ବେଗୁନିଆ: ବେଗୁନିଆ ବ୍ଲକ୍ ଅନ୍ତର୍ଗତ ସିମୋର ପଞ୍ଚାୟତରେ ଚାରି ଦଶନ୍ଧି ତଳେ ପ୍ରତିଷ୍ଠା ହୋଇଥିବା ସରକାରୀ ହୋମିଓପାଥି ଡାକ୍ତରଖାନା ଏବେ ଜରାଜୀର୍ଣ୍ଣ। ଏହାର ପୁନରୁଦ୍ଧାର ପାଇଁ କାହାରି ଆନ୍ତରିକତା ନାହିଁ ବୋଲି ସ୍ଥାନୟ ଅଧିବାସୀ ଅଭିଯୋଗ କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ବାସଗୃହ ଗମନା ଗମନ ଲୋକଙ୍କ ମୌଳିକ ଆବଶ୍ୟକତା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏସବୁ ପାଇଁ କୋଟିକୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରୁଛନ୍ତି। ମାତ୍ର କେତେକ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଆନ୍ତରିକତା ଅଭାବ ହେତୁ ଲୋକେ ତାର ସୁଫଳ ପାଉନାହାନ୍ତି। ରାଜଧାନୀ ଠାରୁ ମାତ୍ର ୫୦କିଲୋମିଟର ଦୂରରେ ଅବସ୍ଥିତ ସିମୋର ହୋମିଓପାଥି ଡାକ୍ତରଖାନା। ସିମୋର ଗ୍ରାମ ସହିତ ଆଖପାଖ ଅଞ୍ଚଳ ଗଁପୁର, କଣ୍ଟାମଳିମ, ବଡ଼ବେରଣା, ମାଧପୁର ଆଦି ଗ୍ରାମର ଲୋକଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ଆଖି ଆଗରେ ରଖି ୧୯୮୧ ମସିହାରେ ଏଠାରେ ଏହି ହୋମିଓପ୍ୟାଥିକ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଥିଲା। ଜଣେ ଡାକ୍ତର, ଜଣେ କଂପାଉଣ୍ଡର, ପିଅନରେ ଚାଲୁଥିଲା ଚିକିତ୍ସାଳୟ। ଲୋକେ ସ୍ୱାସ୍ଥ୍ୟଗତ ସୁବିଧା ସୁଯୋଗ ନେଉଥିଲେ। ରୋଗୀଙ୍କ ସଂଖା ମଧ୍ୟ କମ୍ ନଥିଲା। ହେଲେ ଏହି ଚିକିତ୍ସାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଆଜବେଷ୍ଟସ ଛପର ଘର ଭାଙ୍ଗିରୁଜି ଯାଇଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇଁ ନଡ଼ା ପକାଯାଇଛି।
କବାଟ, ଝରକା ଉଇ ଖାଇଗଲେଣି। ଘରର ଆଜବେଷ୍ଟସ୍ ସବୁ ଭାଙ୍ଗିରୁଜି ଗଲାଣି। ଚାରିପାଖରେ ସୁରକ୍ଷା ପାଚେରି ନାହିଁ। ଫଳରେ ବୁଲା କୁକୁର, ଗାଈଗୋରୁଙ୍କ ଅବାଧ ପ୍ରବେଶ ହେଉଛି। ଏଥିସହିତ ସନ୍ଧ୍ୟା ନଇଁଲେ ନିଶାଡିଙ୍କ ଆଡ଼ାସ୍ଥଳୀ ପାଳଟୁଛି। ସକାଳେ ଚକିତ୍ସାଳୟ ଖୋଲିବା ବେଳକୁ ରୋଗୀଙ୍କ ସେବା ବଦଳରେ ମଦବୋତଲ, ଗ୍ଲାସ, ପାଣିପାଉଚ୍, ଆଦିକୁ ପ୍ରଥମେ ସଫା କରିବାକୁ ପଡ଼ୁଥିବା ଜଣେ ଡାକ୍ତର କହିଛନ୍ତି। ରହିବା ସୁବିଧା ନଥିବାରୁ ଗୋଟିଏ ବେଳା ଚିକିତ୍ସାଳୟ ଖୋଲାଯାଇ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଅପରାହ୍ଣରେ ତାଲା ଝୁଲୁଛି। ଚିକିତ୍ସାଳୟଟି ଗୋଚର ଜମିରେ ହୋଇଥିବାରୁ କୌଣସି ସରକାରୀ ଅନୁଦାନ ଆସିପାରୁନାହିଁ। ହେଲେ ଦୀର୍ଘ ୫ବର୍ଷ ହେଲାଣି ନୂତନ ଜାଗା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏଥିପ୍ରତି ପଞ୍ଚାୟତଠାରୁ ବିଧାୟକ ପର୍ଯ୍ୟନ୍ତ ରାଜନେତାଙ୍କ କାହାରି ନଜର ପଡୁନି ନାହିଁ। ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/dgjdgjgjdgjgj.jpg)