ଦୁଇଥର ଯାକ ଅପରାଧୀ ଅଳକାପୁରୀ ଅଞ୍ଚଳକୁ ବାଛିଛନ୍ତି। ପ୍ରଥମେ ବିହାରୀ ସୁଟର୍ଙ୍କ ସମେତ ୪ଜଣଙ୍କୁ ଅଳକାପୁରୀରେ ରଖାଯାଇଥିଲା। ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ସେମାନଙ୍କୁ କର୍ପୋରେଟର୍ ମଳୟ ବିଷୋୟୀ ନେଇ ରଖାଇଥିଲେ। ଏମାନେ ସେପ୍ଟେମ୍ବର ୧୦ ତାରିଖରୁ ଏଠାରେ ରହିଥିଲାବେଳେ ରହିବା, ଖାଇବା, ଗାଡ଼ି କଥା ଉମା ଓ ଯୋଗୀ ବୁଝିଥିଲେ। ସେମାନେ ବିଫଳ ହେବା ପରେ ସେପ୍ଟେମ୍ବର ୨୯ରୁ କୁରୁପତି ଓ ଚିଣ୍ଟୁ ଯଦିଓ ପୀତବାସଙ୍କ ଘର ପାଖେ ଭଡ଼ାରେ ରହିଥିଲେ କିନ୍ତୁ ହତ୍ୟାକାଣ୍ଡ ପୂର୍ବରୁ ସେମାନେ ଅଳକାପୁରୀ ଯାଇଥିଲେ। ଶୂନ୍ୟ ଦାସଙ୍କ ଘର ପାଖେ ଏକ ଅର୍ଦ୍ଧନିର୍ମିତ ଘରେ ସେମାନଙ୍କୁ ୨ଟି ବନ୍ଧୁକ, ଗାଡ଼ି, ନୂଆ ପୋଷାକ ଓ ଜୋତା ଦିଆଯାଇଥିଲା। ସେଠାରୁ ସେମାନେ ପୀତବାସଙ୍କୁ ହତ୍ୟା କରିବାକୁ ସଜବାଜ ହୋଇ ଯାଇଥିଲେ।
ପ୍ଲାନ୍-‘ଏ’ ଫେଲ୍ ପରେ ପ୍ଲାନ୍-‘ବି’
ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବାକୁ ଭୟଙ୍କର ଷଡ଼୍ଯନ୍ତ୍ର ହୋଇଥିଲା। ଏଥିପାଇଁ ବିହାରୀ ସାର୍ପସୁଟର୍ଙ୍କୁ ଆଣିବାକୁ ଚାହିଁଥିଲେ ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତ। ପଶ୍ଚିମବଙ୍ଗରେ ରହୁଥିବା ହିଞ୍ଜିଳିର ବିପିନ ସ୍ବାଇଁ କିଛି ସୁଟର୍ଙ୍କୁ ଚିହ୍ନିଥିଲେ। ତେଣୁ ବିହାରୀ ସୁଟର୍ ଶିଶୁପାଳ ପାଶ୍ୱାନ୍ ଓ କୁନ୍ଦନ କୁମାରଙ୍କୁ ଡକାଇଥିଲେ। ବଡ଼ଗଡ଼ର ସୀମାଞ୍ଚଳ ନାୟକ ମଧ୍ୟସ୍ଥ ସାଜିଥିଲେ। ହେଲେ ଜଣେ ବିହାରୀ ସୁଟରଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ସେମାନେ ତୁରନ୍ତ ପାଟନା ଫେରି ଯାଇଥିଲେ। ପ୍ଲାନ୍-ଏ ଫେଲ୍ ହେବା ପରେ ପ୍ଲାନ୍-ବି ଉପରେ କାମ ଆରମ୍ଭ ହୋଇଥିଲା। ଏଥିପାଇଁ ଉମା ନିଜ ଗାଁରୁ ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁଙ୍କୁ ଡକାଇ ହତ୍ୟାକାଣ୍ଡ ଭିଆଇଥିଲା। ଘଟଣାଦିନ ରାତିରେ ଚିଣ୍ଟୁ ଗାଡ଼ି ଚଳାଉଥିଲାବେଳେ କୁରୁପତିଙ୍କ ବନ୍ଧୁକରୁ ପୀତବାସଙ୍କୁ ଗୁଳି ହୋଇଥିଲା।
ଗୁଳି କଲେ ୫ଲକ୍ଷ, ଗାଡ଼ି ଚଳାଇଲେ ୩ ଲକ୍ଷ
ପୀତବାସଙ୍କୁ ହତ୍ୟା କରିବାକୁ ୨ଥର ଯୋଜନା ହେଲା। ବିହାରୀ ସୁଟର ୫୦ଲକ୍ଷ ନେଇଥାନ୍ତେ। ୨ ସୁଟର୍ ଏଥିପାଇଁ ୫ଲକ୍ଷ ଲେଖାଏଁ ଅଗ୍ରିମ ବି ନେଇଥିଲେ। ହେଲେ କାମ ହୋଇପାରିଲାନି। ତେଣୁ ସ୍ଥାନୀୟ ଅପରାଧୀଙ୍କୁ ହତ୍ୟାକାଣ୍ଡରେ ନିୟୋଜିତ କରାଗଲା। ଚିଣ୍ଟୁ ଓ କୁରୁପତି ଏଥିପାଇଁ ରାଜି ହୋଇଥିଲେ। ତେବେ ଏଥିପାଇଁ ସେମାନଙ୍କୁ ୮ଲକ୍ଷ ଟଙ୍କା ଦେବାକୁ ଉମା ଓ ଯୋଗୀ ଡିଲ୍ କରିଥିବା ପୁଲିସ କହିଛି। ଦେଶୀ ବନ୍ଧୁକରୁ ଗୁଳି ଫୁଟାଇ ପୀତବାସଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା। ଯିଏ ଗୁଳି କରିବ ସେ ୫ଲକ୍ଷ ଓ ଗାଡ଼ି ଚାଳକକୁ ୩ଲକ୍ଷ ଟଙ୍କା ଦେବାକୁ ସ୍ଥିର ହୋଇଥିଲା। ନିଷ୍ପତ୍ତି ଅନୁସାରେ ଚିଣ୍ଟୁ ଗାଡ଼ି ଚଳାଇଥିଲାବେଳେ କୁରୁପତି ଗୁଳିଚାଳନା କରିଥିଲା।
ବାଲିରେ ପୋତିଥିଲେ ବନ୍ଧୁକ
ହତ୍ୟାକାଣ୍ଡ ପରେ କୁରୁପତି ଓ ଚିଣ୍ଟୁ ସହର ଛାଡ଼ିବାକୁ ଯୋଜନା କରିଥିଲେ। କୌଣସି ପ୍ରକାରେ ଯେପରି ସୁରାକ ନ ଛାଡ଼ନ୍ତି ସେଥିଲାଗି ସବୁ ଆଗୁଆ କଥା ହୋଇଥିଲେ। ଗୁଳିମାଡ଼ କରି ସେମାନେ ମାଉସୀମା’ ମନ୍ଦିର, ରେଡିଓ ଷ୍ଟେସନ୍, ଲୋଚାପଡ଼ା ଓ ଗୁରୁଣ୍ଠି ଦେଇ ପଳାଇଥିଲେ। ଶୀତଳାପଲ୍ଲୀରେ ଯାଇ ପୋଷାକ ବଦଳାଇଥିଲେ। ହେଲମେଟ୍ ଓ ଜୋତା ଥୋଇ ଦେଇ ବନ୍ଧୁକକୁ ବାଲିରେ ପୋତି ଦେଇଥିଲେ। ଚିଣ୍ଟୁ ବେଙ୍ଗାଲୁରୁରୁ ଧରାପଡ଼ିବା ପରେ ବନ୍ଧୁକ ଓ ଗାଡ଼ି କଥା ଜଣାପଡ଼ିଥିଲା। ରାମେଶ୍ବର ପାଖେ ସେମାନେ ଏକ ଚା’ ଦୋକାନ ପାଖେ ବାଇକ୍ ରଖିଥିଲା ବେଳେ ଶୀତଳାପଲ୍ଲୀରେ ବାଲିରେ ପୋତିଥିବା ବନ୍ଧୁକ ସମ୍ପର୍କରେ ପୁଲିସକୁ କହିଥିଲା। ପରେ ବାଲି ଖୋଳି ପୁଲିସ ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକକୁ ଜବତ କରିଥିଲା।
ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପରେ ବଢ଼ିଥିଲା ତିକ୍ତତା
ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପରେ ବିକ୍ରମ ଓ ପୀତବାସଙ୍କ ମଧ୍ୟରେ ତିକ୍ତତା ବଢ଼ିଥିବା ଆଜି ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ନିର୍ବାଚନରେ ପୀତବାସ ପଣ୍ଡା ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ରାଜ୍ୟ ଆଇନଜୀବୀ ପରିଷଦ ଉପାଧ୍ୟକ୍ଷ କରାଇ ନ ଦେବା ପାଇଁ କୁଆଡ଼େ ବିକ୍ରମ ପଣ୍ଡା ଯୋଜନା କରିଥିଲେ। ସେହି ଦିନଠାରୁ ପୀତବାସ ଓ ବିକ୍ରମଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ଏଭଳିକି ବିକ୍ରମ ତାଙ୍କ ବ୍ୟବସାୟରେ କ୍ଷତି ସହିବା ପରେ ଏହା ପଛରେ ପୀତବାସଙ୍କ ହାତ ରହିଥିବା ବିଶ୍ବାସ କରିଥିଲେ। ବିକ୍ରମଙ୍କ ନାମରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଏହା ବି ପୀତବାସଙ୍କ କାମ ବୋଲି ବିକ୍ରମ ବିଶ୍ବାସ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା ବୋଲି ଏସ୍ପି କହିଛନ୍ତି।
ବିକ୍ରମ ପଣ୍ଡାଙ୍କ ଲିଙ୍କ୍ ମିଳିଲା କେମିତି?
ହତ୍ୟାକାଣ୍ଡ ପରେ ଚିଣ୍ଟୁ ଟ୍ରେନ୍ରେ ପୁରୀରୁ ବେଙ୍ଗାଲୁରୁ ପଳାଇଲା। ହେଲେ କୁରୁପତି ପୁରୀରେ ରହି ସେଠାରୁ ଜୟପୁର ଯାଇଥିଲା। ଜୟପୁରରେ ବିକ୍ରମ ପଣ୍ଡାଙ୍କ ବନ୍ଧୁ ସୁନୀଲ ହୋତା ତାଙ୍କୁ ନିଜ ଫାର୍ମ ହାଉସ୍ରେ ରଖିଥିଲେ। ସୁନୀଲ ବିଭିନ୍ନ ସମୟରେ ବିକ୍ରମଙ୍କ କାର୍ଯ୍ୟକ୍ରମରେ ଆସନ୍ତି। ନିୟମିତ ବ୍ୟବଧାନରେ ଉଭୟଙ୍କ ମଧ୍ୟରେ କଥାବର୍ତ୍ତା ହୁଏ। କୁରୁପତି ପାଖେ ଥିବା ଏକ ମୋବାଇଲ୍ ନମ୍ବରକୁ ପୁଲିସ ବିଶ୍ବସ୍ତ ସୂତ୍ରରୁ ପାଇ ଟ୍ରାକ୍ କରିଥିଲା। ଏପରିକି ବିକ୍ରମଙ୍କ ପ୍ରମୁଖ ସହଯୋଗୀ ମଳୟ ଓ ମଦନ ଉଭୟ ସୁନୀଲ ସହ ଯୋଗାଯୋଗରେ ଥିଲେ। ସୁନୀଲଙ୍କ ଫାର୍ମହାଉସ୍ରେ କୁରୁପତିର ଶେଷ ଲୋକେସନ୍ ମିଳିଥିଲା। ସେଠାରେ ଚଢ଼ଉ କରିବାରୁ କୁରୁପତି ମିଳିନଥିଲା। ହେଲେ କିଛି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିବା ପରେ ସୁନୀଲକୁ ପୁଲିସ ଉଠାଇ ଆଣିଥିଲା। କୁରୁପତି ବାହାର ରାଜ୍ୟକୁ ପଳାଇଥିବା ନେଇ ସୁନୀଲ ପୁଲିସ ଆଗରେ କହିଛି। ଏଇଠୁ ପୁଲିସକୁ ବିକ୍ରମ ପଣ୍ଡାଙ୍କ ଲିଙ୍କ୍ ନେଇ ବଡ଼ ତଥ୍ୟ ମିଳିଥିଲା।
ଉମା, କୁରୁପତି କେଉଁଠି?
ପୀତବାସଙ୍କୁ ହତ୍ୟା କରିଥିବା କୁରୁପତି ଭୂୟାଁ ଏଯାଏଁ ଧରାପଡ଼ିନି। କୋରାପୁଟ ଜିଲ୍ଲା ଜୟପୁରରୁ ସେ ବାହାର ରାଜ୍ୟକୁ ପଳାଇଛି। ମୋବାଇଲ୍ ଟ୍ରାକ୍ କରି ବି ପୁଲିସ ତା’ ନିକଟରେ ପହଞ୍ଚି ପାରିନି। ସୁନୀଲ ହୋତାଙ୍କ ଫାର୍ମ ହାଉସ୍ରେ ୪ ଦିନ ରହିବା ପରେ ସେ ଛୁ ମାରିଛି। ତାକୁ ଧରିବାକୁ ବାହାର ରାଜ୍ୟରେ ପୁଲିସ ଟିମ୍ ଡେରା ପକାଇଛି। ଅନ୍ୟପଟେ ପୂରା ଘଟଣାରେ ଗୁରୁତ୍ବ ବହନ କରୁଥିବା ଉମା ବିଷୋୟୀ ବି ଫେରାର ରହିଛି। ଉମା ପାଖରେ ଡିଲ୍ ବାବଦ ଲକ୍ଷାଧିକ ଟଙ୍କା ରହିଛି। ହତ୍ୟାକାଣ୍ଡ ଲାଗି ୮ଲକ୍ଷ ଟଙ୍କା ଡିଲ୍ ହୋଇଥିଲେ ହେଁ ସେ କିଛି ଟଙ୍କା ଚିଣ୍ଟୁ ଓ କୁରୁପତିଙ୍କୁ ଦେଇ ବାକି ଟଙ୍କା ନିଜ ପାଖେ ରଖିଛି। ସେହିପରି ବିକ୍ରମ ପଣ୍ଡାଙ୍କ ଅନ୍ୟତମ ସହଯୋଗୀ ସୁଦର୍ଶନ ଜେନା ଫେରାର ଥିଲାବେଳେ ପୁଲିସ ତାକୁ ଖୋଜୁଥିବା କହିଛି।