ବାଟଘାଟରେ ବାସହରା, ନାଁକୁ ଖାଲି ଆଶ୍ରୟସ୍ଥଳ

ଆନୁଷଙ୍ଗିକ ବ୍ୟବସ୍ଥାକୁ ଦିଆଯାଉନି ଗୁରୁତ୍ବ, ହିତାଧିକାରୀଙ୍କୁ ମିଳୁନି ବ୍ୟବସ୍ଥାର ସୁଫଳ

ମନୋଜ ରାଉଳ

ବାଲେଶ୍ବର: କୌଣସି କାମରେ ଜିଲ୍ଲା ସଦର ମହକୁମାକୁ ଆସି ଘରକୁ ଫେରିପାରି ନଥିଲେ କିମ୍ବା ବାସହରା ହୋଇ ରାସ୍ତାକଡ଼, ଷ୍ଟେସନ ଓ ବସଷ୍ଟାଣ୍ଡ ଆଦି ସ୍ଥାନରେ ରହୁଥିଲେ ସେମାନଙ୍କ ପାଇଁ ଜୀବିକାନିର୍ବାହ ଯୋଜନାରୁ ସହରାଞ୍ଚଳ ଗୁଡ଼ିକରେ ଆଶ୍ରୟସ୍ଥଳ ବ୍ୟବସ୍ଥା କରିଛନ୍ତି ସରକାର। ବାଲେଶ୍ବର ଜିଲ୍ଲା ସଦର ମହକୁମାରେ ମଧ୍ୟ ଏହି ଯୋଜନାରେ ଏକ ଆଶ୍ରୟସ୍ଥଳ ରହିଛି। ମାତ୍ର ଦୁର୍ଭାଗ୍ୟର ବିଷୟ, ଉପଯୁକ୍ତ ପ୍ରଚାରପ୍ରସାର ଅଭାବରୁ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଅଭାବ କାରଣରୁ ହିତାଧିକାରୀଙ୍କୁ ଏହାର ସୁଫଳ ମିଳିପାରୁନଥିବା ଅଭିଯୋଗ ହୋଇଛି।
ଆଶ୍ରୟସ୍ଥଳଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ରହିଥିବାରୁ ସେଥିରେ କେବଳ ଡାକ୍ତରଖାନା ଆସୁଥିବା ରୋଗୀଙ୍କ ପରିବାର ଲୋକ ସୁବିଧା ପାଇପାରୁଛନ୍ତି। ନହେଲେ କେବେ କେମିତି କାଁ ଭାଁ ଲୋକ ଆସି ରହୁଛନ୍ତି। ଅବଶ୍ୟ ରେଳଷ୍ଟେସନ, ବସଷ୍ଟାଣ୍ଡ ନିକଟରେ ଓ ରାସ୍ତାକଡ଼ରେ ଦୁଃଖୀ, ଅସହାୟ କିମ୍ବା ଭିକ୍ଷାବୃତ୍ତି କରି ଚଳୁଥିବା ଲୋକ ନିଜ ପରିବାର ସହ ଖୋଲା ଆକାଶ ତଳେ ରାତି ବିତାଉଥିବାବେଳେ ସେମାନଙ୍କୁ ଏହି ଆଶ୍ରୟସ୍ଥଳକୁ ଆଣିବାକୁ ନିୟମିତ ପ୍ରୟାସ କରାଯାଉଛି। କିନ୍ତୁ ସେମାନେ ଏତେ ବାଟ ଆସି ରହିବାକୁ ମଙ୍ଗୁ ନାହାନ୍ତି। ଏଥିପାଇଁ ସେପଟେ ଏକ ଆଶ୍ରୟସ୍ଥଳ କରିବାକୁ ସହରବାସୀ ଦାବି କରିଥିବା ବେଳେ ପୌରପ୍ରଶାସନ ମଧ୍ୟ ବାଲେଶ୍ବର ସହରରେ ଆଉ ଏକ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହି ଆଶ୍ରୟସ୍ଥଳରେ କିଛି କିଛି ଅବ୍ୟବସ୍ଥା ମଧ୍ୟ ରହିଛି। ଏଠାରେ ଯେଉଁ ବେଡ୍‌(ଖଟ) ଦିଆଯାଇଛି ସେଥିରେ ତଳେ ଓ ଉପରେ ଜଣେ ଲେଖାଏଁ ଶୋଇପାରିବା ବ୍ୟବସ୍ଥା ରହିଛି। କିନ୍ତୁ ଉପର ବେଡ୍‌ର ସାଇଡ୍‌ରେ କୌଣସି ବାଡ଼ ନଥିବାରୁ ସେଥି‌ରେ କଡ଼ ଲେଉଟାଇବା ବେଳେ ତଳକୁ ଖସିପଡ଼ି ଆହତ ହେବାର ଆଶଙ୍କା ରହିଛି। ସେହିପରି ଉପରେ ମଶାରୀ ଲଗାଇଲେ ତାହା ଉପରେ ପଙ୍ଖାରେ ମଧ୍ୟ ବାଜୁଛି। ଏଥିପାଇଁ ଯିଏ ବି ଆଶ୍ରୟସ୍ଥଳକୁ ଆସୁଛନ୍ତି ସେମାନେ ଏହି ବେଡ୍‌ଗୁଡ଼ିକରେ ରହିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଆଉ ଏକ ସମସ୍ୟା ହେଉଛି ଡାକ୍ତରଖାନା ପଛପଟେ ଏହି ଆଶ୍ରୟସ୍ଥଳଟି ଥିବାରୁ ରାତିବେଳେ ଏପଟେ ଆସିବାକୁ ଲୋକ ଭୟ କରୁଛନ୍ତି।

ସୂଚନାଥାଉକି, ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପଛ ପାର୍ଶ୍ବ‌ରେ ଏହି ରାତ୍ରି ଆଶ୍ରୟସ୍ଥଳଟି ରହିଛି। ୨୦୧୮ ମସିହା ଅଗଷ୍ଟ ୩୦ ତାରିଖରେ ଏହା ଲୋକର୍ପିତ ହୋଇଥିଲା। ଏବେ ଅନେକ ଲୋକ ବିଭିନ୍ନ କାମ ଆଶାରେ ସହରକୁ ଆସିଥିବାବେଳେ ଏବଂ ସହରର ରାସ୍ତାକଡ଼ରେ ବହୁ ବାସହରା ଖରା, ବର୍ଷା ଓ ଶୀତକାକରରେ ପଡ଼ି ରହୁଥିବା ବେଳେ ସେମାନଙ୍କୁ ଆଶ୍ରୟସ୍ଥଳରେ ରଖିବା ପାଇଁ ଅଧିକରୁ ଅଧିକ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର