ନିରାଶ୍ରୟ ଓ ବେସାହାରାଙ୍କ ସମ୍ପର୍କରେ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ: କଂଗ୍ରେସ

ଭୁବନେଶ୍ବର : ଶୀତୁଆ ରାତିରେ ଫୁଟପାଥ, ଓଭରବ୍ରିଜ ତଳେ, ବସଷ୍ଟାଣ୍ଡ, ରେ‌ଲୱେ ଷ୍ଟେସନରେ ଶହଶହ ସଂଖ୍ୟାରେ ନିରାଶ୍ରୟ ଓ ବାସହରା ରାତ୍ରି ଯାପନ କରୁଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ନିର୍ଦିଷ୍ଟ ତଥ୍ୟ ନାହିଁ। କିନ୍ତୁ ଯେଉଁ ଭଳି ଭାବେ ହାଡ଼ ଭଙ୍ଗା ଶୀତ ହେଉଛି ତାର ପ୍ରତିକାର କରିବା ପାଇଁ ରାଜ୍ୟ ସରକାର ତାର ପ୍ରତିକାର କରିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ଏକ ଜରୁରୀକାଳୀନ ବାର୍ତା ଦେଇଛନ୍ତି। ଯେଉଁଥିରେ କୁହାଯାଇଛି, ଶୀତ ଲହରୀର ପ୍ରଭାବ ଉପରେ ତୀକ୍ଷ୍‌ଣ ନଜର ରଖିବା ସହିତ ଏହା ଯେପରି ମାନବାଧିକାର କ୍ଷୁର୍ଣ୍ଣ ନ ହୁଏ ସେଥିପ୍ରତି ଧ୍ୟାନ ଦେବେ। ଶୀତ ରାତିରେ ବାସହରା ଓ ନିରାଶ୍ରୟମାନଙ୍କୁ ସରକାରୀ ସ୍କୁଲରେ ରାତ୍ରି ଯାପନ କରିବାକୁ ସ୍କୁଲ ଘର ସବୁ ଖୋଲା ରଖିବାକୁ ମଧ୍ୟ ନିର୍ଦେଶ ହୋଇଛି।

ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ କି, ରାଜ୍ୟରେ ମାତ୍ର ୧୫ଟି ସ୍ଥାୟୀ ରାତ୍ରି ଆଶ୍ରୟସ୍ଥଳର ଆବଶ୍ୟକତା ଅଛି। ପରବର୍ତୀ ସମୟରେ ୨୦୧୫ ମସିହାରେ ରାଜ୍ୟ ସରକାର ରାତ୍ରି ଆଶ୍ରୟସ୍ଥଳ ସମ୍ପର୍କରେ ଯେଉଁ ତଥ୍ୟ ଦେଇଥିଲେ ତାହା ସଂପୂର୍ଣ୍ଣ ଭିନ୍ନ ଥିଲା। ରାଜ୍ୟ ମାନବାଧିକାର କମିସନ ଅସନ୍ତୋଷ ପ୍ରକାଶ କରିବା ସହିତ ସାନି ତଥ୍ୟ ଦେବାକୁ ତଲବ କରିଥିଲେ। ଏଭଳି ପରସ୍ପର ବିରୋଧାତ୍ମକ ତଥ୍ୟକୁ ନେଇ ଆଜିର ସାମ୍ବାଦିକ ସମ୍ମିଳନୀ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର। ସେ କହିଛନ୍ତି, ରାଜ୍ୟ ସରକାର ୨୨ ଲକ୍ଷ ବାସହୀନଙ୍କୁ ପକ୍କାଘର ଯୋଗାଇ ଦେଇଥିବା ନେଇ ଯେଉଁ ଦାବି କରିଛନ୍ତି ତାହା ସଂପୂର୍ଣ୍ଣ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର। ଯଦି ୨୨ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଥାନ୍ତା ତେବେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳି ନ ଥାନ୍ତା। ଏଥିରୁ ସ୍ପଷ୍ଟ ହେଉଛି କି, ରାଜ୍ୟ ସରକାରଙ୍କ ପାଖରେ ନିରାଶ୍ରୟ ଓ ବାସହରାଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ପ୍ରଶାନ୍ତ ଶତପଥୀ, ଜିନେସ ଦାସ, ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର