ଲଗାଣ ବର୍ଷାରେ ଉଜୁଡ଼ିଲା ଘର, ବାସହରା ହୋଇ ବହୁ ବ୍ୟକ୍ତି ପଡୋଶୀ ଘର ଓ କୋଠଘରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ମିଳୁନି ସହାୟତା

ବେଗୁନିଆ : ବେଗୁନିଆ ବ୍ଲକ୍‌ ପଙ୍ଗାରସିଂହ ପଞ୍ଚାୟତ ଅନ୍ତର୍ଗତ ଭୋଗଡ଼ା ଗ୍ରାମର ଆଦିବାସୀ ସାହିରେ ୫୦ରୁ ଅଧିକ ଘର ଭାଙ୍ଗିରୁଜି ନଷ୍ଟ ହୋଇଥିବାର ଜଣାପଡିଛି। କିନ୍ତୁ ବାରମ୍ବାର ଅଭିଯୋଗ ସତ୍ତ୍ବେ ବ୍ଲକ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଗତ ‘ଫନି’ ବାତ୍ୟାରେ ଉକ୍ତ ଆଦିବାସୀ ସାହିରେ ୫୦ରୁ ଅଧିକ ପରିବାରର ମାଟି କାନ୍ଥଗୁଡ଼ିକ ଅଧାଭଙ୍ଗା ଅବସ୍ଥାରେ ରହିଥିବା ବେଳେ କେତେକଙ୍କ ଘରର କାନ୍ଥ ଫାଟି ଆଁ କରି ରହିଛି। ଅନ୍ୟ କେତେକଙ୍କ ଘର ଭାଙ୍ଗି ପଡ଼ିବା ସହ କେତେକଙ୍କ ଅର୍ଧ ଭଗ୍ନ ଅବସ୍ଥାରେ ରହିଛି । ଗତ ଲଗାଣ ବର୍ଷାରେ ଗମ୍ଭାରୀ ଦେଉରୀ, ଉତ୍ତମ ନାୟକ, ଅଭିନ୍ନ ନାୟକ, ସଞୟ ଦେହୁରୀଙ୍କ ସମେତ ବହୁ ବ୍ୟକ୍ତି ବାସହରା ହୋଇ ପଡୋଶୀ ଘର ଓ କୋଠଘର ମଧ୍ୟରେ ବସବାସ କରି ଆସୁଛନ୍ତି। ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିପାରି ନାହିଁ। ଏ ନେଇ ସ୍ଥାନୀୟ ସରପଞ୍ଚ ସରୋଜ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ ଲୋକମାନଙ୍କୁ ଥଇଥାନ କରିବା ପାଇଁ ସେ ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଏ ନେଇ ବେଗୁନିଆ ତହସିଲଦାରଙ୍କୁ ପଚାରିବାରେ କହିଥିଲେ ଯେ ଆମେ ଏ ସମ୍ପର୍କରେ ଅବଗତ ନଥିଲୁ। ସ୍ଥାନୀୟ ରାଜସ୍ବ ନିରୀକ୍ଷକ ତଦନ୍ତ କରି ରିପୋର୍ଟ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର