ଜଗତସିଂହପୁର/କଟକ: କୋଲକାତାର ମଦନମୋହନ ଷ୍ଟ୍ରିଟ୍ରେ ଥିବା ହୋଟେଲ୍ ଋତୁରାଜରେ ଭୟାବହ ଅଗ୍ନିକାଣ୍ଡ ଘଟି ଓଡ଼ିଶାର ୪ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ସୋମପୁର ହରିପା ଅଞ୍ଚଳର ଦୁଷ୍ମନ୍ତ କୁମାର ନାୟକ (୪୬), ଦୁଷ୍ମନ୍ତ କୁମାର ସ୍ବାଇଁ (୪୬) ଓ ତିର୍ତ୍ତୋଲ ଥାନା ନନ୍ଦନ ପଟିଲୋ ଅଞ୍ଚଳର ମନୋଜ କୁମାର ପାତ୍ର (୪୫)ଙ୍କ ମୃତ୍ୟୁ ଘଟିଛି। ମୃତ ମନୋଜ ଓ ଦୁଷ୍ମନ୍ତ ଉଭୟ ଶଳା ଭିଣୋଇ ବୋଲି ସୂଚନା ମିଳିଛି। ସେହିପରି କଟକ ସିଡିଏ ଅଞ୍ଚଳର କପଡ଼ା ବ୍ୟବସାୟୀ ରାଜେଶ କୁମାର ସନ୍ତୁକା(୬୧)ଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଦୁଷ୍ମନ୍ତ କୁମାର ନାୟକଙ୍କ ବଡ଼ ଭିଣୋଇ ବାଲିକୁଦା ଟାଇଁକୂଳ ଅଞ୍ଚଳର ଦୁଃଖୀଶ୍ୟାମ ନାୟକଙ୍କର ବିହାର ପୂର୍ଣ୍ଣିଆଠାରେ ଏକ ଗହମ ମଣ୍ଡି ରହିଛି। ଅକ୍ଷୟ ତୃତୀୟା ଅବସରରେ ଆଜି ମଣ୍ଡି ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ଥିଲା। ଦୁଷ୍ମନ୍ତ ଓ ମନୋଜ ସେଠାରେ ଯୋଗ ଦେବାକୁ ଗତକାଲି ଜଗତସିଂହପୁରରୁ କୋଲକାତା ଯାଇଥିଲେ। ଋତୁରାଜ ହୋଟେଲରେ ରହି ଆଜି ଟ୍ରେନ ଯୋଗେ ବିହାର ଯିବାର କାର୍ଯ୍ୟକ୍ରମ ଥିଲା। ଦୁଷ୍ମନ୍ତ ନାୟକ କୋଲକାତାରେ ରହୁଥିବା ତାଙ୍କ ସାଙ୍ଗ ଦୁଷ୍ମନ୍ତ ସ୍ବାଇଁଙ୍କୁ ହୋଟେଲକୁ ଡାକିଥିଲେ। ସମସ୍ତେ ଏକାଠି ହୋଟେଲର ତୃତୀୟ ମହଲାରେ ରହିଥିଲେ। ରାତିରେ ହୋଟେଲରେ ହଠାତ୍ ନିଆଁ ଲାଗି ଯାଇଥିବା ବେଳେ ଶ୍ବାସରୁଦ୍ଧ ହୋଇ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବିହାରରେ ରହୁଥିବା ଦୁଷ୍ମନ୍ତ ନାୟକଙ୍କ ବଡ଼ ଭିଣୋଇ ଦୁଃଖୀଶ୍ୟାମ ନାୟକ ଆଜି ଭୋର ସମୟରେ କୋଲକାତାରେ ପହଞ୍ଚିଥିଲେ। ତାଙ୍କର ଅନ୍ୟ ସମ୍ପର୍କୀୟମାନେ ଆଜି ରାତିରେ କୋଲକାତାରେ ପହଞ୍ଚିଛନ୍ତି। ଦୁଷ୍ମନ୍ତ ନାୟକଙ୍କର ଭୁବନେଶ୍ବର ଆର୍ଟିଓ ଅଫିସ ପାଖରେ କମ୍ପ୍ୟୁଟର ଆଉଟଲେଟ୍ ରହିଛି।
ଜଗତସିଂହପୁରର ଶଳା, ଭିଣୋଇଙ୍କ ସମେତ ୩ ମୃତ
କଟକ ବ୍ୟବସାୟୀଙ୍କ ମୃତ୍ୟୁ
ମନୋଜ ପାତ୍ର ଭୁବନେଶ୍ବରରେ ଏକ ଫାଇନାନ୍ସ କମ୍ପାନିରେ କାମ କରୁଥିବାବେଳେ ଦୁଷ୍ମନ୍ତ ସ୍ବାଇଁ କୋଲକାତାରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଅନ୍ୟପକ୍ଷରେ କଟକ ସିଡିଏ ଅଞ୍ଚଳର କପଡ଼ା ବ୍ୟବସାୟୀ ରାଜେଶ କୁମାର ସନ୍ତୁକା(୬୧)ଙ୍କ ମୃତ୍ୟୁ ସମ୍ପର୍କରେ କୋଲକାତା ପୁଲିସ ପକ୍ଷରୁ ମର୍କତନଗର ଥାନା ପୁଲିସ ଓ ପରିବାର ଲୋକଙ୍କୁ ଅବଗତ କରାଯାଇଛି। ଶବକୁ କଟକସ୍ଥିତ ବାସଭବନକୁ ସ୍ଥାନାନ୍ତର କରାଯାଉଥିବା ମର୍କତନଗର ଥାନା ପୁଲିସ ସୂଚନା ଦେଇଛି। ସିଡିଏ ସେକ୍ଟର ୬ରେ ଥିବା ପ୍ଲଟ୍ ନଂ ୧୪୨୮/ବି’ରେ ସତ୍ୟନାରାୟଣ ସନ୍ତୁକାଙ୍କ ପୁଅ ରାଜେଶ ପରିବାର ସହ ରୁହନ୍ତି। ରାଜେଶଙ୍କର ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ‘ଶାଢ଼ି ମନ୍ଦିର’ ଓ ପଟିଆରେ ‘ରାଧେ’ ନାଁରେ ଦୁଇଟି କପଡ଼ା ସୋ’ରୁମ ରହିଛି। ସେ କପଡ଼ା ବ୍ୟବସାୟ କାମରେ ରବିବାର ରାତିରେ କଟକରୁ କୋଲକାତା ଯାଇଥିଲେ। ମଙ୍ଗଳବାର ରାତିରେ ଋତୁରାଜ ହୋଟେଲକୁ ଆସିଥିଲେ। ସେଦିନ ରାତି ପ୍ରାୟ ୯ଟାରେ ଟ୍ରେନ୍ ଯୋଗେ ତାଙ୍କର କଟକ ଫେରିବାର ଥିଲା। କିନ୍ତୁ ହୋଟେଲରୁ ବାହାରିବା ପୂର୍ବରୁ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ରାଜେଶ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/01/40eXMi3BrvQuKCMXNZiJ.jpg)