କେନ୍ଦୁଝରରେ ଅନରକିଲିଂ!

ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝରରେ ଅନରକିଲିଂ! ଜଙ୍ଗଲରୁ ମିଳିଥିବା ୨ ଯୁବକଯୁବତୀଙ୍କ ମୃତ୍ୟୁର ପାରିପାର୍ଶ୍ବିକ ସ୍ଥିତିରୁ ଏହା ସନ୍ଦେହ କରାଯାଉଛି। ‌ତେବେ, କେହି କେହି ଏହାକୁ ଆତ୍ମହତ୍ୟାର ରୂପ ଦେଇଛନ୍ତି। ପୁଲିସ୍‌ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି କୁହାଯାଉଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହାତୀଶିଳା ଜଙ୍ଗଲରୁ ଆଜି ୨ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯୁବକ ବିବାହିତ ହୋଇଥିବାବେଳେ ଯୁବତୀ ଅବିବାହିତ। ଏହି ଯୁବକ ହେଉଛନ୍ତି ସ୍ଥାନୀୟ ବାରାଗଡ଼ ପଞ୍ଚାୟତ ଅନ୍ତର୍ଗତ ହାତୀଶିଳା ଗାଁର ଲୁଲୁ ସନଙ୍ଗି (୪୦)। ଲୁଲୁଙ୍କର ନିକଟସ୍ଥ ମୁଣ୍ତୁଳା ଗ୍ରାମର ସେପିରି ସନଙ୍ଗିଙ୍କ ମଧ୍ୟରେ ପ୍ରେମ ସ˚ପର୍କ ଗଢ଼ି ଉଠିଥିଲା। ଲୁଲୁ ପୂର୍ବରୁ ଦୁଇଥର ବିବାହ କରିଥିବାବେଳେ ଘରେ ଦୁଇ ପତ୍ନୀ ଓ ୫ଟି ସନ୍ତାନ ଅଛନ୍ତି। ଗତ ୩ ତାରିଖରୁ ଉଭୟଙ୍କ କୌଣସି ଖୋଜ୍‌ଖବର ମିଳିନଥିଲା। ତେବେ, ୧୦ ଦିନ ପରେ ଆଜି ନିକଟସ୍ଥ ହାତୀଶିଳା ଜଙ୍ଗଲରେ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପଣ୍ଡାପଡ଼ା ପୁଲିସ ପହଞ୍ଚି ଶବ ଜବତ କରିଛି।

ଲୁଲୁ ପୂର୍ବରୁ ଦୁଇଥର ବିବାହ କରିବା ପରେ ମଧ୍ୟ ପୁଣି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ଉଭୟଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଆଲୋଚନା ହେଉଛି।

ଏ ନେଇ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ରଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଜଂଗଲରୁ ଶବ ଉଦ୍ଧାର କରି ଅଣାଯାଉଛି। ଘଟଣାସ୍ଥଳରୁ କୀଟନାଶକ ଔଷଧ ମିଳିଛି। ଏହାସହ ମୃତ ଲୁଲୁଙ୍କ ଘରୁ ଏକ ହାତଲେଖା ଚିଠି ମିଳିଛି, ଯେଉଁଥିରେ ମତେ ଆଉ ଖୋଜିବ ନାହିଁ ବୋଲି ଲେଖାହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର