ପାଳଲହଡ଼ାରେ ‘ଅନର୍‌ କିଲିଂ’ : ପତ୍ନୀଙ୍କୁ ମାରିଦେଲେ, ବର୍ତ୍ତିଗଲେ ସ୍ବାମୀ

ପାଳଲହଡ଼ା : ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ସଇଡ଼ା ଗାଁରେ ଘଟିଛି ‘ଅନର୍‌ କିଲିଂ’। ସଂପର୍କୀୟ ଭାଇ-ଭଉଣୀ ପ୍ରେମ ବିବାହ କରିଥିବାରୁ ଏହାକୁ ଜାତି ସମାଜ ଗ୍ରହଣ କରି ପାରିନଥିଲା। ଆଉ ଗତରାତିରେ ଉଭୟ ପତିପତ୍ନୀଙ୍କୁ ହତ୍ୟା କରିବା ଲାଗି ଯୋଜନା ହୋଇଥିବା ବେଳେ ପତି ଜଗ କେରାଇ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ ଜଗଙ୍କ ପତ୍ନୀ ରାନୀ କେରାଇଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯିବା ପରେ ହତ୍ୟାକାରୀମାନେ ମୃତଦେହକୁ ଏକ ଗଛରେ ଟାଙ୍ଗି ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ, ସଇଡ଼ା ଗାଁ କେଲସାହିର ବାସିନ୍ଦା ଜଗ କେରାଇ ନିଜ ସଂପର୍କୀୟ ବଡ଼ ବାପାଙ୍କ ଝିଅ ରାନୀଙ୍କୁ ଭଲ ପାଉଥିଲେ। ପ୍ରାୟ ୩ ବର୍ଷ ହେଲା ସେମାନେ ପତିପତ୍ନୀ ଭାବେ ଏକାଠି ରହୁଥିଲେ। ଏହାକୁ କିନ୍ତୁ ସେମାନଙ୍କ ଜାତି ସମାଜ ଗ୍ରହଣ କରିନଥିଲା। ରକ୍ତ ସଂପର୍କରେ ସେମାନେ ବିବାହ କରିଥିବାରୁ ସେମାନଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଜଗ ଗତକାଲି ପତ୍ନୀ ରାନୀଙ୍କ ସହିତ ଗାଁ ନିକଟ ବିଜୁସାହିକୁ ‘ମାଗେ ପରବ’ ଦେଖିବାକୁ ଯାଇଥିଲେ। ବିଜୁସାହିର ବିଜୁ କେରାଇ ଓ ମସ କେରାଇଙ୍କ ସହିତ ଉପରୋକ୍ତ ଘଟଣାକୁ ନେଇ ସେମାନଙ୍କର ବଚସା ହୋଇଥିଲା। ପରବ ଦେଖି ମଧ୍ୟରାତ୍ରିରେ ବିଜୁସାହିରୁ ନିଜ ଘରକୁ ଫେରୁଥିବା ବେଳେ ବାଟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବିଜୁ ଓ ମସ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଠେଙ୍ଗାରେ ଉଭୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଜୀବନ ବିକଳରେ ସେମାନେ ଦୌଡ଼ି ପଳାଇ ଆସିବାକୁ ଚେ‌ଷ୍ଟା କରିଥିଲେ। ଜଗ ଏଥିରେ ସଫଳ ହୋଇଥିବା ବେଳେ ରାନୀ କିନ୍ତୁ ସେଠାରେ ପଡ଼ି ଯାଇଥିଲେ। ରାନୀଙ୍କୁ ସେ ଦୁହେଁ ପିଟି ପିଟି ମାରି ଦେଇଥିଲେ। ରାନୀଙ୍କ ପ୍ରାଣବାୟୁ ଉଡ଼ିଯିବା ପରେ ଉଭୟେ ଗାଁଠାରୁ ପ୍ରାୟ ୧ କି.ମି. ଦୂର ଜଙ୍ଗଲରେ ଏକ ଶାଳଗଛରେ ପିନ୍ଧାଲୁଗା ଦ୍ବାରା ଶବକୁ ଝୁଲାଇ ଦେଇଥିଲେ। ପାଳଲହଡ଼ା ପୁଲିସ ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥି‌େଲ। ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜଗଙ୍କ ଅଭିଯୋଗ କ୍ରମେ ପୁଲିସ ବିଜୁ ଓ ମସଙ୍କୁ ଥାନାରେ ଅଟକ ରଖିଛି। ଘଟଣା ସଂପର୍କରେ ତଦନ୍ତ ଜାରି ରହିଥିବା ଥାନାଧିକାରୀ କିଶୋର ସାମଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର