ଜୟପୁର : କରୋନା ସଂକ୍ରମଣ ଯୋଗୁଁ ସାରା ବିଶ୍ୱ ଏବେ ଅବରୋଧଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି। । ଭୂତାଣୁ ସଂକ୍ରମଣ ରୋକିବାକୁ ବିଭିନ୍ନ କମ୍ପାନୀ ସେମାନଙ୍କ କାର୍ଯ୍ୟାଳୟ ବନ୍ଦ କରିବା ସହ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ କିଛି କଂପାନୀ କାଁ ଭାଁ କର୍ମଚାରୀଙ୍କୁ ନେଇ କେବଳ କାର୍ଯ୍ୟାଳୟ ଗୁଡିକ ଚାଲିଛି। ଅଫିସର ପ୍ରାୟ ୭୦ରୁ ୮୦ ପ୍ରତିଶତ କର୍ମଚାରୀ ଏବେ ଘରେ ବସି ଲାପଟପ୍, କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ସହଯୋଗରେ କାମ କରୁଛନ୍ତି। ଏପରିସ୍ଥିତିରେ ବହୁ ବେସରକାରୀ କଂପାନୀର କର୍ମଚାରୀମାନେ ନିଜ ନିଜ ଜନ୍ମମାଟି ଓ ଘରକୁ ଏବେ ଫେରି ଆସିଛନ୍ତି। ତେବେ ଏଠାକୁ ଆସି ଘରେ କାମ କରିବା ସମୟରେ ଏମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅଧିକାଂଶ ଘରୋଇ କଂପାନୀ ଗୁଡିକ ଅର୍ନ୍ତଜାତୀୟ କଂପାନୀ ସହ ସଂପୃକ୍ତ। ସବୁବେଳେ ଅନଲାଇନରେ କାମ କରିବାକୁ ପଡ଼ିଥାଏ। ତେବେ ଜୟପୁର ସହରରେ ଘରେ କାମ କରିବାରେ ଇଣ୍ଟରନେଟ୍ ସ୍ପିଡ ଏବେ ଅନେକଙ୍କ ଲାଗି ମୁଖ୍ୟ ସମସ୍ୟାର କାରଣ ପାଲଟିଛି।

Advertisment

ଅଧିକାଂଶ ପିଲା ବାହାରକୁ ଯିବା ପରେ ସହରରେ ଥିବା ଘରର ଅନ୍ୟ ପରିବାରର ସଦସ୍ୟମାନେ ସେମାନଙ୍କ ରୁମକୁ ନିଜେ ବ୍ୟବହାର କରି ଆସୁଥିଲେ। ଗତ ଲକଡାଉନ ପର ଠାରୁ ଏମାନେ ଫେରି ଆସିବା ପରେ ଘରେ ଆଡଜଷ୍ଟମେଣ୍ଟରେ କାମ କରିବାକୁ ପଡ଼ୁଛି। ସ୍ବତନ୍ତ୍ର କାମ କରିବା ସ୍ଥାନ ବାଛି ରଖିବାକୁ ପଡ଼ୁଛି ବୋଲି କହିଛନ୍ତି ସମିର ନାୟକ। ଏପରିକି ନୂଆରେ ଟେବୁଲ, ଚୌକି ବି କିଣିବାକୁ ପଡ଼ିଛି ବୋଲି କହିଛନ୍ତି ସମିର। ଘରେ କାମ କରୁଥିବାରୁ ବହୁ କର୍ମଚାରୀ ସେମାନଙ୍କ କାର୍ଯ୍ୟାଳୟ ସହ ରହିଥିବା ଡେଲି ରୁଟିନରେ ଅନିୟମିତତା ହେଉଥିବା ବି କହିଛନ୍ତି। ଠିକ୍ ସମୟରେ ଉଠି ନିଜର ନିତ୍ୟକର୍ମ ସାରି ଅଫିସ ଟାଇମରେ ରେଡି ହେବାରେ ସମସ୍ୟା ଦେଖାଦେଉଛି ବୋଲି କହିଛନ୍ତି ସମିର, ଅସିତ ପଟ୍ଟନାୟକ, ସୁଶିଲ ସାହୁ। ଏପରିକି ଜୟପୁରରେ ବହୁ ସମୟରେ ଇଣ୍ଟରନେଟ୍ ସମସ୍ୟା ସାଙ୍ଗକୁ ଠିକରେ ଫୋନ କଲ୍, ଭିଡିଓ କଲ୍ , ୱାଟସଆପ୍‌ କଲ ଆଦି ଆସିବା ଏବଂ ଯିବାରେ ବି ସମସ୍ୟା ଦେଖାଦେଉଛି ବୋଲି କହିଛନ୍ତି। ଏପରିକି ଲ୍ୟାପଟପ୍ ଖରାପ ହେଲେ ମରାମତି କରିବାକୁ ବି ଭଲ ବୈଷୟିକ ଜ୍ଞାନ ଥିବା ମେକାନିକ୍ ବି ମିଳୁ ନଥିବା କହିଛନ୍ତି ସୁଶିଲ। ଛୋଟ ଘର ମଧ୍ୟରେ ଯେନତେନ ପ୍ରକାରରେ କାମ କରୁଛୁ ବୋଲି କହିଛନ୍ତି।

publive-image The Beacon – MCLA

ଚାକିରି ସହ ଜୀବନ ବଂଚାଇବାକୁ କାମ କରୁଛୁ ବୋଲି ଏମାନେ କହିଛନ୍ତି। ଏପରିକି କିଛି କଂପାନୀ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ୫୦ପ୍ରତିଶତ ଦରମା କାଟିବେ ବୋଲି ସିଧାସଳଖ କହି ଦେଇଥିବା କହିଛନ୍ତି ସୁଧିର ପାଢ଼ୀ। ଏଥିରେ ରାଜି ନ ହେଲେ ଚାକିରୀ ଛାଡି ପାର ବୋଲି ବି ଚେତାବନୀ ଦେଇଥିବା କହିଛନ୍ତି ସୁଧୀର। ଏପରିକି ପୂର୍ବରୁ କାର୍ଯ୍ୟାଳୟକୁ ଗଲେ ୮ରୁ ୧୦ଘଣ୍ଟା କାମ କରୁଥିବା ବେଳେ ଏବେ ୯ରୁ ୧୨ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡ଼ୁଛି ତାହା ପୁଣି ୨୦ରୁ ୫୦ପ୍ରତିଶତ ଦରମା କଟିବ ବୋଲି କହିଛନ୍ତି ସୁଧିର, ଆଦିତ୍ୟ ନାୟକ। ୫୦ପ୍ରତିଶତ ଦରମା କଟିବା ପରେ ଘର ଭଡ଼ା ଦୁଇ ମାସର ଦେଇ ନ ପାରି ନିଜ ଭିଟାମାଟିକୁ ଫେରି ଆସିଥିବା କହିଛନ୍ତି ପରୀକ୍ଷିତ ସାହୁ। ଏପରିକି କିଛି କର୍ମଚାରୀଙ୍କୁ ବି ସଂସ୍ଥା ଗୁଡିକ ବାହାର କରି ଦେଇଥିବା ବେଳେ ଭାଗ୍ୟବଶତଃ ଆମ ଚାକିରୀ ଗୁଡିକ ବଂଚି ରହିଛି ବୋଲି ଏମାନେ କହିଛନ୍ତି। ତେବେ ସେମାନେ ରହୁଥିବା ହାଇଦ୍ରାବାଦ, ପୁନେ, ବାଙ୍ଗାଲୋର, ମାଦ୍ରାସ, ନୂଆଦିଲ୍ଲୀ, ମୁମ୍ବାଇରେ ବହୁ ସଂକ୍ରମଣ ଥିବା ସମୟରେ ଘରକୁ ଫେରିଛନ୍ତି। ନିଜ ଗାଁରେ ଜୀବନ ବଂଚିଛି। ଚାକିରି ବଂଚାଇବା ପ୍ରୟାସରେ କାମ କରୁଛୁ ବୋଲି ଏମାନେ କହିଛନ୍ତି।

କେନ୍ଦ୍ର ସରକାର ଘରେ କାମ ଅବଧିକୁ ଜୁଲାଇ ୩୧ରୁ ଡିସେମ୍ବରକୁ ବୃଦ୍ଧି କରିଛନ୍ତି। ତେବେ ବହୁ ଘରୋଇ କଂପାନୀ ଆସନ୍ତା ନଭେମ୍ବର ପର ଠାରୁ ନିଜ ନିଜ କାର୍ଯ୍ୟାଳୟରେ ଆସି ଯୋଗଦେବାକୁ ନିର୍ଦେଶ ଦେଇଥିବା ଏମାନେ କହିଛନ୍ତି। ତେବେ ନିଜ ଭାଗ୍ୟକୁ ଆଦରି ନିଜ ଭିଟାମାଟିରେ ଏମାନେ ଏବେ ପଡ଼ି ରହିଛନ୍ତି। ଅନ୍ୟ ପକ୍ଷରେ ଜୟପୁର ଫେରିବା ପରେ ଏମାନଙ୍କ ମଧ୍ୟରୁ କିଛି ପିଲା ନୂଆ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ବି ଯୋଜନା କରିଛନ୍ତି। ସେଇଭଳି ହାଇଦ୍ରାବାଦରୁ ଫେରି ଆସିଥିବା ଜଣେ ଯୁବକ ନୂଆରେ ଏକ ହୋଟେଲ ଖୋଲିଛନ୍ତି। ସାହି ପଡିଶାର ଟାହି ଟାପରାକୁ ଆଉ ସହି ହେବ ନାହିଁ ବୋଲି କହିଛନ୍ତି ଅମିତ ସାହୁ। ତେବେ ସ୍ଥିତି ସାମାନ୍ୟ ସୁଧୁରିବା ସହ ସେଠି ଯେଭଳି ସଂକ୍ରମଣର ଭୟ ଏବଂ ଏଠାରେ ବି ସେଭଳି ରହିଛି। ବର୍ତ୍ତମାନ କଣ କରିବେ କିଛି ଚିନ୍ତା କରି ପାରୁନାହାନ୍ତି ଏବଂ ମାନସିକ ଅବସାଦରେ ରହିବା ସହ ତ୍ରିଶଙ୍କୁ ଅବସ୍ଥାରେ ଲଟକି ରହିଥିବା ଏମାନେ କହିଛନ୍ତି।