ଗଣିଆରେ ଅନର୍‌କିଲିଂ ସନ୍ଦେହ : ଶୋଇଥିବା ଅବସ୍ଥାରେ ଯୁବତୀଙ୍କୁ ହତ୍ୟା

ପ୍ରେମକୁ ବିରୋଧ କରୁଥିଲେ ପରିବାର, ଭାଇକୁ ଅଟକ ରଖିଲା ପୁଲିସ

ନୟାଗଡ଼/ଗଣିଆ : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଜଣେ ଯୁବତୀ ହତ୍ୟାର ଶିକାର ହୋଇଛନ୍ତି। ଯୁବତୀ ଜଣଙ୍କ ନୟାଗଡ଼ର ଜଣେ ଯୁବକଙ୍କୁ ଭଲ ପାଉଥିବାବେଳେ ପରିବାର ‌ଲୋକ ଏହି ପ୍ରେମକୁ ବିରୋଧ କରୁଥିଲେ। ‌ତେଣୁ ଏହା ଏକ ଅନର୍‌କିଲିଂ ବୋଲି ଗଣିଆ ପୁଲିସ ସନ୍ଦେହ କରୁଛି। ହତ୍ୟାର ଶିକାର ହୋଇଥିବା ଯୁବତୀ ହେଉଛନ୍ତି ମମତା ରାଉତ(୨୬)। ସେ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋରେ ଏକ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଏହି ନାରକୀୟ କାଣ୍ଡ ନେଇ ଯୁବତୀଙ୍କ ସାନଭାଇକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ମମତା ସ୍ବାଭାବିକ ଭାବେ ପରିବାର ଲୋକଙ୍କ ସହ ଖାଇପିଇ ନିଜଘରେ ‌ଶୋଇଥି‌ଲେ। ଭୋର ୪ଟା ବେଳେ ଝିଅର ରକ୍ତ ଜୁଡ଼ୁବୁଡ଼ୁ ଶବ ଦେଖିଥିବା ତାଙ୍କ ବାପା ପ୍ରହ୍ଲାଦ ରାଉତ ଥାନାକୁ ଯାଇ ଅଭିଯୋଗ କରିଥିଲେ ।

ଗଣିଆ ପୁଲିସ ତତ୍‌କ୍ଷଣାତ୍‌ ବିଜୟନଗରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ମମତାଙ୍କୁ ଶୋଇଥିବା ଅବସ୍ଥାରେ ସମ୍ଭବତଃ ହତ୍ୟା କରାଯାଇଥିବା ପୁଲିସ୍‌ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ଏପରିକି ଯୁବତୀଙ୍କ ମୁଣ୍ଡରେ ବି ଏକାଧିକ ଚୋଟର ଦାଗ ରହିଛି। ପୁଲିସ୍‌ ଘଟଣାସ୍ଥଳରୁ କଟୁରୀ ସମେତ ରକ୍ତଭିଜା କପଡ଼ା ଜବତ୍‌ କରାଯାଇଛି। ‌l ପୁଲିସ୍‌ ସୂଚନାକୁ କେନ୍ଦ୍ରକରି ବିଭିନ୍ନ ଦିଗକୁ ତର୍ଜମା କରୁଛି। ଏହି ଘଟଣାରେ ମୃତ ଯୁବତୀଙ୍କ ପ୍ରେମିକର ଭୂମିକା ନଥିବା, ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ, ଏହି ବୀଭତ୍ସ ହତ୍ୟାକାଣ୍ଡ ପଛରେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରୁଥିବା ଜଣାପଡ଼ିଛି। ଯେଉଁଥିପାଇଁ ପୁଲିସ୍‌ ମୃତ ଯୁବତୀଙ୍କ ସାନଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆସନ୍ତାକାଲି ପରିବାରର ଅନ୍ୟ ସଦସ୍ୟଙ୍କୁ ଡକାଯାଇ ଅଧିକ ପଚରାଉଚରା କରାଯିବା ସହିତ ଘଟଣା ଉପରୁ ସଂପୂର୍ଣ୍ଣ ପରଦା ହଟିବ ବୋଲି ଓଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।

ଖଣ୍ଡପଡ଼ା ଏସ୍‌ଡିପିଓ ବିଶ୍ବପ୍ରକାଶ ପଟ୍ଟନାୟକ, ଗଣିଆ ଥାନା ଓଆଇସି ଶ୍ରୀ ପରିଡ଼ା ପ୍ରମୁଖ ମୃତକଙ୍କ ଘରେ ପହଞ୍ଚି ବିଭିନ୍ନ ଦିଗ ଅନୁଧ୍ୟାନ କରିଥିଲେ। ଡଗ୍‌ ସ୍କ୍ବା‌ଡ, ସାଇଣ୍ଟିଫିକ୍‌ ଟିମ୍‌ ସହାୟତ‌ରେ ଅନ୍ୟାନ୍ୟ ଜିନିଷ ଯାଞ୍ଚ କରଯା‌ଇଛି। ଶବ ଜବତ କରାଯାଇ ଏହାକୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବ‌ଚ୍ଛେଦ ନିମନ୍ତେ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଜାଗିଗତ କାରଣରୁ ହୁଏତ ପ୍ରେମିକକୁ ମମତାଙ୍କ ପରିବାର ବିରୋଧ କରୁଥିଲେ। ଯାହାକୁ ନେଇ ଅନେକ ସମୟରେ ଘରେ ଅଶାନ୍ତି ସୃଷ୍ଟି ହେଉଥିଲା।

ସମ୍ବନ୍ଧିତ ଖବର