ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ର ଧାନ ବିହନର ଚାହିଦା ବଢ଼ୁଛି। ଓଡ଼ିଶା ବିହନ ନିମ୍ନମାନର ଓ ତାହା ଗଜା ହେଉ ନଥିବା ଅଭିଯୋଗ କରୁଛନ୍ତି ଚାଷୀ । ଅନ୍ୟ ପକ୍ଷରେ ଆନ୍ଧ୍ର ବିହନର ଦର ଅଧିକ ଥିଲେ ମଧ୍ୟ ଏହା ଉନ୍ନତ ମାନର ବୋଲି ବହୁ ଚାଷୀ କହିଛନ୍ତି। ଜିଲ୍ଲାକୁ ଚଳିତ ଖରିଫ୍‌ ପାଇଁ ୫୦ହଜାର କ୍ବିଣ୍ଟାଲ୍‌ ଧାନ ବିହନର ଆବଶ୍ୟକତା ରହିଛି। କିନ୍ତୁ ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଣ ବିହନରୁ ମାତ୍ର ୨୨ହଜାର କ୍ବିଣ୍ଟାଲ୍‌ ବିକ୍ରି ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶା ବିହନ ଛାଡ଼ି ବିଭିନ୍ନ ବ୍ଲକ୍‌ର ଚାଷୀ ଏବେ ଆନ୍ଧ୍ର ଧାନ ବିହନ କିଣି ତଳି ପକାଇଛନ୍ତି।

Advertisment

ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍‌ରେ ମୋଟ ୪ଲକ୍ଷ ୫ହଜାର ୫୭୦ ହେକ୍ଟର୍‌ରେ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିରୁ ୧ଲକ୍ଷ ୭୯ହଜାର ୯୪୯ ହେକ୍ଟର୍‌ ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କୃଷି ବିଭାଗ ଦ୍ବାରା ଯୋଗାଣ ୨୦ କେଜିର ବିହନ ପ୍ୟାକେଟ୍‌କୁ ଚାଷୀକୁ ପ୍ରାୟ ୪୮୦ରୁ ୫ଶହ ଟଙ୍କା ଦେବାକୁ ପଡ଼ୁଛି। ଏହି ବିହନ ଗଜା ହେଉନଥିବା ସହ ଭଲ ଅମଳ ମଧ୍ୟ ଦେଉନଥିବା ଚାଷୀମାନେ କହିଛନ୍ତି। ଆନ୍ଧ୍ର ବିହନ ଦର ଓଡ଼ିଶା ବିହନ ଠାରୁ ବହୁତ ଅଧିକ ରହିଥିଲେ ସୁଦ୍ଧା ଚାଷୀ ସେହି ବିହନ କ୍ରୟ କରୁଥିବା ଚାଷୀ ନେତା ସୀମାଞ୍ଚଳ ନାହାକ କହିଛନ୍ତି। ଓଡ଼ିଶା ବିହନର ମାନ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି।