ହୋମିଓପ୍ୟାଥିରେ କରୋନା ଭୂତାଣୁର ପ୍ରତିଷେଧକ : ଡା.ଅଭିନ ଚନ୍ଦ୍ରରେ ଖୋଲିଲା ସ୍ୱତନ୍ତ୍ର ବହିର୍ବିଭାଗ

ଭୁବନେଶ୍ବର : କରୋନା ଭୂତାଣକୁ ନେଇ ‌ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ତେବେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ କରୋନା ଭୂତାଣୁର ପ୍ରତିଷେଧକ ବ୍ୟବସ୍ଥା ରହିଥିବା କୁହାଯାଇଛି। ହୋମିଓପ୍ୟାଥିକ୍‌ ଓ ୟୁନାନି ଔଷଧ କରୋନା ଭୂତାଣୁ ପାଇଁ ଉପାଦେୟ ହୋଇପାରିବ ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜାରି ସ୍ବାସ୍ଥ୍ୟ ସତର୍କତାରେ ଦର୍ଶାଯାଇଛି। ଏ ପରିପ୍ରେକ୍ଷୀରେ ରାଜଧାନୀର ପ୍ରମୁଖ ହୋମିଓପ୍ୟାଥିକ ମେଡିକାଲ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ ଏଣ୍ଡ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ରଭାବେ ଏକ ଓପିଡି ବା ବହିର୍ବିଭାଗ ଖୋଲାଯାଇଛି। ଏଥିରେ ଆର୍ସେନିକ ଆଲବମ-୩୦ ଦିଆଯାଉଛି। ଏହାକୁ ଖାଇବା ଦ୍ବାରା କରୋନା ଭୂତାଣୁ ସଂକ୍ରମିତ ହେବାର ସମ୍ଭାବନା ରହିବ ନାହିଁ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି। ଏହି ପ୍ରତିଷ‌େଧକ ନେବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି।

ନୋଭେଲ କରୋନା ଏକ ଭୂତାଣୁ ଜନିତ ରୋଗ ହୋଇଥିବା ବେଳେ ଆୟୁଷରେ ଏହାର ଚିକିତ୍ସା ରହିଛି। ଆର୍ସେନିକ ଆଲବମ-୩୦ ସକାଳୁ ଖାଲି ପେଟରେ ଏକ ପାନ ୩ଦିନ ପର୍ଯ୍ୟନ୍ତ ଖାଇବା ଦରକାର। ଯେଉଁ ଅଞ୍ଚଳରେ କରୋନା ଭୂତାଣୁ ମାତ୍ରାଧିକ ସଂକ୍ରମିତ ହୋଇଥିବ ସେଠାରେ ଏହାକୁ ୧ମାସ ପରେ ପୁନର୍ବାର ଖାଇପାରିବେ। ପୂର୍ବରୁ ଏଚ୍‌୧ଏନ୍‌୧ ବା ସ୍ବାଇନ୍ ଫ୍ଲୁ ସମୟରେ ମଧ୍ୟ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିରେ ଏହି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମେଡିକାଲରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ କରୋନା ଭୂତାଣୁ ପାଇଁ ସ୍ବତନ୍ତ୍ରଭାବେ ଓପିଡି କାର୍ଯ୍ୟ କରୁଛି। ଏଥିରେ ଡାକ୍ତରଙ୍କ ସମେତ ମେଡିକାଲର ପିଜି ଛାତ୍ରଛାତ୍ରୀମାନେ ମଧ୍ୟ ରୋଗୀଙ୍କ ସେବା ପାଇଁ ଉପଲବ୍ଧ ରହିଛନ୍ତି। ଆଜି ଗୋଟିଏ ଦିନରେ ୧୦୦ରୁ ଅଧିକ ଲୋକ କରୋନା ଭୂତାଣୁ ପାଇଁ ଆର୍ସେନିକ-୩୦ ପ୍ରତିଷେଧକ ଔଷଧ ନେଇଥିବା ସୂଚନା ମିଳିଛି। ଆଗକୁ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ମେଡିକାଲ କର୍ତୃପକ୍ଷ ସଜାଗ ରହିଛନ୍ତି। ଔଷଧ ନେବା ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ନିକଟରେ କନ୍ଧମାଳରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଆଗକୁ ତାଙ୍କର କନ୍ଧମାଳ ଯିବାର ଯୋଜନା ଥିବାରୁ ଆଜି ଏହି ଔଷଧ ନେବା ପାଇଁ ଆସିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର