ବ୍ରହ୍ମପୁର: କରୋନା ତାର କରାଳ ରୂପ ଦେଖାଇବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ ଗତ ୪ ଦିନରେ କରୋନାରେ ଆଖି ବୁଜିଲେଣି ୩ ଜଣ ସାମ୍ବାଦିକ। ଏମାନେ ହେଲେ ଯୁବ ସାମ୍ବାଦିକ ଗୋବିନ୍ଦ ବେହେରା, ମନୋଜ ସାହୁ ଓ କରୁଣାକର ସାହୁ ।
ନ୍ୟୁଜ-୬ ଏବଂ ଓଡିଶା ଏକ୍ସପ୍ରେସ ଭଳି ୱେବ ପୋର୍ଟାଲରେ କାମ କରୁଥିବା କୁକୁଡାଖଣ୍ଡିର ଯୁବ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ କରୋନାରେ ମୃତ୍ୟୁ ହୋଇଛି। ଦୁଇଦିନ ହେଲା ସେ ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶ୍ୱାସକ୍ରିୟାରେ ଭୀଷଣ ସମସ୍ୟା ହେଉଥିଲା। ହେଲେ ଗତକାଲି ରାତି ପ୍ରାୟ ୩ଟାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି ।
ସେହିପରି କରୋନାରେ ଆଖି ବୁଜିଛନ୍ତି ନିତିଦିନ ଖବରକାଗଜର ଚିକିଟି ପ୍ରତିନିଧି ମନୋଜ କୁମାର ସାହୁ। ସେ ମଧ୍ୟ ବ୍ରହ୍ନପୁର ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶ୍ୱାସକ୍ରିୟାରେ ସମସ୍ୟା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିଥିଲା। ଆଜି ଦିନ ୧୦ଟାରେ ସେ ଆଖି ବୁଜିଥିବା ସୂଚନା ମିଳିଛି ।
ଗତ ମଙ୍ଗଳବାର କରୋନାରେ ଆଖି ବୁଜିଥିଲେ ଅନୁପମ ଭାରତର ସେରଗଡ ବ୍ଲକ ପ୍ରତିନିଧି କରୁଣାକର ସାହୁ। ୫୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବାପରେ ତାଙ୍କୁ ହିଂଜିଳିକାଟୁ ସବ ଡିଭିଜନ ହସ୍ପିଟାଲକୁ ଆଣିଥିଲେ ପରିବାର ଲୋକ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କରୋନା ମହାମାରୀ କାଳରେ ସାମ୍ବାଦିକମାନେ ଆପଣଙ୍କ ପାଖରେ ଟିଖିନିଖି ଖବର ପହଞ୍ଚାଇବାକୁ ଆଗ ଧାଡ଼ିର ଯୋଦ୍ଧା ଭାବରେ ଅହରହ କାମ କରୁଥିବାବେଳେ କରୋନା ସଂକ୍ରମିତ ହେବା ଓ ଜୀବନ ହରାଇବା ଭଳି ଖବର ନିଶ୍ଚିତ ଚିନ୍ତାଜନକ।
କରୋନାର କରାଳ ରୂପ: ଗଞ୍ଜାମ ଜିଲ୍ଲାରେ ଗତ ୪ ଦିନରେ କରୋନାରେ ଆଖି ବୁଜିଲେଣି ୩ ଜଣ ସାମ୍ବାଦିକ
/sambad/media/post_attachments/wp-content/uploads/2021/04/correction-knk-24_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)