ଭୁବନେଶ୍ବର: ପ୍ରଫେସର ବିଧୂଭୂଷଣ ମିଶ୍ରଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ଦାୟିତ୍ବ ମିଳିଛି। ତାଙ୍କୁ ଓଡ଼ିଶାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଚାରି ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି।

Advertisment

ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ପ୍ରଫେସର ଭାବରେ ଅବସର ନେଇଛନ୍ତି। ସେ ୯ଟି ପୁସ୍ତକ ରଚନା କରିଛନ୍ତି ଏବଂ ଲୋକପ୍ରିୟ ପତ୍ରିକାରେ ୧୨୨ଟି ଲେଖା ଲେଖିଛନ୍ତି। ତାଙ୍କର ୩୪ ବର୍ଷରୁ ଅଧିକ ସମୟର ଶିକ୍ଷାଦାନ ଅଭିଜ୍ଞତା ଅଛି। ଏହାଛଡ଼ା ସେ ସଫଳତାର ସହିତ ଜଣେ ଡିଲିଟ୍, ୩୯ ଜଣ ପିଏଚଡି ଓ ୩ ଜଣ ଏମଫିଲ୍ ସ୍କଲାରଙ୍କୁ ଗାଇଡ୍ କରିଛନ୍ତି।

ସୂଚନାଯୋଗ୍ୟ, ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ପଦବି ଖାଲି ପଡ଼ିଥିଲା। ପ୍ରଫେସର ମିତ୍ତଲ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ଭାବେ ଦାୟିତ୍ବ ନେବା ଦିନଠାରୁ ନାନା ପ୍ରକାର ବିବାଦରେ ଛନ୍ଦି ହୋଇ ରହିଥିଲେ। ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ବହୁ ମୂଲ୍ୟ ଗଛକଟାଠାରୁ ଆରମ୍ଭ କରି, ଚୁ୍କ୍ତିଭିତ୍ତିକ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୂତି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେବା, ହାଇକୋର୍ଟରୁ ଆଗୁଆ ଜାମିନ ଆଣିବା, ଏଲ୍‌ଆର୍‌ ଆଇନ୍ ମହାବିଦ୍ୟାଳୟର ସ୍ଥାୟୀ ଅଧ୍ୟକ୍ଷଙ୍କୁ ହଟାଇ ଅତିଥି ଅଧ୍ୟାପକଙ୍କୁ ଦାୟିତ୍ବ ଦେବା, ମହାବିଦ୍ୟାଳୟର ଥିବା ପାଣ୍ଠିକୁ ବିଶ୍ବବିଦ୍ୟାଳୟ ଖାତାକୁ ସ୍ଥାନାନ୍ତର କରିବା, ବିଶ୍ବବିଦ୍ୟାଳୟ ପୁସ୍ତକ କିଣାରେ ହେରଫେର, ସମାବର୍ତ୍ତନ ଉତ୍ସବରେ ଜଣେ ବ୍ୟବସାୟୀଙ୍କୁ ଡକ୍ଟରେଟ୍ ଦେବା, ଦିଆ ଯାଇଥିବା ସ୍ବର୍ଣ୍ଣ ପଦକରେ ସୁନାର ପରିମାଣ କମ୍ ରହିବା ଓ ଶେଷରେ ସ୍ବଚ୍ଛ ବିଶ୍ବବିଦ୍ୟାଳୟ ଅଭିଯାନ ପାଣ୍ଠିର ପ୍ରାୟ ୨୯ ଲକ୍ଷ ଟଙ୍କା ନିଜ ପତ୍ନୀ ଓ ପୁତ୍ରଙ୍କ ବ୍ୟାଙ୍କ୍‌ ଖାତାକୁ ସ୍ଥାନାନ୍ତର କରିବା ଭଳି ଗର୍ହିତ କାର୍ଯ୍ୟ କରି ସେ ବିବାଦରେ ରହିଥିଲେ। ତାଙ୍କ କାର୍ଯ୍ୟ ଯୋଗୁଁ ସେ ସରକାରଙ୍କ ଗଳାର କଣ୍ଟା ପାଲଟି ଯାଇଥିଲେ।