ରାଜଧାନୀରେ ଅନର କିଲିଂ! ଗଛରୁ ନାବାଳିକାର ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ୱର : ରାଜଧାନୀରେ ଅନର କିଲିଂ ସନ୍ଦେହ। ପ୍ରେମ ସମ୍ପର୍କକୁ ନେଇ ପରିବାର ଲୋକେ ଜଣେ ନାବାଳିକାକୁ ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ଅପରପକ୍ଷରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ନାବାଳିକାର ଭାଇ ଓ ବାପା ପୁଲିସ ଆଗରେ କହିଛନ୍ତି। ଉଭୟ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ନାବାଳିକାକୁ ମାରି ଦୁଆରେ ଥିବା ପିଜୁଳି ଗଛରେ ଟାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଗୋଡ଼ ଓ ହାତ ବନ୍ଧା ହୋଇଛି। ଏଭଳି ଅଭାବନୀୟ ଘଟଣା ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଘଟିଛି। ଶବକୁ ପୁଲିସ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେଠାରେ ସନ୍ଦେହ ଜନକ ଭାବରେ ବୁଲୁଥିବା ଜଣେ ଯୁବକକୁ ସ୍ଥାନୀୟ କ୍ଲବ ସଦସ୍ୟ ଧରି ପୁଲିସ ଜିମା ଦେଇଛନ୍ତି।

ମୃତ ନାବାଳିକା ହେଉଛନ୍ତି ଡୁମୁଡୁମା ଫେଜ୍‌ ୨ରେ ରହୁଥିବା ଯାଜପୁରର ମଇନ ଜେନାଙ୍କ ଝିଅ ସସ୍ମିତା ଜେନା। ପରିବାରରେ ପତ୍ନୀ, ୩ ଝିଅ ଓ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ଝିଅର ବାହାଘର ସରିଛି। ସସ୍ମିତା ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ତା’ ଛଡ଼ା ସେ ଭଲ ଗୀତ ମଧ୍ୟ ଗାଆନ୍ତି। ମେଲୋଡି, ଆଲବମ୍‌ ଓ ବିଭିନ୍ନ ପ୍ରତିଯୋଗିତାରେ ଗୀତ ଗାଉଥିବାରୁ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସମ୍ପୃକ୍ତ କଲୋନିରେ ସେ ମଧ୍ୟ ବେଶ୍‌ ଜଣାଶୁଣା। ତାଙ୍କର ମୃତ୍ୟୁ ଖବର ମିଳିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଏ ନେଇ ମୃତ ନାବାଳିକାଙ୍କ ଭାଇ ସୌମ୍ୟରଞ୍ଜନ ଜେନା ହତ୍ୟା ଅଭିଯୋଗ କରିଛନ୍ତି। ତଣ୍ଟିଚିପି ହତ୍ୟା କରିବା ପରେ ଟାଙ୍ଗି ଦିଆ ଯାଇଥିବା ସେ ଅଭିଯୋଗ କରିଛନ୍ତି। ବାପା ମଇନ ଜେନା ଓ ମା’ ରଞ୍ଜୁଲତା ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ ସହ ପ୍ରାଥମିକ ତଦନ୍ତ ପରେ ପୁଲିସ ଭିନ୍ନ କଥା କହିଛି। ଇନ୍‌ସ୍‌ପେକ୍ଟର ରଶ୍ମିରଞ୍ଜନ ମହାପାତ୍ରଙ୍କ ସୂଚନା ମୁତାବକ, ପୁଲିସ ପହଞ୍ଚିବା ପୂର୍ବରୁ ଝୁଲନ୍ତା ମୃ୍ତଦେହ ପରିବାରବର୍ଗ ଉଦ୍ଧାର କରିଛନ୍ତି। ବଡ଼ ଗଛରେ ମୃତ ନାବାଳିକା ଚଢ଼ି ନାହିଁ, ବରଂ ଶାଢ଼ିକୁ ଉପରକୁ ଫିଙ୍ଗି ଫାଶ ପକାଇଥିବା ଅନୁମାନ କରାଯାଉଛି। ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନାହିଁ। ଅଟକ ଯୁବକ ଜଣକ ନାବାଳିକାକୁ ପ୍ରେମ କରୁଥିବା କହିଛି। ତେବେ ମୃତକଙ୍କ ଭାଇ କରିଥିବା ହତ୍ୟା ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ଇନ୍‌ସ୍‌ପେକ୍ଟର ଶ୍ରୀ ମହାପାତ୍ର କହିଛନ୍ତି।

ଅପରପକ୍ଷରେ ସ୍ଥାନୀୟ ଲୋକ ସୂଚନା ମୁତାବକ ନାବାଳିକାଙ୍କ ପ୍ରେମ ସମ୍ପର୍କକୁ ନେଇ ଘରେ ଅନେକ ସମୟରେ ବିବାଦ ହେଉଥିଲା। ଏହି ସମ୍ପର୍କକୁ ଘର ଲୋକ ସ୍ବୀକୃତି ଦେଉନଥିଲେ। ଏ ନେଇ ପାଟିତୁଣ୍ଡ କରୁଥିଲେ। ଘଟଣାଦିନ ରାତିରେ ମଧ୍ୟ ଘରେ ପାଟିତୁଣ୍ଡ ହୋଇଥିବା ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର