ବରଗଡ଼ : ଦୀର୍ଘ ତିନି ବର୍ଷ ହେଲା ଠପ୍ ପଡ଼ିଥିବା ବରଗଡ଼ ଚିନିକଳର ପୁନରୁଦ୍ଧାର ପାଇଁ ବାଟ ଫିଟୁନାହିଁ। ଗତବର୍ଷ ରାଜଧାନୀରେ ଉଚ୍ଚସ୍ତରୀୟ ବୈଠକ ବସିଥିଲେ ହେଁ କିଛି ଫଳ ମିଳିନାହିଁ। ବୈଠକରେ ଏକ ଟିମ୍ ଆସି ଚିନି କଳର ତଦାରଖ କରିବାକୁ ନିଷ୍ପତ୍ତି ହୋଇଥିଲା। ତଦାରଖ ପରେ ଟିମ୍ ବିସ୍ତୃତ ରିପୋର୍ଟ ସରକାରଙ୍କ ପାଖରେ ଦାଖଲ କରିବା ପରେ ଚିନି କଳର ପୁନରୁଦ୍ଧାର ପାଇଁ ଠୋସ୍ ପଦକ୍ଷେପ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଉକ୍ତ ଟିମ୍ର ଦେଖାଦର୍ଶନ ନାହିଁ। ବର୍ଷ ବର୍ଷ ଧରି ବନ୍ଦ ଥିବା ଚିନିକଳର କର୍ମଚାରୀଙ୍କୁ ପାଉଣା ବି ମିଳିନାହିଁ। ବାରମ୍ବାର ଦାବି କରିଥିଲେ ହେଁ ଦରମା ମିଳିବା ତ ଦୂରର କଥା ପର୍ଯ୍ୟାପ୍ତ ଟଙ୍କା ଥିବା ସତ୍ବେ କାରଖାନା କାର୍ଯ୍ୟକ୍ଷମ ପାଇଁ ମଧ୍ୟ ସରକାର ଦୃଷ୍ଟି ଦେଉ ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
କାରଖାନାର ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଏବେ ଖତ ଖାଉଛି। ଖରା-ବର୍ଷା ମାଡ଼ରେ ସବୁ ନଷ୍ଟ ହେବାକୁ ଲାଗିଛି। ଇତିମଧ୍ୟରେ ଯନ୍ତ୍ରାଂଶ ଏବଂ କାରଖାନା ପରିସରରେ ଥିବା ସାମଗ୍ରୀ ବ୍ୟାପକ ଭାବେ ଚୋରି ହେବାକୁ ଲାଗିଛି। ସୁରକ୍ଷା ପାଇଁ କର୍ମଚାରୀ ଏବଂ ବୁଦ୍ଧିଜୀବୀମାନେ ଦାବି କରିଥିଲେ ହେଁ କିଛି ଠୋସ୍ ବ୍ୟବସ୍ଥା ନାହିଁ। କାରଖାନା ଉପରେ ନିର୍ଭର କରୁଥିବା କର୍ମଚାରୀ ଏବଂ ଅନୁବନ୍ଧିତ ଆଖୁ ଚାଷୀ ଆଶଂକା ଭିତରେ ଅଛନ୍ତି। ଯିଏ ଚିନିକଳ ପରିଚାଳନା ଦାୟିତ୍ବ ନେଉଛି, ସେ ହାତ ଟେକି ଦେଉଛି। ୦୧୫ ମସିହାରୁ ୭ଜଣ ଅଧିକାରୀ ଚିନିକଳର ପରିଚାଳନା ଦାୟିତ୍ବରେ ଥିଲେ ହେଁ ଏହାର କାର୍ଯ୍ୟକ୍ଷମ ପାଇଁ କିଛି ପଦକ୍ଷେପ ହୋଇନାହିଁ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୫ବର୍ଷ ହେଲା ଚିନିକଳ ସହ ଅନୁବନ୍ଧିତ ଚାଷୀଙ୍କୁ କିଛି ସହାୟତା ମିଳିନାହିଁ। ଏଠାକାର ଉତ୍ପାଦିତ ଆଖୁକୁ ଢେଙ୍କାନାଳ ପଠାଯାଉଛି। ତେଣୁ ଢେଙ୍କାନାଳର ମିଲ୍କୁ ବରଗଡ଼ ଚିନିକଳ ଲିଜ୍ ସୂତ୍ରରେ ଦେଇ ଚାଲୁ କରିବାକୁ ମଧ୍ୟ ଚାଷୀମାନେ ଦାବି କରିଥିଲେ। କିନ୍ତୁ ଏହି ଦାବି ମଧ୍ୟ ଅଣଦେଖା ହୋଇ ରହିଯାଇଛି। ତେଣୁ ଚିନିକଳର ଭବିଷ୍ୟତ କଣ ହେବ, ତାହା ଏବେ ରହସ୍ୟ ଘେରରେ ରହିଯାଇଛି।