ଗୋରୁଙ୍କୁ ଭଲକରିବ ହୋମିଓପ୍ୟାଥି

ବିଶେଷଜ୍ଞଙ୍କ ସୂଚନା

ଭୁବନେଶ୍ବର : ଉତ୍ତର‌ ଓଡ଼ିଶାରେ ଏକ ଭୂତାଣୁ ଜନିତ ରୋଗ ଗୋ ସମ୍ପଦ ପାଇଁ ବିପଦ ସାଜିଛି। ବିଶେଷକରି ମୟୂରଭଂଜ ଜିଲ୍ଲା ବଡ଼ସାଲି ବ୍ଲକ୍‌ ଦୁର୍ଗାପୁର ପଞ୍ଚାୟତରେ ଏହି ରୋଗ ବ୍ୟାପିବାରେ ଲାଗିଛି। ୨୫ରୁ ଅଧିକ ଗାଈ, ବଳଦ ଓ ବାଛୁରି ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ବରର ସୋରରେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ଗାଈ ମୃତ୍ୟୁବରଣ କରୁଥିବା ଜଣାପଡ଼ିଛି। ଏହି ଖବର ପ୍ରଘଟ ପରେ ହୋମିଓପ୍ୟାଥିକ ଅନ୍ତର୍ଜାତୀୟ ଶିକ୍ଷା ଓ ଗବେଷଣା କେନ୍ଦ୍ର ପକ୍ଷରୁ ବରିଷ୍ଠ ଡାକ୍ତର ସନ୍ତୋଷ କୁମାର ଜେନା ଓ ତାଙ୍କ ସହକର୍ମୀମାନେ ଯାଇ ଗାଈମାନଙ୍କଠାରେ ବ୍ୟାପୁଥିବା ଏହି ରୋଗ ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ। ଏହି ରୋଗ ପାଇଁ କୌଣସି ପ୍ରତିଷେଧକ ନାହିଁ ବୋଲି ପ୍ରାଣୀ ଚିକିତ୍ସକମାନେ ମତ ଦେଉଥିବା ବେଳେ ହୋମିଓପ୍ୟାଥି ଦ୍ବାରା ଗାଈମାନଙ୍କୁ ବ୍ୟାପୁଥିବା ଏହି ରୋଗର ନିରାକରଣ କରାଯାଇପାରିବ ବୋଲି କହିଛନ୍ତି ହୋମିଓପ୍ୟାଥି ଗବେଷକ ପ୍ରଫେସର ନିରଂଜନ ମହାନ୍ତି।

ପ୍ରଫେସର ମହାନ୍ତିଙ୍କ ସୂଚନା ମୁତାବକ, ଓୟୁଏଟି ପ୍ରାଣୀ ଚିକିତ୍ସା ବିଜ୍ଞାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବିଶ୍ବନାଥ ପ୍ରଧାନ ଓ ଅନୁଷ୍ଠାନର ବୈଜ୍ଞାନିକ ପରାମର୍ଶଦାତା କମିଟି ନେତୃତ୍ବରେ ଏନେଇ ଏକ ବୈଠକ ବସିଥିଲା। ଭୂତାଣୁ ଦ୍ବାରା ଆକ୍ରାନ୍ତ ଗାଈମାନଙ୍କଠାରେ ଲମ୍ପି ଚର୍ମ ରୋଗର ସମସ୍ତ ଲକ୍ଷଣ ଦେଖାଯାଉଥିବାରୁ ଏହା ଲୋମ୍ପିସ୍କିନ୍‌ ରୋଗ ବୋଲି ସେମାନେ ମତ ଦେଇଛନ୍ତି। ଏହି ରୋଗ ବିଶେଷତଃ ‘ନିଥେଲିଙ୍ଗ’ ନାମକ ଏକ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥାଏ ବୋଲି ପ୍ରଫେସର୍‌ ମହାନ୍ତି କହିଛନ୍ତି। ତ୍ରିପୁରାର ହୋମିଓପ୍ୟାଥିକ୍‌ ଭେଷଜ ପ୍ରାଣୀ ବିଶ୍ବବିଦ୍ୟାଳୟ ଓ ଚିକିତ୍ସାଳୟରେ ଶିକ୍ଷାଦାନ କରୁଥିବା ପ୍ରଫେସର ମହାନ୍ତି କହିଛନ୍ତି, ଏନେଇ ଅନ୍ୟ ପ୍ରଫେସର୍‌ମାନଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏହି ରୋଗର ପ୍ରତିଷେଧକ ତଥା ନ ବ୍ୟାପିବା ପାଇଁ ‘ଭାରିଓଲିନମ୍‌ ୱାନ୍‌ଏମ୍‌’ ୧ ବୁନ୍ଦା ଦିନକୁ ଦୁଇଥର କରି ୩ ଦିନ ଦେବାକୁ ସେ ନିବେଦନ କରିଛନ୍ତି। ସେହିପରି ଏହି ରୋଗରେ ଆକ୍ରାନ୍ତ ହୋଇସାରିଥିବା ପ୍ରାଣୀଙ୍କ ଚିକିତ୍ସା ପାଇଁ ‘ମର୍କୁରିୟସ ସଲ୍‌ଫ ୱାନ୍‌ ଏମ୍‌’ ୧ ବୁନ୍ଦା ଲେଖାଏଁ ୫ ମି.ଲି ପାଣିରେ ଦିନକୁ ୨ଥର କରି ୫ଦିନ ପର୍ଯ୍ୟନ୍ତ ମୁଖ ଗହ୍ବର ମଧ୍ୟରେ ଦେଲେ ସଫଳତା ମିଳିବ ବୋଲି ସେ କହିଛନ୍ତି।

ସୂଚନା ଥାଉକି ଏହି ରୋଗରେ ଆକ୍ରାନ୍ତ ହେଉଥିବା ଗାଈ ବଳଦଙ୍କ ଗୋଡ଼ ଫୁଲିବା ସହ ସେମାନେ ଛୋଟେଇ ଛୋଟେଇ ଚାଲୁଛନ୍ତି। ଦେହ ସାରା ୫ରୁ ୫୦ ମି.ମି ଆବୁ ବାହାରି କିଛି ଦିନ ପ‌ରେ ଫାଟି ତାହା ଘା’ ହୋଇଯାଉଛି। ସେମାନଙ୍କ ଆଖି ଓ ନାକରୁ ପାଣି ବାହାରୁଛି। ପାଟିରୁ ଲାଳ ବୋହୁଛି। ଏହି ରୋଗ ବାଂଲାଦେଶରୁ ପଶ୍ଚିମବଙ୍ଗ ଓ ପରେ ଉତ୍ତର ଓଡ଼ିଶାକୁ ବ୍ୟାପିଥିବାରୁ ଏଥିପ୍ରତି ସତର୍କ ରହିବାକୁ ପ୍ରଫେସର ମହାନ୍ତି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର