ରାଜଧାନୀରେ ଲୋମଟାଙ୍କୁରା ହତ୍ୟାକାଣ୍ଡ: ‘ତତେ ମାରିଦେବି, ମୁଁ ମରିଯିବି’

ମହିଳାଙ୍କୁ ହତ୍ୟା କରି ନିଜ ହାତ କାଟିଦେଲା ଯୁବକ

ଭିଡିଓ କଲ୍ କରି ସ୍ବାମୀଙ୍କୁ ଦେଖାଇଲା ମୃତଦେହ
ଭାଗ୍ୟକୁ ବର୍ତ୍ତିଗଲା ତିନି ବର୍ଷର ପୁଅ

ଭୁବନେଶ୍ବର : ତତେ ମାରିଦେବି, ମୁଁ ମରିଯିବି। ଏହା କୌଣସି ନାଟକର ସଂଳାପ ନୁହେଁ। ଜଣେ ହତ୍ୟା ଅଭିଯୁକ୍ତର ଚାଞ୍ଚଲ୍ୟକର ସ୍ବୀକାରୋକ୍ତି। ପୂରା ଘଟଣା କୌଣସି କ୍ରାଇମ୍ ଥ୍ରିଲର ଚଳଚ୍ଚିତ୍ରର କାହାଣୀ ଓ ଦୃଶ୍ୟଠୁ ବି ଭୟଙ୍କର। ସୋମବାର ମଧ୍ୟାହ୍ନରେ ଜଣେ ଯୁବକ ଜଣେ ବିବ‌ାହିତା ମହିଳାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବା ପରେ ନିଜେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ରାଜଧାନୀବାସୀଙ୍କୁ ସ୍ତବ୍ଧ କରିଦେଇଛି। ସୌଭାଗ୍ୟବଶତଃ ରକ୍ତମୁଖା ଯୁବକ କବଳରୁ ଅଳ୍ପକେ ବର୍ତ୍ତି ଯାଇଛି ମହିଳାଙ୍କ ୩ ବର୍ଷର କୁନିପୁଅ। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନିରେ। କେବଳ ସେତିକି ନୁହେଁ, ହତ୍ୟା କରିବା ପରେ ଯୁବକ ଜଣକ ମହିଳାଙ୍କ ସ୍ବାମୀଙ୍କୁ ଭିଡିଓ କଲ୍ କରି ମହିଳାଙ୍କ ରକ୍ତ ଜୁଡୁବୁଡ଼ୁ ଶବ ଦେଖାଇବାକୁ ପଛାଇ ନାହିଁ। ତେବେ ମହିଳାଙ୍କୁ ହତ୍ୟା କରିବା ପରେ ନିଜେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛି। ତା’କୁ ସଂକଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ମୃତ ମହିଳା, ତାଙ୍କ ସ୍ବାମୀ ଏବଂ ଅଭିଯୁକ୍ତର ଘର ଯାଜପୁର ଜିଲ୍ଲାରେ ହୋଇଥିବାରୁ ହତ୍ୟାକାଣ୍ଡ ପଛରେ ଏକତରଫା‌ ପ୍ରେମ କିମ୍ବା ପରକୀୟା‌ ପ୍ରୀତି ଥିବା ସନ୍ଦେହ କରାଯାଉଛି।

ହତ୍ୟାର ଶିକାର ହୋଇଥିବା ମହିଳା ହେଲେ ଯାଜପୁର କୁଆଖିଆ ଅଞ୍ଚଳର ରାକେଶ କୁମାର ସାହୁଙ୍କ ପତ୍ନୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍ ରିଙ୍କି(୨୬)। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ଘର ମଧ୍ୟ ଯାଜପୁର ଜିଲ୍ଲା ବଡ଼ ମଙ୍ଗଳପୁର ଅଞ୍ଚଳରେ। ସମ୍ଭବତଃ ଏମାନେ ଦୀର୍ଘଦିନରୁ ପରସ୍ପରକୁ ଜାଣିଥିଲେ। ୨୦୧୫ରେ ରାକେଶଙ୍କ ସହ ରିଙ୍କିଙ୍କର ବିବାହ ହୋଇଥିଲା। ୩ ବର୍ଷ ତଳେ ସେମାନଙ୍କର ପୁଅଟିଏ ମଧ୍ୟ ହୋଇଥିଲା। ରାକେଶ ପତ୍ନୀ ରିଙ୍କି ଓ ପୁଅ ସହ ପ୍ରାୟ ୩ ବର୍ଷ ହେଲା ଭୀମଟାଙ୍ଗି ହାଉସିଂ ବୋର୍ଡ ଫେଜ୍-୧ରେ ଭଡ଼ାରେ ରହି ଆସୁଥିଲେ। ରାକେଶ ୟୁରେକା ଫୋର୍ବସରେ ଚାକିରି କରନ୍ତି। ସବୁଦିନ ଭଳି ସୋମବାର ସକାଳେ ସେ ଡ୍ୟୁଟିକୁ ଯାଇଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ତାଙ୍କ ନିକଟକୁ ଏକ ଅଜଣା ମୋବାଇଲରୁ ହ୍ବାଟ୍‌ସଆପ୍ କଲ୍ ଆସିଥିଲା। କିନ୍ତୁ ସେ ଉଠାଇ ପାରି ନ ଥିଲେ। କିଛି ସମୟ ପରେ ଆଉ ଥରେ ସେହି ନମ୍ବରରୁ କଲ୍ ଆସିବା ସହ ରିଙ୍କିଙ୍କର ରକ୍ତ ଜୁଡ଼ୁବୁଡ଼ୁ ଫଟୋ ମଧ୍ୟ ଆସିଥିଲା। ରାକେଶ ଏହି ଫଟୋ ଦେଖିବା ପରେ ତୁରନ୍ତ ଘର ମାଲିକଙ୍କୁ ଫୋନ୍ କରି ଜଣାଇଥିଲେ। ନିଜେ ମଧ୍ୟ ଘରକୁ ଯାଇଥିଲେ। ଘର ମାଲିକ କବାଟ ବାଡ଼େଇବାରୁ ଭିତର ପଟୁ ବନ୍ଦ ରହିଥିଲା। କବାଟ ଭାଙ୍ଗିବା ପରେ ଚଟାଣରେ ରିଙ୍କିଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖିବାକୁ ପାଇଥିଲେ। ପାଖରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲା। କିଛି ସମୟ ପରେ ରାକେଶ ମଧ୍ୟ ଘରେ ପହଞ୍ଚି ସବୁ କିଛି ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ କରି ସବୁକଥା ଜଣାଇଥିଲେ। ଖବର ପାଇ ଏୟାରଫିଲ୍ଡ ଥାନା ପୁଲିସ, ପିସିଆର ଭ୍ୟାନ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୁମୂର୍ଷୁ ଅବସ୍ଥାରେ ଛଟପଟ ହେଉଥିବା ଜଗନ୍ନାଥଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଜଗନ୍ନାଥ ହତ୍ୟାକାଣ୍ଡ ଘଟାଇଥିବା ସ୍ପଷ୍ଟ ଜଣାପଡ଼ୁ୍‌ଥିଲେ ମଧ୍ୟ ହତ୍ୟା ପଛର କାରଣ ଖୋଜିବା ଆରମ୍ଭ କରିଥିଲା ପୁଲିସ। ରାକେଶ, ରିଙ୍କି ଓ ଜଗନ୍ନାଥଙ୍କ ଘର ଯାଜପୁର ଅଞ୍ଚଳରେ ହୋଇଥିବାରୁ ସେମାନଙ୍କ ଭିତରେ ପୂର୍ବରୁ ପରିଚୟ ଥିଲା ଏବଂ ଜଗନ୍ନାଥ ଆଗରୁ ମଧ୍ୟ ଏଠାକୁ ଯିବାଆସିବା କରୁଥିଲା। ଆଜି ରାକେଶ ଘରୁ ଗଲା ପରେ ପୂର୍ବ ଯୋଜନା ମୁତାବକ ଛୁରି, ବିଷ ବୋତଲ, ସୁଇସାଇଡ୍ ନୋଟ୍ ଧରି ଜଗନ୍ନାଥ ପହଞ୍ଚିଥିଲା। ହତ୍ୟାକାଣ୍ଡସ୍ଥଳରେ ଏକ ସିନ୍ଦୂର ଫରୁଆ ଓ ଶଙ୍ଖା ପଡ଼ିଥିବାରୁ ଜଗନ୍ନାଥ ରିଙ୍କିଙ୍କୁ ବିବାହ କରିବାକୁ ଜିଦ୍‌ କରିଥିବା ସନ୍ଦେହ କରାଯାଉଛି। ସମ୍ଭବତଃ ଜଗନ୍ନାଥ ପ୍ରଥମେ ନିଜର ଦୁଇ ହାତ କାଟିବା ସହ ସାଙ୍ଗରେ ଆଣିଥିବା ବିଷ ବୋତଲ ଧରି ଆତ୍ମହତ୍ୟା କରିବ ବୋଲି ରିଙ୍କିଙ୍କୁ ଧମକାଇଥିଲା। ତେବେ ରିଙ୍କି ତା’ କଥାରେ ରାଜି ନହେବାରୁ ସେ ରିଙ୍କିଙ୍କୁ ଛୁରି ଭୁସିବା ସହ ଗଳା କାଟି ହତ୍ୟା କରିଥିଲା। ଏହାପରେ ମୃତଦେହକୁ ଗୋଟିଏ ରୁମ୍‌ରୁ ଟାଣି ଘୋଷାଡ଼ି ଆଣି ବେଡରୁମରେ ପକାଇଥିବା କ୍ରାଇମ ସିନ୍‌ରୁ ଅନୁମାନ କରାଯାଉଛି।

ହତ୍ୟାକାଣ୍ଡସ୍ଥଳରୁ ରକ୍ତଲଗା ଛୁରି, ବିଷ ବୋତଲ, ଶଙ୍ଖ‌ା, ସିନ୍ଦୂର ଫାରୁଆ ଓ ହାତଲେଖା ଆଦି ଜବତ କରାଯାଇଛି। ମହିଳା ଏବଂ ତାଙ୍କ ପୁଅକୁ ହତ୍ୟା କରିବାକୁ ପୂରା ଯୋଜନା ପ୍ରସ୍ତୁତ କରି ଆସିଥିଲା ଅଭିଯୁକ୍ତ। ସାଙ୍ଗରେ ହାତ ଲେଖା ଚିଠି ବା ସୁଇସାଇଡ୍‌ ନୋଟ୍ ଆଣିଥିଲା। ଯେଉଁଥିରେ ଏ ସବୁ ଗୋଟିଗୋଟି କରି ଉଲ୍ଲେଖ କରିଥିଲା। ସୁଇସାଇଡ୍‌ ନୋଟ୍‌ରେ ଲେଖା ହୋଇଥିବା ‘ତତେ ମାରିଦେବି, ମୁଁ ମରିଯିବି’ ବାକ୍ୟରୁ ସମ୍ଭବତଃ ପ୍ରେମରେ ବିଫଳ ହୋଇ ଅଭିଯୁକ୍ତ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ତେବେ ହତ୍ୟା ପଛର ଅସଲ କାରଣ ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି।

ଜଗନ୍ନାଥଙ୍କ ଘର ଯାଜପୁର ହୋଇଥିବା ବେଳେ ସେ ସେଠାରେ ରହୁଥିଲେ ନା ଭୁବନେଶ୍ବରରେ ରହୁଥିଲେ, ରିଙ୍କିଙ୍କ ସହ ତାଙ୍କର କେମିତି ପରିଚୟ ହେଲା, ଉଭୟଙ୍କ ଭିତରେ କଣ ବିବାଦ ରହିଥିଲା, ସେ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ଅନ୍ୟପକ୍ଷରେ ଜଗନ୍ନାଥଙ୍କୁ ସେ ପୂର୍ବରୁ କେବେ ଦେଖି ନାହାନ୍ତି କି ଚିହ୍ନି ନାହାନ୍ତି ବୋଲି ରାକେଶ ପୁଲିସକୁ କହିଛନ୍ତି।

ସମ୍ବନ୍ଧିତ ଖବର