ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବିଜେପି ପକ୍ଷରୁ ବିଭିନ୍ନ ଦାବି ଗୁଡ଼ିକୁ ନେଇ ଆଜି ବ୍ଲକ କାର୍ଯ୍ୟଳୟ ଘେରାଉ କରିଥିବା ଜଣାପଡିଛି | ଅପରପକ୍ଷରେ ଘେରାଉ ସମୟରେ କାର୍ଯ୍ୟାଳୟ ପରିସରରେ ରହିଥିବା ମହୁମାଛି ଅତର୍କିତ ଆକ୍ରମଣ କରି କାମୁଡ଼ିବା ଫଳରେ ଉମରକୋଟ ବିଧାୟକଙ୍କ ସମେତ ବହୁ ପୁଲିସ ଓ କର୍ମୀମାନେ ଆହତ ହୋଇଥିଲେ | ଅନ୍ୟପଟେ ଏହିି ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ | ସୂଚନା ଅନୁଯାୟୀ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ଆଜି ଦିନ ପ୍ରାୟ ୨ଟା ସମୟରେ ବିଜେପି ଦଳ ପକ୍ଷରୁ ଏକ ରାଲି ବାହାରି ମୁଖ୍ୟ ବଜାର ଦେଇ ବ୍ଲକ କାର୍ଯ୍ୟଳୟ ଠାରେ ପହଞ୍ଚିଥିଲା | ଏହି ରାଲିରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ରମେଶ ଚନ୍ଦ୍ର ସାହୁ, ରାଜ୍ୟ ଯୁବ ମୋର୍ଚ୍ଚା କୋଷାଧକ୍ଷ ସନ୍ତୋଷ ମହାପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ | ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚି ନେତାମାନେ ନିଜ ନିଜ ଅଭିଭାଷଣ ରଖିଥିଲେ |
ବିଜେଡ଼ି ଦଳର ଗତ ୨୩ ବର୍ଷ ଶାସନରେ ରାଇଘର ବ୍ଲକକୁ ଶିକ୍ଷା ଓ ସ୍ବାସ୍ଥ୍ୟ ତଥା ଲୋକଙ୍କ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି ବିଧାୟକ ଶ୍ରୀ ଗଣ୍ଡ ପ୍ରକାଶ କରିବା ସହିତ ଏ ଅଂଚଳରେ ହେଉଥିବା ୫-ଟି ବିଦ୍ୟାଳୟର ଭିତ୍ତିଭୂମିରେ ନିମ୍ନମାନର ହେଉଥିବା ମଧ୍ୟ ଅଭିଯୋଗ ଉଠାଇଥିଲେ l ଗ୍ରାମାଞ୍ଚଳରେ ରାସ୍ତାଘାଟ, ନାଳ, ପୋଖରୀ ତଥା ଆଲୋକ ଓ ପାନୀୟ ଜଳ ଭଳି ଆନୁସଙ୍ଗିକ ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମନରେଗା ଓ ସିଏଫ୍ସି ଯୋଜନା ସିଧାସଳଖ ପଂଚାୟତଗୁଡ଼ିକୁ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ଏହି ଯୋଜନାର ଅର୍ଥକୁ ୫-ଟି ବିଦ୍ୟାଳୟ ଗୁଡ଼ିକରେ ଖର୍ଚ୍ଚ କରୁଥିବା ସହିତ ନିମ୍ନମାନର କାମ କରି ଅନୁଦାନ ହଡ଼ପ କରୁଥିବା ସନ୍ତୋଷ ମହାପାତ୍ର ଅଭିଯୋଗ ଉଠାଇଥିଲେ |
ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରୁ ହଜାର ହଜାର ସଂଖ୍ୟକ ବିଜେପି କର୍ମୀ ଯୋଗ ଦେଇଥିଲେ | ନେତାଙ୍କ ଭାଷଣ ସମୟରେ ହଠାତ ଶହ ଶହ ସଂଖ୍ୟାରେ ମହୁମାଛି ଏହି ରାଲି ଉପରେ ଆକ୍ରମଣ କରିଥିଲେ | ଫଳରେ କର୍ମୀ ଓ ନେତାମାନେ କାର୍ଯ୍ୟକ୍ରମ ଅଧାରୁ ଛତ୍ରଭଙ୍ଗ ଦେଇଥିଲେ | ଏହି ଆକ୍ରମଣରେ ଉମରକୋଟ ବିଧାୟକ ଶ୍ରୀ ଗଣ୍ଡ, ସନ୍ତୋଷ ମହାପାତ୍ର ସମେତ ଶତାଧିକ କର୍ମୀ ଓ କିଛି ପୁଲିସ ଆହତ ହୋଇଥିଲେ | ଏଥିସହିତ ସେମାନଙ୍କ ମଧ୍ୟରୁ ମୁଣ୍ଡିବେଡା ପଂଚାୟତର ଖିଡ଼ିଙ୍ଗିମାଲ ଗ୍ରାମର ବିକ୍ରମ ମାଝୀ ଗୁରୁତର ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି | ଆଜିର ଏଭଳି ଘଟଣା ରାଇଘର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l