ୍କ ଏ ସଂପର୍କିତ ନିଷ୍ପତ୍ତିର ତିନି ମାସ ଭିତରେ ଗୃହରକ୍ଷୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ଫେବ୍ରୁଆରି ୨୮ରେ ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା।

ତେବେ ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟରେ ରିଟ୍ ଅପିଲ ଦାୟର କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ଦୈନିକ ୫୩୩ ଟଙ୍କା ଭତ୍ତା ସଂକ୍ରାନ୍ତରେ ଗୃହରକ୍ଷୀ ମହାନିର୍ଦ୍ଦେଶକଙ୍କ ସୁପାରିସ ଉପରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ତେବେ ୨୦୨୦ ଜାନୁଆରିରୁ ଗୃହରକ୍ଷୀମାନେ ବର୍ଦ୍ଧିତ ଭତ୍ତା ପାଇ ପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ସରକାରଙ୍କ ରିଟ୍ ଅପିଲକୁ ଆଂଶିକ ଭାବେ ଗ୍ରହଣ କରି ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି। ପ୍ରକାଶ କୁମାର ଜେନା ଓ ଅନ୍ୟମାନେ ଏହି ପ୍ରସଙ୍ଗରେ ୨୦୧୮ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗୃହରକ୍ଷୀଙ୍କ ତରଫରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର