କାଳିଆପାଣି : କାଳବୈଶାଖୀ ଝଡ଼ରେ ସୁକିନ୍ଦା ତହସିଲ କାଳିଆପାଣି ସର୍କଲ ଚିଙ୍ଗୁଡ଼ିପାଳ ଗାଁର କାର୍ତ୍ତିକ ପାତ୍ର ଓ ବନ୍ଧଗାଁ ସର୍କଲ ଲେମ୍ବୋ ପଞ୍ଚାୟତ ୨ ନମ୍ବର ୱାର୍ଡ ସାମନ୍ତରାପୁର ମୌଜା ପଳାଶଖଳି ଗାଁର କୁନୁରାମ ସଏଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଉଭୟ ପରିବାର ଏବେ ପରଘରେ ଆଶ୍ରୟ ନେଇଛନ୍ତି। ଝଡ଼ ପବନରେ କାର୍ତ୍ତିକ ପାତ୍ରଙ୍କ ନବନିର୍ମିତ ୨ ବଖୁରିଆ ଘରର ଆଜବେଷ୍ଟସ ଛପର ସଂପୂର୍ଣ୍ଣ ଉଡ଼ିଯାଇଥିବା ଅଭିଯୋଗ ହୋଇଛି। କାର୍ତ୍ତିକ, ପତ୍ନୀ ସୁଷମା ୨ ଶିଶୁକନ୍ୟା ମାମା(୨୯ ମାସ) ଓ କୁନମୁନ(୧୦ ମାସ)ଙ୍କୁ ନେଇ ଗ୍ରାମରକ୍ଷୀ କେଶବ ପାତ୍ରଙ୍କ ଘରେ ରହୁଛନ୍ତି। ସେହିପରି କୁନୁରାମ ଓ ପତ୍ନୀ ରେବତୀ ୨ ଶିଶୁପୁତ୍ର ବିଭୁଧେନ୍ଦ୍ର ଓ ମୋହନଲାଲଙ୍କୁ ଧରି ପଡ଼ୋଶୀ ପରିବାରରେ ମୁଣ୍ଡ ଗୁଞ୍ଜିଛନ୍ତି।
ସରପଞ୍ଚ କଳ୍ପନା ପାତ୍ର ରବିବାର ସଂଧ୍ୟାରେ ତାଙ୍କ ଘରେ ପହଞ୍ଚି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। କ୍ଷୟକ୍ଷତି ଆକଳନ କରାଯାଇ ଉଭୟ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି। ସେହିପରି ଖଣିର ପାରିପାର୍ଶ୍ବିକ ଅଞ୍ଚଳରେ ବାସ କରୁଥିବା ଏହି ୨ ଗରିବ ପରିବାରକୁ ଖଣି କର୍ତ୍ତୃପକ୍ଷମାନେ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/jjj-2.jpg)