ହନିମୁନ୍ ଆଇଲ୍ୟାଣ୍ଡ୍‌ ଧ୍ବଂସ; ମାଟିରେ ମିଶିଲା ପ୍ରକୃତି ନିବାସ, ସଫା ହୋଇଗଲା ସବୁଜିମା

ପୁରୀ : ଦେଶ ବିଦେଶର ପର୍ଯ୍ୟଟକଙ୍କ ସବୁଠୁ ପ୍ରିୟ ତଥା ବହୁ ପରିଚିତ ଚିଲିକାର ହନିମୁନ ଆଇଲ୍ୟାଣ୍ଡ (ଦୀପାଞ୍ଚଳ) ପାଲଟିଛି ଧ୍ବଂସସ୍ତୁପ। ଏଠାରେ ଆଉ ଦେଖବାକୁ ମିଳିବ ନାହିଁ ପର୍ଯ୍ୟଟକଙ୍କ ଗହଳି। ଫନି ପ୍ରଭାବରେ ଚିଲିକା ମଝିରେ ଥିବା ଏହି ଆଇଲ୍ୟାଣ୍ଡ ସଂପୂର୍ଣ୍ଣ ଛାରଖାର୍‌ ହୋଇଯାଇଛି। କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଏହି ଆଇଲ୍ୟାଣ୍ଡ (ରାଜହଂସ)କୁ ବର୍ଷତମାମ ଦେଶ ତଥା ବିଦେଶରୁ ଭିଭିଆଇପି ପର୍ଯ୍ୟଟକମାନେ ଆସିଥାନ୍ତି। ସମୁଦ୍ର ଭିତରେ ପ୍ରାୟ ତିନି ଘଣ୍ଟା ଯାତ୍ରା କରିବା ପରେ ଏହି ଆଇଲ୍ୟାଣ୍ଡରେ ପହଞ୍ଚିବାର ସୁଯୋଗ ମିଳିଥାଏ। ନିର୍ଜନତା ଏବଂ ପ୍ରାକୃତିକ ଶୋଭା ଏବଂ ସମୁଦ୍ରକୂଳର ପରିବେଶ ପର୍ଯ୍ୟଟକ ମହଲରେ ପ୍ରଥମ ପସନ୍ଦ ହୋଇଆସିଛି। ପର୍ଯ୍ୟଟକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏଠାରେ ଏକ ଉନ୍ନତମାନର ଡାକବଙ୍ଗଳା (ପ୍ରକୃତି ନିବାସ) ନିର୍ମାଣ କରାଯାଇଥିଲା। ବିଶେଷ କରି ଏହି ରାଜହଂସରେ ରାତ୍ରୀଯାପନ କରିବାର ଅନୁଭୂତି ନିଆରା ହୋଇଥାଏ। ଗୋଟିଏ ପଟେ ସମୁଦ୍ରର ବେଳାଭୂମି ଏବଂ ଅନ୍ୟପଟେ ଚିଲିକାର ଧୀର-ଶାନ୍ତ ଜଳରାଶି ପର୍ଯ୍ୟଟକମାନଙ୍କ ମନକୁ ଭିନ୍ନ ଜଗତକୁ ନେଇଯାଇଥାଏ। ଆଜି ବନ ବିଭାଗର କିଛି ଅଧିକାରୀ ଏହି ଅଞ୍ଚଳ ପରିଦର୍ଶନରେ ଯାଇ ଏଠାକାର ପରିସ୍ଥିତିକୁ ଅନୁଧ୍ୟାନ କରି ଫେରିଛନ୍ତି। ଏହି ପ୍ରକୃତି ନିବାସର ଚତୁର୍ପାର୍ଶ୍ବରେ ଥିବା ସମସ୍ତ ଗଛ ଭାଙ୍ଗି ନଷ୍ଟଭ୍ରଷ୍ଟ ହୋଇଯାଇଛି। ଗ୍ରୀଷ୍ମ ଦିନର କଷ୍ଟକୁ ମଧ୍ୟ ଏଠାରେ ଜଙ୍ଗଲର ଛାଇ ଦୂର କରିଦେଇଥାଏ। ଆଜି ସେସବୁ ଶ୍ରୀହୀନ ହୋଇପଡ଼ିଛି।

ସମ୍ବନ୍ଧିତ ଖବର