ସଇନ୍ତଳା : ସମ୍ବଲପୁର-ଟିଟିଲାଗଡ଼ ରେଳଲାଇନ ଦୋହରୀକରଣ କାମ କରୁଥିବା ଠିକାସଂସ୍ଥା ଏଲ୍‌ଏଣ୍ଡଟି କମ୍ପାନିର ବଲାଙ୍ଗୀର ଜିଲ୍ଲା ସଇନ୍ତଳା ରେଳଷ୍ଟେସନ ନିକଟ ଶିବିରରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ପ୍ଲାଷ୍ଟିକ ସାମଗ୍ରୀ ପୋଡ଼ିଯାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ସଇନ୍ତଳା ରେଳଷ୍ଟେସନ ନିକଟ ସିଲେଟପଡ଼ାସ୍ଥିତ କମ୍ପାନିର ଏହି ଶିବିରରେ ଶନିବାର ସକାଳେ ହଠାତ୍‌ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ବହୁ ଦିନ ହେଲା ରେଳ ଦୋହରୀକରଣ କାମ ସରିଥିଲେ ମଧ୍ୟ ବଳି ଯାଇଥିବା ଉକ୍ତ ପ୍ଲାଷ୍ଟିକ ସାମଗ୍ରୀ ସେଠାରେ ପଡ଼ିରହିଥିଲା। ସେସବୁ ପ୍ଲାଷ୍ଟିକ ସାମଗ୍ରୀ ପୋଡ଼ିଯିବାରୁ ଅଞ୍ଚଳ ଧୂଆଁମୟ ହୋଇଥିଲା। ନିଆଁ ନିକଟରେ ଥିବା ସିଲେଟପଡ଼ା ଗାଁ ପଟକୁ ମାଡ଼ିଯାଉଥିବା ଦେଖି ଗ୍ରାମବାସୀ ତୁରନ୍ତ ସଇନ୍ତଳା ଦମକଳ କେନ୍ଦ୍ରକୁ ଫୋନ କରିଥିଲେ। ସଇନ୍ତଳା ଓ ଦେଓଗାଁ ଦମକଳ କେନ୍ଦ୍ରରୁ ଅଗ୍ନିଶମ ବାହିନୀ ପହଞ୍ଚି ତିନିଘଂଟା ଧରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରଥିଲେ।