କଟକ: ‘ଘିବ୍‌ଲି’ରେ ଫଟୋ ଅପ୍‌ଲୋଡ୍‌ କରି ନିଜର କାର୍ଟୁନ୍‌ ଚିତ୍ର ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ନେଇ ଚିନ୍ତାରେ ପଡ଼ିଲାଣି କ୍ରାଇମ୍‌ବ୍ରାଞ୍ଚ। ନିଜର ବ୍ୟକ୍ତିଗତ ଫଟୋ ଏହି ଆପ୍ଲିକେସନ୍‌ରେ ଅପଲୋଡ୍ କରିବା ଦ୍ବାରା ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାରି ମାଧ୍ୟମରେ ବ୍ୟାଙ୍କର ଗୋପନୀୟ ତଥ୍ୟ ଚୋରି କରି ସାଇବର୍ ଅପରାଧୀ ଟଙ୍କା ପୋଛିନେବା କିଛି ବଡ଼ କଥା ନୁହେଁ। ତେବେ ସାମାଜିକ ଗଣମାଧ୍ୟମରେ ଏଭଳି ଆପ୍ଲିକେସନ୍ ବ୍ୟବହାର ଓ ଏଥିରେ ଫଟୋ ଅପ୍‌ଲୋଡ୍‌ କରିବାକୁ ସାଇବର୍ ପୁଲିସ ସମସ୍ତଙ୍କୁ ସତର୍କ କରାଇଛି। ପୂର୍ବରୁ କ୍ଲିୟର୍‌ ଭ୍ୟୁ, ଫେସ୍ ଆପ୍ ବେଆଇନ କାର୍ଯ୍ୟକଳାପ ପାଇଁ ଧରାପଡ଼ିଥିବା ବେଳେ ଏବେ ‘ଘିବ୍‌ଲି’ ସେଭଳି ରାସ୍ତାରେ ଯାଉଥିବା କୁହାଯାଉଛି।

Advertisment

ପୂର୍ବରୁ ଧରାପଡ଼ିଥିଲା କ୍ଲିୟର୍‌ ଭ୍ୟୁ,ଫେସ୍ ଆପ୍

ଜାପାନୀ ଆନିମେସନ୍ ଫିଲ୍ମ ଷ୍ଟୁଡିଓ ‘ଘିବ୍‌ଲି’ରେ ଫଟୋ ଅପ୍‌ଲୋଡ୍‌ କରିବା ଦ୍ବାରା ଏଆଇ ମାଧ୍ୟମରେ ମୋବାଇଲ୍ ତଥ୍ୟ ଚୋରି ହେବା ସହିତ ସାଇବର୍ ଅପରାଧ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ଆପ୍ଲିକେସନ୍‌ରେ ଥିବା ନିୟମ ଏବଂ ସର୍ତ୍ତାବଳୀ ବିଷୟରେ ବ୍ୟବହାରକାରୀ ଅଜ୍ଞ ରହୁଥିବାରୁ ଫଟୋର ଅପବ୍ୟବହାର ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଏହି ଫଟୋକୁ ବ୍ୟବହାର କରାଯାଇ ଡିପ୍ ଫେକ୍ ଭିଡିଓ ତିଆରି କରାଯିବାର ମଧ୍ୟ ସମ୍ଭାବନା ରହିଛି। ଡିପ୍ ଫେକ୍ ଭିଡିଓ ଦ୍ବାରା କାହାରିକୁ ବି ବଦନାମ କରିବା ପାଇଁ ସୁଯୋଗ ମିଳିପାରେ। ଫଟୋକୁ ବ୍ୟବହାର କରି ନକଲି ପ୍ରୋଫାଇଲ୍ ତିଆରି କରାଯିବା ସହ ଲୋକଙ୍କୁ ବଦନାମ କରିବା ପାଇଁ ପ୍ରସାରିତ କରାଯାଇପାରିବ। ମୋବାଇଲରୁ ବ୍ୟବହାରକାରୀଙ୍କ ବ୍ୟାଙ୍କ ସଂକ୍ରାନ୍ତ ତଥ୍ୟ ମଧ୍ୟ ଚୋରି କରାଯାଇପାରେ।

ବ୍ୟବହାରକାରୀଙ୍କ ଫଟୋଗୁଡ଼ିକ ଆପରାଧିକ କାର୍ଯ୍ୟକଳାପରେ ବ୍ୟବହାର ହେଲେ ସେମାନେ ଆଇନଗତ ସମସ୍ୟାର ସାମନା କରିବା ଆଶଙ୍କା କରାଯାଉଛି। 
ସାଇବର୍ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ଫଟୋ ଯେହେତୁ ଅପ୍‌ଲୋଡ୍‌ ହେଉଛି, ଏହା ପରବର୍ତ୍ତୀ ସମୟରେ ଅପବ୍ୟହାର ହୋଇପାରେ। ଚାଟ୍ ଜିପିଟି ଏହାକୁ ବେଆଇନ କାର୍ଯ୍ୟକଳାପରେ ବ୍ୟବହାର କରିପାରେ। ଏଥିରୁ ଡିପ୍ ଫେକ୍ ପ୍ରସ୍ତୁତ ହୋଇପାରେ। ‘ଘିବ୍‌ଲି’ ମାଧ୍ୟମରେ ମୁହଁର ବାୟୋମେଟ୍ରିକ ବି ଦିଆଯାଉଛି। ନିକଟରେ ଏକ ଫେସିଆଲ୍ ଆପ୍ ‘କ୍ଲିୟର ଭ୍ୟୁ’ ଏଆଇ ଧରାପଡ଼ିଥିଲା। ସେହି ପ୍ରକ୍ରିୟାରେ ୩୦୦ କୋଟି ଫଟୋ ବିକ୍ରି ହୋଇଥିଲା। ସେହିଭଳି ‘ଫେସ୍ ଆପ୍’ ମଧ୍ୟ ଧରାପଡ଼ିଥିଲା ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।