ସାତସପନ ବିଶୁଦ୍ଧ ପାଇପ ପାଣି: ଚୁଆ ପାଣିରେ ଚଳୁଛି ସାରାଜୀବନ

ରାଉରକେଲା: ନକ୍ସଲ ପ୍ରଭାବିତ ଓଡ଼ିଶା-ଝାଡ଼ଖଣ୍ଡ ବିଶ୍ରା ବ୍ଲକର ଚିରୁବେଡ଼ା ଗାଁ ଓ ଆଖପାଖର କିଛି ବସ୍ତି ଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସାତସପନ ପାଲଟିଛି। ଦୂଷିତ ଚୁଆ ପାଣି ଏମାନଙ୍କ ଶୋଷ ମେଣ୍ଟାଉଛି। କେବଳ ଶୋଷ ନୂହେଁ ଖାଦ୍ୟ ପ୍ରସ୍ତୁତିରେ ଚୁଆ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ଏମାନଙ୍କ ସାରାଜୀବନ ଚୁଆ ପାଣିରେ ଚଳୁଛି। ଏଭଳି ଦୟନୀୟ ସ୍ଥିତିରେ ଜୀବନ ଅତିବାହିତ କରୁଥିବା ଗାଁ ଓ ଏହାର ପାଖ ବସ୍ତିକୁ ଯେମିତି ଜିଲ୍ଲା ପ୍ରଶାସନ ସତେ ଯେମିତି ପାସୋରି ଯାଇଛି। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି ଗ୍ରାମବାସୀ ଚୁଆ ଖୋଳି ପାନୀୟ ଜଳ ସଂଗ୍ରହ କରୁଛନ୍ତି। ପ୍ରାୟ ୩୦୦ ଲୋକ ସଂଖ୍ୟା ବିଶିଷ୍ଟ ଚିରୁବେଡ଼ା ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ନ ଯିବା ଜିଲ୍ଲା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଛିଡା କରିଛି। ଖରାଦିନେ ସମସ୍ୟା ଆହୁରି ଜଟିଳ ହେଉଛି। ପାଣି ଟୋପେ ପାଇଁ ଏମାନେ ଗ୍ରାମ ଠାରୁ ପ୍ରାୟ ୧ କିଲୋମିଟ ଦୂର ନାଳା ପାଖରେ ଚୁଆ ଖୋଳୁଛନ୍ତି। ତା’ ପୁଣି ୫ କି ୧୦ଟି ଚୁଆ ନୁହେଁ, ଏକକାଳୀନ ୨୦/୩୦ ଚୁଆ ଖୋଳୁଛନ୍ତି। ପୁରା ପରିବାର ପାଣି ବର୍ଷ ତମାମ ସଂଘର୍ଷ କରୁଛନ୍ତି। ପିଲା ଛୁଆଙ୍କୁ ଧରି ନାଳା ପାଖରେ ଚୁଆ ଖୋଳୁଛନ୍ତି।

ସେଥରୁ ନିର୍ଗତ ଜଳ ପାଇଁ ସକାଳୁ ସକାଳୁ ଚୁଆ ଚତୁଃପାର୍ଶ୍ବରେ ଗ୍ରାମବାସୀମାନେ ଡେକ୍‌ଚି, ବାଲ୍‌ଟି ଧରି ଘଣ୍ଟା ଘଣ୍ଟା ଛିଡା ହେଉଛନ୍ତି। କାରଣ ଜଣେ ପାଣି ନେବା ପରେ ଚୁଆ ଶୁଖି ଯାଉଛି। ପୁଣି ଚୁଆରେ ପାଣି ଭରିବା ପର୍ଯ୍ୟନ୍ତ ଅନ୍ୟ ଜଣେ ବାଲ୍‌ଟି, ଡେକ୍‌ଚି ଧରି ସେମିତି ଛିଡା ରହୁଛି। ପାଣି ବାଲ୍‌ଟିଏ ପାଇଁ ଅଧିକାଂଶ ସମୟରେ ଗ୍ରାମର କିଛି ଲୋକଙ୍କୁ କାମ ବନ୍ଦ କରିବାକୁ ପଡୁଛି। କିଛି ଘରର ମୁରବି ପରିବାର ପ୍ରତିପୋଷଣ ପାଇଁ କାମ କରିବାକୁ ଯାଉଥିଲାବେଳେ ପିଲାମାନେ ସ୍କୁଲ ବନ୍ଦ କରି ପାଣି ଆଣିବାକୁ ଚୁଆକୁ ଯାଉଛନ୍ତି। ପ୍ରତିବର୍ଷ ନିର୍ବାଚନ ଆସିଲେ ଭୋଟ ପାଇଁ ରାଜନୈତିକ ଦଳର ନେତାଙ୍କ ସୁଅ ଛୁଟୁଛି। ପାନୀୟ ଜଳର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ନିର୍ବାଚନ ସରିବା ପରେ ଶାସକ ଦଳ ହେଉ ଅବା ବିରୋଧୀ ଦଳ କାହାରି ଜଣେ ହେଲେ ଗ୍ରାମରେ ପାଦ ପଡୁନି। ସମନ୍ତେ ଚିରୁବେଡା ବୋଲି ଗାଁ ଅଛି ବୋଲି ମନରୁ ପାସୋରି ଦେଉଛନ୍ତି।

ସେପଟେ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବିକାଶକୁ ଜୋର ଦିଆଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଚିରୁବେଡା ଗାଁର ଅସଲି ଚିତ୍ର ଉପାନ୍ତ ଅଞ୍ଚଳର ବିକାଶକୁ ସରକାର କେତେ ଗୁରୁତ୍ବ ଦେଉଛନ୍ତି,ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି। କେବଳ ଚିରୁବେଡ଼ା ଗାଁ ନୁହେଁ, ଏହାର ଆଖପାଖର କିଛି ବସ୍ତିବାସିନ୍ଦା ମଧ୍ୟ ପାନୀୟ ଜଳ ସଙ୍କଟ‌ ସେହି ସମାନ ସ୍ଥିତି ଉପୁଜୁଛି। ଉଲ୍ଲେଖଯୋଗ୍ୟ, ୨୦୨୨ ମାର୍ଚ୍ଚ ସୁଦ୍ଧା ବିଶ୍ରାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଆଣ୍ଠେଇଛି। କୁହାଯାଇଥିଲା, ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉପାନ୍ତ ଅଞ୍ଚଳର ବସ୍ତିବାସିନ୍ଦାକୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଇପ ଜଳ ମିଳିବ। ବିଡମ୍ବନା, ପାନୀୟ ଜଳ ଆସନ୍ତା ୨୦୨୩ ସୁଦ୍ଧା ଶେଷ ହେବ କି ନାହିଁ, କୌଣସି ଅଧିକାରୀଙ୍କ ପାଖରେ ସଠିକ୍‌ ଉତ୍ତର ନାହିଁ।

ସମ୍ବନ୍ଧିତ ଖବର