ପୁରୀ : ଘୋଷଯାତ୍ରାକୁ ଚଳିତ (୨୦୨୩) ରଥଯାତ୍ରା ପୂର୍ବରୁ ୟୁନେସ୍କୋ ମାନ୍ୟତା ମୋହର ମିଳିବା ଆଶା ମଉଳିଛି। ପ୍ରକ୍ରିୟା ବିଳମ୍ବରୁ ଚଳିତ ବର୍ଷ ଏଥିରେ ସଫଳତା ମିଳିପାରିନାହିଁ। ଗତ ନଭେମ୍ବର ମାସରେ ପୁରୀର ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ (ଇନ୍‌ଟାଞ୍ଜିବୁଲ ହେରିଟେଜ) ମିଳିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ରଥଯାତ୍ରା ପୂର୍ବରୁ ଏହି ମାନ୍ୟତା ମିଳିବା ଲକ୍ଷ୍ୟ ନେଇ ଏକ କମିଟି ଗଠନ ସହ ଏ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ୍‌ ପ୍ରସ୍ତୁତ କରିବାକୁ ଏକ ଘରୋଇ ଏଜେନ୍ସିକୁ ଦାୟିତ୍ବ ଦିଆଯାଇଥିଲା। ମାତ୍ର, ନିର୍ଦ୍ଧାରିତ ସମୟ ପୂର୍ବରୁ ଏହା ହୋଇପାରିଲା ନାହିଁ। ବାସ୍ତବରେ ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ରହିଲା ନା ଏ ଦିଗରେ ସେତିକି ଗୁରୁତ୍ବ ଦିଆଗଲା ନାହିଁ ସେନେଇ ପ୍ରଶ୍ନ ଉଠିଛି।

Advertisment

ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ହୋଇଥିଲେ ମଧ୍ୟ କିଛି ସ୍ବତନ୍ତ୍ର ଉତ୍ସବକୁ ୟୁନେସ୍କୋ ପକ୍ଷରୁ ମାନ୍ୟତା ଦିଆଯିବା ଫଳରେ ଅନ୍ତର୍ଜାତୀୟ ସ୍ତର‌ରେ ରଥଯାତ୍ରାର ଆହୁରି ପ୍ରସିଦ୍ଧି ବଢ଼ିବ। ସେଇ ଦୃଷ୍ଟିରୁ ଗତବର୍ଷ ଅକ୍ଟୋବର ମାସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନଭେମ୍ବର ୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ଚିଠି ଦେଇଥିଲେ। ଚିଠି ମୁତାବକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ସେଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ୨ ଜଣ ମଠାଧୀଶ ରହିଥିଲେ। ଏକ ଘରୋଇ ଏଜେନ୍ସି ଏ କ୍ଷେତ୍ରରେ ସେତୁ ଭଳି କାମ କରିଥିଲା। କିନ୍ତୁ ଏହା ପରେ ପ୍ରକ୍ରିୟା ଧିମା ପଡ଼ିଗଲା।

ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତ କହିଛନ୍ତି, ଏକ ଘରୋଇ ସଂସ୍ଥାକୁ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଗତ ଫେବ୍ରୁଆରି ମାସରେ ପରିଚାଳନା କମିଟି ସଦସ୍ୟଙ୍କୁ ପ୍ରସ୍ତୁତ ରିପୋର୍ଟ ତର୍ଜମା କରିବାକୁ ଦିଆଯାଇଥିଲା। ଆମେ ପରିଚାଳନା କମିଟିର ୫ ଜଣ ସେବାୟତ ସଦସ୍ୟ ଏହି ରିପୋର୍ଟକୁ ଅନୁଧ୍ୟାନ କରି ସଂଶୋଧନ କରିଥିଲୁ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଏହି ରିପୋର୍ଟ ପଠାଯାଇଥିଲା। ମାର୍ଚ୍ଚ ମାସ ଶେଷ ସୁଦ୍ଧା ରିପୋର୍ଟ ଦିଆଯାଇଛି। ପ୍ରକ୍ରିୟା ଯଥା ସାଧ୍ୟ ଚାଲିଛି। ତେବେ ବିଳମ୍ବ ଯୋଗୁ ଚଳିତବର୍ଷ ଏହି ମାନ୍ୟତା ପାଇବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ହୋଇପାରିନାହିଁ। ଏହାବ୍ୟତୀତ ଅନ୍ୟ କୌଣସି କାରଣ ନାହିଁ। ତେବେ ଚଳିତ ବର୍ଷ ଏହି ମାନ୍ୟତା ମିଳିନି ବୋଲି ତା ଅର୍ଥ ନୁହେଁ ଆମକୁ ଏହି ମାନ୍ୟତା ମିଳିବ ନାହିଁ। ଆପାତତଃ ୨୦୨୪ ବେଳକୁ ଆମେ ଏହି ମାନ୍ୟତା ପାଇସାରିଥିବା ବୋଲି ସେ କହିଛନ୍ତି।