ପଂଚାୟତିରାଜ ସଂସ୍ଥା ସଦସ୍ୟଙ୍କ ପାରିତୋଷିକ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ତ୍ରିସ୍ତରୀୟ ପଂଚାୟତିରାଜ ସଂସ୍ଥାଗୁଡ଼ିକର  ନିର୍ବାଚିତ ସଦସ୍ୟଙ୍କ ପାରିତୋଷିକ ବୃଦ୍ଧି କରିଛନ୍ତି। ଏଥି ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ପାରିତୋଷିକ ରାଶି ବୃଦ୍ଧି ୨୦୨୦ ଏପ୍ରିଲ ୧ରୁ ପିଛଲା ଭାବେ ଲାଗୁ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ପାରିତୋଷିକ ରାଶି ବୃଦ୍ଧି କରାଯିବା ପରେ ଗ୍ରାମପଂଚାୟତ, ପଂଚାୟତ ସମିତି ଓ ଜିଲ୍ଲା ପରିଷଦକୁ ନିର୍ବାଚିତ ଜନପ୍ରତିନିଧିମାନେ ଉପକୃତ ହେବେ। ଗ୍ରାମପଂଚାୟର ନାଏବ ସରପଞ୍ଚମାନଙ୍କୁ ଆଗରୁ ୭୫୦ ଟଙ୍କା ମିଳୁଥିବା ବେଳେ ଏବେ ୯୪୦ ଟଙ୍କା ମିଳିବ। ସରପଞ୍ଚମାନେ ୧୮୮୦ ଟଙ୍କା ପାଉଥିବା ବେଳେ ଏବେ ଏହି ରାଶି ୨୩୫୦ଟଙ୍କା ହୋଇଛି।

ପଂଚାୟତ ସମିତିର  ନିର୍ବାଚିତ ସଦସ୍ୟମାନେ ଆଗରୁ ୧୮୮୦ଟଙ୍କା ପାରିତୋଷିକ ରାଶି ପାଉଥିବା ବେଳେ ଏବେ ଏହି ରାଶି ୨୩୫୦ଟଙ୍କା ହୋଇଛି। ବ୍ଲକ ଉପାଧ୍ୟକ୍ଷମାନେ ମଧ୍ୟ ଆଗରୁ ୧୮୮୦ ଟଙ୍କା ପାଉଥିବା ବେଳେ ଏବେ ୨୩୫୦ ଟଙ୍କା ପାଇବେ। ସେହିପରି ବ୍ଲକ ଅଧ୍ୟକ୍ଷଙ୍କ ପାରିତୋଷିକ ରାଶି ୨୮୨୦ ଟଙ୍କା ଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ରାଶି ଅନୁସାରେ ସେମାନେ ୩୫୩୦ଟଙ୍କା ପାଇବେ।

ଜିଲ୍ଲା ପରିଷଦ ସଦସ୍ୟମାନେ ଆଗରୁ ପାରିତୋଷିକ ରାଶି ଭାବେ ୨୮୨୦ ଟଙ୍କା ପାଉଥିଲେ। କିନ୍ତୁ ଏବେ ସେମାନେ ୩୫୩୦ ଟଙ୍କା ପାଇବେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କୁ ପୂର୍ବରୁ ୫୬୩୦ ଟଙ୍କା ମିଳୁଥିଲା। ଏବେ ଏହା ୭୦୪୦ ଟଙ୍କା ହୋଇଯାଇଛି। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷମାନଙ୍କୁ ରାଜ୍ୟ ସରକାର ୯୩୮୦ ଟଙ୍କା ପାରିତୋଷିକ ରାଶି ଦେବେ। ପୂର୍ବରୁ ଏହା ୭୫୦୦ ଟଙ୍କା ଥିଲା।

ସମ୍ବନ୍ଧିତ ଖବର